ଭୁବନେଶ୍ୱର,୨୮/୧୧: ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ କରାଯିବ । ବିମାନବନ୍ଦର କ୍ୟାମ୍ପସ୍‌  ପାଖରେ ଏକ ସଭା କରିବେ ମୋଦି । ସେଠାରୁ  ରାଜଭବନ ଯିବେ । ସନ୍ଧ୍ୟା ସାଢ଼େ ୬ଟାରେ  ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ ।  ଦଳୀୟ ଅଫିସରେ ସାଂସଦ ଓ ବିଧାୟକଙ୍କଠାରୁ  ରିପୋର୍ଟ କାର୍ଡ ନେବେ ମୋଦି । ଗତ ୫ ମାସରେ ସେମାନଙ୍କ ପ୍ରଦର୍ଶନ କିଭଳି ରହିଛି, ତାହା ସେ  ପଚାରି ବୁଝିବେ । 

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ  କାର୍ଯ୍ୟାଳୟରେ ଚାଲିଥିବା ପ୍ରସ୍ତୁତିର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ବିଜେପି  ରାଜ୍ୟ ସଭାପତି ମନମୋହନ ସାମଲ । ଭିତ୍ତିଭୂମି  ସୁବିଧା ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।  ତାଙ୍କ ସହିତ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ଏସ୍‌ପିଜିର ଅଧିକାରୀମାନେ  ସାମିଲ ହୋଇ ସୁରକ୍ଷା ବ୍ୟବସ୍ଥାର ତଦାରଖ  କରିଥିଲେ । 

ମୋଦି ବିଜେପି କାର୍ଯ୍ୟାଳୟରେ ପହଞ୍ଚିବା  ପରେ ତାଙ୍କୁ ପାରମ୍ପରିକ ନାଚ ଓ ଗୀତରେ  ସ୍ୱାଗତ କରାଯିବ । କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ  ସହ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ  କରିବେ । ଏହାପରେ ସେ ସାଂସଦ, ବିଧାୟକଙ୍କ  ସହ ଆଲୋଚନା କରିବେ । ରାଜ୍ୟରେ ନୂଆ ସରକାର ଗଢ଼ା ହେବା ପରେ ବିଧାୟକ ନିଜ  ନିର୍ବାଚନମଣ୍ଡଳୀ ପାଇଁ କେଉଁ କେଉଁ କାମକୁ  ପ୍ରାଥମିକତା ଦେଇଛନ୍ତି? ବିଧାୟକ ଭାବେ  ସେମାନଙ୍କ ପ୍ରଦର୍ଶନ କିଭଳି ରହିଛି? ସମସ୍ତେ  ମୋଦିଙ୍କୁ ନିଜ ରିପୋର୍ଟ କାର୍ଡ ଦେବେ । ଅନୁରୂପ  ଭାବେ ସାଂସଦମାନେ ବି ସେମାନଙ୍କ ରିପୋର୍ଟ  କାର୍ଡ ଧରାଇବେ । ଏହାପରେ ସରକାର  କିଭଳି ଆହୁରି ଅଧିକ ଲୋକପ୍ରିୟ ହେବ ଓ  ଦଳୀୟ ସଂଗଠନ କେମିତି ସୁଦୃଢ଼ ହେବ, ତା  ଉପରେ ସାଂସଦ ଓ ବିଧାୟକଙ୍କୁ ମନ୍ତ୍ର ଦେବେ  ପ୍ରଧାନମନ୍ତ୍ରୀ । ଏହାପରେ ଦଳୀୟ ପଦାଧିକାରୀଙ୍କ  ସହ ମଧ୍ୟ ବୈଠକ କରିବେ । ବୈଠକ ପରେ  ଉପସ୍ଥିତ ନେତାଙ୍କ ସହ ମିଶି ରାତ୍ରିଭୋଜନ  କରିବେ ମୋଦି ।  

ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ  ଓଡ଼ିଶା ଦିନକୁ ଦିନ ବିକଶିତ ହେଉଛି । ବିଜେପି  ପ୍ରଥମଥର ପାଇଁ ଏକାକୀ ରାଜ୍ୟରେ ସରକାର  ଗଢ଼ିଛି । ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ୩  ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୨୯ ତାରିଖ  ଦଳୀୟ କାର୍ଯ୍ୟକ୍ରମ ପରେ ୩୦ ତାରିଖରେ ସେ  ପୁଲିସ ଡିଜି ସମ୍ମିଳନୀରେ ଯୋଗ ଦେବେ ।  ୧ ତାରିଖରେ ସେ ଦିଲ୍ଲୀ ଫେରିଯିବେ ।