ଫରିଦାବାଦ : ହରିଆଣାର ଫରିଦାବାଦରେ ରହୁଥିବା ୨୩ ବର୍ଷୀୟା ମହିଳା ପାଇଲଟ ଦୀପିକା ଅଧାନା ପାଲଟିଛନ୍ତି ପ୍ରେରଣା। ଯୁଦ୍ଧ ଭଳି ସ୍ଥିତି ମଧ୍ୟରେ ନିଜର ଅଦମ୍ୟ ସାହସ ଓ ଦାୟିତ୍ୱ ଦେଖାଇ ସାଜିଛନ୍ତି ଚର୍ଚ୍ଚିତ ଚେହେରା। ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିଶେଷ ରେସ୍କ୍ୟୁ ଫ୍ଲାଇଟ୍ ମାଧ୍ୟମରେ ସେ ୟୁଏଇରୁ ୧୬୯ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାରତ ପହଞ୍ଚାଇ ଥିଲେ। ଏହି ଫ୍ଲାଇଟ୍‌ର ବିଶେଷ କଥା ଏହା ଯେ, ପୂରା କ୍ରୁରେ କେବଳ ମହିଳା ହିଁ ଥିଲେ।

ଦୀପିକା ଅଧାନା କହିଛନ୍ତି ଯେ, ଯେବେ ତାଙ୍କୁ ୱାର ଜୋନ୍ ସ୍ଥିତିରେ ରେସ୍କ୍ୟୁ ଫ୍ଲାଇଟ୍ ନେଇ ଯିବାକୁ ସୂଚନା ମିଳିଲା ତ ସେ ପ୍ରଥମେ ନିଜ ପରିବାର ସହ କଥାବାର୍ତ୍ତା ହେଲେ। ସେ ମମ୍ମି ଓ ଚାଚୁଙ୍କୁ କହିଲେ ଶେଷଥର ପାଇଁ ଦେଖି ନିଅ , ବୋଧହୁଏ ଆଉ ଦେଖି ନପାର। ହେଲେ ପରିବାର ଲୋକେ ତାଙ୍କୁ ରୋକିବାକୁ ଚେଷ୍ଟା କରି ନଥିଲେ। ବରଂ ସାହସ ଓ ଦାୟିତ୍ୱର ସହ କାମ କରିବା ପାଇଁ ପ୍ରେରିତ କରିଥିଲେ।

ଏହାସହ ମଧ୍ୟ ପଢନ୍ତୁ : ଗଲ୍ଫ ଦେଶଗୁଡ଼ିକ ଆମ ଲୋକଙ୍କୁ ଦେଉଛନ୍ତି ସୁରକ୍ଷା , କିନ୍ତୁ କଂଗ୍ରେସ କରୁଛି ରାଜନୀତି : ପିଏମ୍ ମୋଦି

ଦୀପିକାଙ୍କ ଅନୁସାରେ , ୬ ମାର୍ଚ୍ଚ ସକାଳେ ତାଙ୍କୁ ହଠାତ୍ ୟୁଏଇ ଯିବାର ନିର୍ଦ୍ଦେଶ ମିଳି ଥିଲା। ଉଲ୍ଲେଖନୀୟ ଯେ, ଏହି ବିମାନରେ ପ୍ରଥମେ ତାଙ୍କର ଜଣେ ପାଇଲଟ ବନ୍ଧୁ ଯିବାର ଥିଲେ। କିନ୍ତୁ ଉଡ଼ାଣର ନିକଟତର ଦୁଇ ଘଣ୍ଟା ପୂର୍ବରୁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା ଯେ, ଏବେ ତାଙ୍କୁ ଏହି ମିଶନର ସଦସ୍ୟ ହେବାର ଅଛି। ଏହାପରେ ସେ ତୁରନ୍ତ ନିଜର ଟିମ୍ ସହ ପ୍ରସ୍ତୁତ ହୋଇ ମିଶନରେ ବାହାରି ଥିଲେ।

ଉକ୍ତ ରେସ୍କ୍ୟୁ ଫ୍ଲାଇଟରେ ମୋଟ ଛଅ ଜଣ ମହିଳା ସାମିଲ ଥିଲେ। ଏଥିରେ କ୍ୟାପଟେନ ଜୟବିନ୍ଦର କୌର , ପାଇଲଟ ଦୀପିକା ଅଧାନା ଓ ଚାରି ଜଣ ମହିଳା କ୍ରୁ ମେମ୍ୱର ସାମିଲ ଥିଲେ। ଯୁଦ୍ଧ ଭଳି ସ୍ଥିତିର କାରଣରୁ ସେମାନେ ଚିନ୍ତିତ ଥିଲେ, କିନ୍ତୁ ତାଙ୍କୁ ଭରସା ଦିଆଯାଇ ଥିଲା ଯେ, ସୁରକ୍ଷାର ପୂରା ବନ୍ଦୋବସ୍ତ କରାଯାଇଛି। ଏହି ଭରସା ସହ ଟିମ୍ ସାମାନ୍ୟ ଦିନ ପରି ହିଁ ଉଡ଼ାଣ ଭରି ଥିଲା। 

​​​​​​​

ଦୀପିକା କହିଛନ୍ତି ଯେ, ୬ ମାର୍ଚ୍ଚ ସକାଳ ସମୟ ୧୦ଟାରେ ତାଙ୍କୁ ରେସ୍କ୍ୟୁ ଅଭିଯାନ ଅଧୀନରେ ୟୁଏଇର ରାସ ଅଲ ଖୈମାହ ଏୟାରପୋର୍ଟ ଯିବାକୁ ନିର୍ଦ୍ଦେଶ ମିଳି ଥିଲା।ଏହାପରେ ଫ୍ଲାଇଟ୍ ଭାରତରୁ ଉଡ଼ାଣ ଭରି ଥିଲା ଏବଂ ଦ୍ୱିପହର ପ୍ରାୟ ୨ଟା ସମୟରେ ରାସ ଅଲ୍ ଖୈମାହ ଏୟାରପୋର୍ଟରେ ସୁରକ୍ଷିତ ଲ୍ୟାଣ୍ଡିଂ କରି ଥିଲେ। ଏହାପରେ ଦ୍ୱିପହର ପ୍ରାୟ ସାଢେ ୩ଟାରେ ବିମାନ ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କଲା। ଏହି ସମୟରେ ଏକ ଏମିତି କ୍ଷଣ ମଧ୍ୟ ଆସିଲା ,ଯେବେ କିଛି ସମୟ ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଠାରୁ ସଂପର୍କ କଟି ଗଲା। ଏହି କାରଣରୁ କିଛିକ୍ଷଣ ପାଇଁ ଚିନ୍ତାର ସ୍ଥିତି ଉପୁଜିଲା। ହେଲେ କିଛି ସମୟ ପରେ ନେଟୱର୍କ ସଂପୂର୍ଣ୍ଣ ରୂପେ ଠିକ୍ ହୋଇ ଗଲା ଏବଂ ବିମାନ ସୁରକ୍ଷିତ ଉପାୟରେ ନିଜର ଯାତ୍ରା ଜାରି ରଖିଥିଲା।

ଦୀପିକା କହିଛନ୍ତି, ଯେବେ ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଲା ତ ଯାତ୍ରୀଙ୍କ ଚେହେରାରେ ଆଶ୍ୱସ୍ତି ସ୍ପଷ୍ଟ ନଜର ଆସୁ ଥିଲା। ଅନେକ ଯାତ୍ରୀ ବିମାନରୁ ଓହ୍ଲାଇବା ବେଳେ କ୍ରୁ ମେମ୍ୱରଙ୍କୁ ଧନ୍ୟବାଦ ଦେଉ ଥିଲେ।

ଦୀପିକା ମୂଳତଃ ଫରିଦାବାଦର ତିଗାଁଓ ବିଧାନସଭାର ବାସିନ୍ଦା। ତାଙ୍କ ପିତା ଯୋଗେଶ ଅଧାନା ଜଣେ ଆର୍କିଟେକ୍ଟ ଏବଂ ମାଆ ବବଲି ଅଧାନା ଜଣେ ସୁଗୃହିଣୀ। ତାଙ୍କ ବଡ଼ ଭାଇ ମୁମ୍ୱାଇରେ ବ୍ୟାକିଂ ସେକ୍ଟରରେ କାମ କରନ୍ତି। ଆଜି ସେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ୍ସ ସହ ଜଣେ ପାଇଲଟ ଭାବେ କାମ କରୁଛନ୍ତି। କମ୍ ବୟସରେ ସେ ନିଜର ସାହସ ଓ ଦାୟିତ୍ୱ ଦ୍ୱାରା ଏହା ସାବ୍ୟସ୍ତ କରି ଦେଇଛନ୍ତି ଯେ, କଠିନ ପରିସ୍ଥିତିରେ ମଧ୍ୟ ଦୃଢ ନିଶ୍ଚୟ ଓ ଆତ୍ମବିଶ୍ୱାସର ସହ କାମ କରାଗଲେ ବଡ଼ ଦାୟିତ୍ୱ ମଧ୍ୟ ତୁଲାଯାଇ ପାରେ।