ନୂଆଦିଲ୍ଲୀ: ପଞ୍ଜାବ ଓ ହରିୟାନାର କୃଷକ ମାନେ ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି)କୁ ବୃଦ୍ଧି କରିବାକୁ ନେଇ ଧାରଣାରେ ବସିଥିବା ବେଳେ ଏହା ଉପରେ ନିଜ ଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ହେଉଥିବା ଭାରତ ଗ୍ରାମୀଣ ମହୋତ୍ସବ ୨୦୨୫ରେ ଶନିବାର ଦିନ ଯୋଗଦେଇ ପିଏମ ମୋଦି, ବିଗତ ୧୦ ବର୍ଷ ମଧ୍ୟରେ ସରକାର ଅନେକଥର ଏମଏସପିରେ ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି। ଏହା ସହ ତାଙ୍କ ଦଳ କୃଷିକୁ ପ୍ରୋତ୍ସାହିତ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଏକ ଉନ୍ନତ୍ତ ଜୀବନଶୈଳି ପ୍ରଦାନ କରିବା ପାଇଁ ସର୍ବଦା ତତ୍ପର ବୋଲି ପିଏମ ମୋଦି କହିଛନ୍ତି। 

"ଗତ ୧୦ ବର୍ଷ ମଧ୍ୟରେ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଆମ ଦଳ ଦ୍ୱାରା ଅନେକ ନୀତି ପ୍ରଣୟନ କରାଯାଇଛି। ଗତ ଦଶ ବର୍ଷ ମଧ୍ୟରେ ଆମେ ଅନେକ ଫସଲ ଉପରେ କ୍ରମାଗତ ଭାବରେ ଏମଏସପି ବୃଦ୍ଧି କରିଛୁ। ଯାହାର ଉଦ୍ଦେଶ୍ୟ ହେଉଛି ଗାଁର କୃଷକ ଓ ଲୋକମାନଙ୍କୁ ସେମାନଙ୍କ ଉତ୍ପାଦର ପ୍ରକୃତ ମୂଲ୍ୟ ଯୋଗାଇବା" ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦି ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ମାଧ୍ୟମରେ କୃଷକମାନଙ୍କୁ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ଏବଂ ଗତ ୧୦ ବର୍ଷ ମଧ୍ୟରେ କୃଷି ଋଣରେ ୩.୫ ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି।

ସମୟୁକ୍ତ କିସାନ ମୋର୍ଚ୍ଚା (ଅଣ-ରାଜନୈତିକ) ଅଧୀନରେ ଥିବା କୃଷକମାନେ କେନ୍ଦ୍ର ସରକାରଙ୍କ ଏମଏସପି ବିରୋଧରେ ପଞ୍ଜାବ-ହରିୟାଣା ସୀମାରେ ଧାରଣା ଦେଉଛନ୍ତି। ତେବେ ଏଥିରେ ଭାଗ ନେଇଥିବା କୃଷକ ନେତା ଜଗଜିତ ସିଂ ଡାଲୱାଲ ନଭେମ୍ବର ୨୬ ରୁ ଆମରଣ ଅନଶନରେ ବସିଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭୟଙ୍କର ଭାବେ ଖରାପ ହୋଇଯିବାରୁ ଏହି ବିରୋଧ ପ୍ରଦର୍ଶନ ଏକ ନୂଆ ମୋଡ଼ ନେଇଛି।

ଧାରଣା ଦେଉଥିବା କୃଷକ ମାନଙ୍କର ମୁଖ୍ୟତଃ ତିନୋଟି ଦାବି ରହିଛି। ଏମଏସପିରେ ସମସ୍ତ ଫସଲ କ୍ରୟ, ସମସ୍ତ କୃଷକଙ୍କ ପାଇଁ ଋଣ ଛାଡ ଏବଂ ୨୦୨୧ ମସିହାରେ ଲାଗୁ ହୋଇଥିବା ଚାଷି ଆଇନ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ସମୟୁକ୍ତ କିସାନ ମୋର୍ଚ୍ଚାର ଦାବି ରହିଛି।