ପୁରୀ ୨୨/୦୨ (ରାଜଶ୍ରୀ ସାହୁ): ଅଲିଅଳି ରାଜକୁମାରୀ । ଘର, ଜମି, ଅର୍ଥ କିଛି ଅଭାବ ନାହିଁ । ବିଳାସପୂର୍ଣ୍ଣ ଜୀବନ ଜିଇଁବାକୁ ରହିଛି ଅପର୍ଯ୍ୟାପ୍ତ ସୁଯୋଗ । ହେଲେ ଏସବୁର ମୋହ ତାଙ୍କୁ ବାନ୍ଧି ରଖିପାରିନି । ସୌଖୀନ ସ୍ୱପ୍ନକୁ ଏଡାଇ ଦେଇ ସେ ଗୋସେବାକୁ ଆଦରି ଦେଇଛନ୍ତି । ଗୋବର ଉଠାଉଛନ୍ତି, ଗୁହାଳ ସଫା କରୁଛନ୍ତି, ଗାଈଗୋରୁଙ୍କୁ ଖାଦ୍ୟ ଖୁଆଇ ଦେଉଛନ୍ତି । କେବଳ ସେତିକି ନୁହେଁ ରୋଗୀଣା ଗାଈଗୋରୁଙ୍କର ଘା’ରେ ଔଷଧ ଲଗାଇ ଡ୍ରେସିଂ କରିବାଠାରୁ ଗାଈକୁ ଇଞ୍ଜେକ୍ସନ ଦେବା ପର୍ଯ୍ୟନ୍ତ ଗୋମାତାଙ୍କର ସମସ୍ତ ସେବା କରୁଛନ୍ତି । ସୁନ୍ଦରଗଡ଼ ବଣାଇଁର ରାଜକୁମାରୀ ଚିନ୍ମୟୀ ଦେଓ ନୁହେଁ ବରଂ ଜଣେ ଗୋସେବିକା ଭାବେ ସେ ସର୍ବତ୍ର ପରିଚିତ ହେଉଛନ୍ତି । ୧୦ ବର୍ଷରୁ ଊଦ୍ଧ୍ୱର୍ ହେବ ଚିନ୍ମୟୀ ପୁରୀର ବିଭିନ୍ନ ଗୋଶାଳାରେ ରହି ଗାଈଗୋରୁଙ୍କୁ ସମର୍ପିତ ସେବା ଯୋଗାଇ ଦେଉଛନ୍ତି ।

ସାଧାରଣ ବେଶଭୂଷା, ଭଦ୍ର ଆଚରଣ ଓ ଅତ୍ୟନ୍ତ ନମ୍ର ସ୍ୱଭାବ ପଛରେ ଚିନ୍ମୟୀଙ୍କର ଯେ ଜଣେ ରାଜକୁମାରୀର ପରିଚୟ ଲୁଚି ରହିଛି ଏହା ଅଧିକାଂଶ ଲୋକେ ଜାଣନ୍ତି ନାହିଁ । ଚିନ୍ମୟୀଙ୍କ ବାପା ମହାରାଜା ସ୍ୱର୍ଗତ କଦମ୍ବ ବିହାରୀ ଦେଓ ପୂର୍ବତନ ଜିଲ୍ଲା ପରିଷଦ ଥିଲେ । ପିଲାଟି ଦିନରୁ ପରିବାରଠାରୁ ହିଁ ସେ ଗୋ ସେବାର ପ୍ରେରଣା ପାଇଛନ୍ତି । ଚିନ୍ମୟୀ ତାଙ୍କର ଅଜା ତଥା କଳାହାଣ୍ଡିର ରାଜା ଦୁର୍ଗାମାଧବ ସିଂହଦେଓଙ୍କର ୫୮୫ ଏକର ଜମିରେ ପରିବ୍ୟାପ୍ତ ଗୋଶାଳାକୁ ପିଲାଟି ଦିନରୁ ସେବା କରିବାକୁ ଯାଉଥିଲେ । ସେଠାରେ ତାଙ୍କର ମା’ ଉତ୍ପଳା ମଞ୍ଜରୀ ଦେଓ ତାଙ୍କୁ ଗୋସେବା କରିବା ପାଇଁ ଅନୁପ୍ରାଣିତ କରିଥିଲେ । ପରବର୍ତ୍ତୀ ସମୟରେ ଚିନ୍ମୟୀ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଦୀକ୍ଷିତ ହେବା ସହ ପୁରୀର ଗୋବର୍ଦ୍ଧନ ମଠକୁ ନିୟମିତ ଯାତାୟାତ ଜାରି ରଖିଲେ । ପୁରୀରେ ବଣାଇଁ ରାଜାଙ୍କ ପାଇଁ ଥିବା ସ୍ୱର୍ଗଦ୍ୱାର ନିକଟସ୍ଥ ରାଜପ୍ରାସାଦରେ ଚିନ୍ମୟୀ ରହିବା ସହ ଏଠାର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ତାଙ୍କର ସ୍ନାତକ ଶିକ୍ଷା ଶେଷ କରିଥିଲେ । ଗୋବର୍ଦ୍ଧନ ମଠକୁ ଯାତାୟାତ ସମୟରେ ସେ ସେଠାରେ ଥିବା ଗାଈଗୋରୁଙ୍କ ସେବା କରି ସମସ୍ତଙ୍କ ପ୍ରିୟପାତ୍ରୀ ହୋଇପାରିଥିଲେ।

୨୦୧୩ ମସିହାରେ ଗୋବର୍ଦ୍ଧନ ମଠରେ କର୍କଟ ରୋଗରେ ପୀଡ଼ିତ ଜଣେ ଗୋ ମାତାଙ୍କୁ ସୁସ୍ଥ କରିବା ଜିଦ୍‌ରେ ସେ ଅନେକ ଗୋ-ଚିକିତ୍ସକ ଏବଂ ଗୋ-ସେବକଙ୍କ ସଂସ୍ପର୍ଶରେ ଆସିଲେ । ଅନେକ ସଂଘର୍ଷ ପରେ ମଧ୍ୟ କର୍କଟ ରୋଗରେ ପୀଡ଼ିତ ଉକ୍ତ ଗାଈକୁ ଚିନ୍ମୟୀ ବଞ୍ଚାଇ ପାରିନଥିଲେ, ହେଲେ ଏଠାରୁ ହିଁ ସେ ଜଣେ ନିଷ୍ଠାପର ଗୋ ସେବିକାର ପରିଚୟ ପାଇ ଇତିମଧ୍ୟରେ ହଜାର ହଜାର ରୋଗିଣା ଗାଈଙ୍କ ଜୀବନ ବଞ୍ଚାଇପାରିଛନ୍ତି । ପରବର୍ତ୍ତୀ ସମୟରେ ଚିନ୍ମୟୀ ପ୍ରଜ୍ଞାନାନନ୍ଦ ମହାରାଜଙ୍କୁ ଭେଟି ପୁରୀସ୍ଥିତ ତାଙ୍କ ଆଶ୍ରମରେ ଥିବା ଗୋଶାଳାକୁ ଯିବା ସହ ପୁରୀର ଅନ୍ୟାନ୍ୟ ଗୋଶାଳାକୁ ମଧ୍ୟ ଗାଈଗୋରୁଙ୍କ ସେବା କରିବାକୁ ଯାଇଥିଲେ ।

୨୦୧୭ରେ ପୁରୀ ବଡ଼ଶଙ୍ଖ ବାଘଆଖଡ଼ା ମଠରେ ଖୋଲିଥିଲା ଓଡ଼ିଶାର ପ୍ରଥମ ନିଃଶୁଳ୍କ ଗୋ ଚିକିତ୍ସାଳୟ ‘ଶ୍ରୀଜଗନ୍ନାଥ ଗୋସେବା ସଂସ୍ଥାନମ୍’ । ଚିନ୍ମୟୀ ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିୟମିତ ଏଠାରେ ରହି ଗୋରୁଗାଈଙ୍କ ସେବା କରିଆସୁଛନ୍ତି । ଦୁର୍ଘଟଣା ପରେ ଗୋରୁଗାଈ ଆସି ଏଠାରେ ଚିକିତ୍ସା ହେଉଛନ୍ତି । ଅନେକ ଗୋରୁ କଂସେଇଖାନାରୁ ଉଦ୍ଧାର ହେବା ପରେ ମଧ୍ୟ ଏଠାକୁ ଆସୁଛନ୍ତି । ପାଖାପାଖି ୫୦ଟି ଗାଈ ଏଠାରେ ଚିକିତ୍ସିତ ହେଉଛନ୍ତି । ଗୁହାଳର ସମସ୍ତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ । ଗୁହାଳ ସଫାଠାରୁ ଗୋବର ଉଠା ଏପରିକି କ୍ଷତାକ୍ତ ଗୋରୁଙ୍କ ରକ୍ତପୂଜ ସଫା କରିବା, ସେଥିରେ ଔଷଧ ଲଗାଇଦେବା, ସେମାନଙ୍କୁ ଔଷଧ ଖୁଆଇଦେବା, ଇଞ୍ଜେକ୍ସନ ଦେବା ସବୁ କାର୍ଯ୍ୟ ଚିନ୍ମୟୀ କରୁଛନ୍ତି । ଜଣେ ଗୋ-ଚିକିତ୍ସକ ନିୟମିତ ଭାବେ ଏଠାକୁ ଆସି ଅସୁସ୍ଥ ଗାଈଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ।

ଆହୁରି ପଢ଼ନ୍ତୁ :- ସମାଜ ସଂସ୍କାରରେ ମଧୁସ୍ମିତା : ନିଶା ଓ ଅନ୍ଧବିଶ୍ୱାସ ବିରୋଧରେ ଉଠାଉଛନ୍ତି ସ୍ଵର, ୪୦ ମଞ୍ଚ ନାଟକରେ ଦେଇଛନ୍ତି ନିର୍ଦ୍ଦେଶନା

ଗାଈମାନଙ୍କ ସେବା କରିବା ପାଇଁ ଚିନ୍ମୟୀ ସ୍ୱତନ୍ତ୍ର ଭାବେ ତାଲିମ ନେଇଥିବା କହିଛନ୍ତି । ଚିନ୍ମୟୀଙ୍କୁ ଏବେ ୪୦ ବର୍ଷ । ବିବାହ ନ କରି ଗୋସେବାରେ ସେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଛନ୍ତି । କେବଳ ଗୋସେବା ନୁହେଁ ବୁଲା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ସେ ଜୀବନଦାତ୍ରୀ ଭାବେ ପରିଚିତ । ଚିନ୍ମୟୀ କହିଛନ୍ତି, ସେ ସବୁଆଡ଼େ ଚାଲିଚାଲି ଯାଇଥାନ୍ତି । ଏହାଦ୍ୱାରା ରାସ୍ତାରେ ଥିବା ଅବହେଳିତ ପଶୁପକ୍ଷୀଙ୍କ ଉପରେ ତାଙ୍କର ନଜର ପଡେ ଏବଂ ସେ ସେମାନଙ୍କୁ ଖାଦ୍ୟ ଖୁଆଇବା ସହ ସେବା କରନ୍ତି । କରୋନା ସମୟରେ ପୁରୀର ସାହି ଗଳି ବୁଲି କୁକୁର ଓ ଗାଈଗୋରୁଙ୍କୁ ସେ ଖାଦ୍ୟ ଖୁଆଉଥିଲେ । ତାଙ୍କର ସମ୍ପୂର୍ଣ୍ଣ ଜୀବନ ସେ ଗୋସେବାରେ ଉତ୍ସର୍ଗ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଏବେ ସେ କେବଳ ନୂଆଁଖାଇ, କୁମାରୀ ପୂଜା ଭଳି ବିଶେଷ ପର୍ବରେ ନିଜର ବଣାଇଁ ରାଜପ୍ରାସାଦକୁ ଯାଉଛନ୍ତି । ନିଜ ଜନ୍ମଭୂମିରେ ଅବହେଳିତ ଗାଈଗୋରୁଙ୍କ ଉଦ୍ଦେଶ୍ୟରେ ଏଭଳି କିଛି କରିବାର ଲକ୍ଷ୍ୟ ରଖିଥିବା ମଧ୍ୟ ସେ କହିଛନ୍ତି ।