ନୂଆଦିଲ୍ଲୀ,୨୦।୧୧: ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ରାଜ୍ୟ ବିଧାନସଭାରେ ଆସିଥିବା ବିଲ୍ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କୌଣସି ଟାଇମଲାଇନ୍ ଦେଇପାରିବେନି। ଏନେଇ ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଦେଇଛନ୍ତି ଐତିହାସିକ ରାୟ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ,ରାଜ୍ୟପାଳଙ୍କ ପକ୍ଷରୁ ନିଷ୍ପତ୍ତି ନେବାରେ ବିଳମ୍ବକୁ ଆଧାର କହି ସୁପ୍ରିମକୋର୍ଟ ନିଜ ଆଡୁ ବିଲ୍ ପାସ୍ କରିପାରିବେ ନାହିଁ।
ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ବିଲ୍ ମଞ୍ଜୁରୀ ପାଇଁ ସମୟସୀମା ସ୍ଥିର କରିବା ପ୍ରସଙ୍ଗରେ ଆସିଛି ସୁପ୍ରିମ ରାୟ। କୋର୍ଟ କହିଛନ୍ତି, ବିଲ୍ ଉପରେ ନିଷ୍ପତ୍ତି ନେବାକୁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ କୌଣସି ସମୟସୀମାରେ ବାନ୍ଧି ହେବନି। ସମ୍ବିଧାନର ଅନୁଚ୍ଛେଦ ୧୪୩ ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ପଠାଯାଇଥିବା ପ୍ରେସିଡେନ୍ସିଆଲ ରେଫରାନ୍ସ ଉପରେ ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଧାରା ୨୦୦ ଅନୁଯାୟୀ, ରାଜ୍ୟପାଳ ଏକ ବିଲ୍ ପ୍ରତି ତାଙ୍କର ସମ୍ମତି ଦେଇପାରିବେ, ବିଲ୍ କୁ ସ୍ଥଗିତ ରଖିପାରିବେ ଏବଂ ଫେରାଇ ପାରିବେ, କିମ୍ବା ବିଲ୍ କୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ପାରିବେ। ରାଜ୍ୟପାଳଙ୍କ ପାଖରେ କୌଣସି ଅନ୍ୟ ବିକଳ୍ପ ନାହିଁ। ତେବେ ରାଜ୍ୟପାଳମାନେ ରାଜ୍ୟ ବିଲ୍ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିପାରିବେ ନାହିଁ, କିନ୍ତୁ ଏହା ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ପାଇଁ କୌଣସି ସମୟସୀମା ସ୍ଥିର କରିହେବନି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ତାମିଲନାଡୁ ମାମଲାରେ ଦୁଇ ଜଣିଆ ଖଣ୍ଡପୀଠ ଦେଇଥିବା ଏପରି ନିର୍ଦ୍ଦେଶ ଅଣସାମ୍ବିଧାନିକ। କୋର୍ଟ ରାଜ୍ୟପାଳଙ୍କ ସମ୍ମୁଖରେ ବିଚାରାଧୀନ ବିଲ୍ ପାଇଁ ବୈଧ ସମ୍ମତି ଦେଇପାରିବେ ନାହିଁ, କାରଣ ଏକ ଦୁଇ ଜଣିଆ ଖଣ୍ଡପୀଠ ଧାରା ୧୪୨ ଅନୁଯାୟୀ କ୍ଷମତା ବ୍ୟବହାର କରି ୧୦ଟି ତାମିଲନାଡୁ ବିଲ୍ ପାଇଁ ବୈଧ ସମ୍ମତି ପ୍ରଦାନ କରିଛନ୍ତି। ରାଜ୍ୟପାଳ ବିଲ୍ ପାଇଁ ସମ୍ମତି ପ୍ରଦାନ କରିବା ପାଇଁ କୋର୍ଟ ସମୟ ସୀମା ସ୍ଥିର କରିପାରିବେ ନାହିଁ। ସାମ୍ବିଧାନିକ କୋର୍ଟ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ବିଲ୍ ଉପରେ ନିଷ୍ପତ୍ତି ନେବା ପାଇଁ ସମୟ ସୀମା ଲାଗୁ କରିପାରିବେ ନାହିଁ।