ବହୁଭାଷୀ ଦେଶ ଭାରତରେ ଭାଷାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ବିଦ୍ୟାଳୟରେ ତ୍ରିଭାଷୀ ଶିକ୍ଷା ହେଉ ବା ମାତୃଭାଷାରେ ଉଚ୍ଚଶିକ୍ଷା ହେଉ, ଏସବୁକୁ ନେଇ ସବୁବେଳେ ଆଲୋଚନା କରାଯାଉଛି । ପୁଣି ଭାଷାବିତ୍ମାନେ ଭାଷାର ପ୍ରାଚୀନତା, ଶାସ୍ତ୍ରୀୟତା ଉପରେ ଅଧ୍ୟୟନ ଓ ଗବେଷଣା କରୁଛନ୍ତି । ଭାଷାଭିତ୍ତିରେ ଗଠିତ ରାଜ୍ୟ ଓଡ଼ିଶାରେ ଉତ୍କଳ ଦିବସ ବା ଓଡ଼ିଶା ଦିବସରେ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଅତୀତରେ କରାଯାଇଥିବା ଆନ୍ଦୋଳନ, ବରପୁତ୍ରମାନଙ୍କର ଅବଦାନ ଉପରେ ଆଲୋକପାତ କରାଯାଏ । ଭାଷାକୁ ନେଇ ସମସ୍ତେ ଆବେଗପ୍ରବଣ । ତେଣୁ ଏହା ଉପରେ ବହୁ ସମୟରେ ତର୍କ-ବିତର୍କ ମଧ୍ୟ ହୋଇଥାଏ । ତେବେ ଆଜି ଆମର ଆଲୋଚନାରେ ଭାଷାର ଏସବୁ ଦିଗକୁ ନେଇ କୌଣସି ଚର୍ଚ୍ଚା କରାଯିବନାହିଁ । ଏହି ଲେଖାର ବିଷୟବସ୍ତୁ ସମ୍ପୂର୍ଣ୍ଣ ଭିନ୍ନ । "ଅନିଶ୍ଚୟତା, ସମ୍ଭାବନା' ଓ "ଏକାଧିକ ଅବସ୍ଥାର ସହାବସ୍ଥାନ'- କ୍ୱାଣ୍ଟମ ପଦାର୍ଥବିଜ୍ଞାନର ଏମିତି କିଛି ମୌଳିକ ଧାରଣାକୁ ଭାଷାତତ୍ତ୍ୱରେ ବ୍ୟବହାର କରାଯାଇ ଭାଷାର ଅର୍ଥ ଓ ମାନବ ଚିନ୍ତାର ଜଟିଳତାକୁ ବର୍ତ୍ତମାନ ବୁଝିବାର ପ୍ରୟାସ କରାଯାଉଛି । ଅର୍ଥାତ୍ କ୍ୱାଣ୍ଟମ ପଦାର୍ଥବିଜ୍ଞାନ ଓ ଭାଷାତତ୍ତ୍ୱର ଧାରଣାର ଅଭିନବ ସମନ୍ୱୟରେ ଏବେ ଏକ ନୂଆ ଉଦୀୟମାନ ବିଷୟକୁ ନେଇ ଗବେଷଣା ଆରମ୍ଭ ହୋଇଛି, ଯାହା "କ୍ୱାଣ୍ଟମ ଭାଷାତତ୍ତ୍ୱ' ନାମରେ ପରିଚିତ ।

ମାନବର ଚିନ୍ତା ଭାବନା ଓ ଜ୍ଞାନ ପ୍ରକାଶର ପ୍ରମୁଖ ମାଧ୍ୟମ ଭାଷା । ଭାଷାର ଅର୍ଥ କ'ଣ ସବୁବେଳେ ସମାନ? ଗୋଟିଏ ଶବ୍ଦ କିମ୍ବା ବାକ୍ୟ କ'ଣ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ପରିସ୍ଥିତିରେ ଭିନ୍ନ ଅର୍ଥ ବ୍ୟକ୍ତ କରେନାହିଁ? ଏହିସବୁ ପ୍ରଶ୍ନର ଉତ୍ତର "କ୍ୱାଣ୍ଟମ ଭାଷାତତ୍ତ୍ୱ'ରେ ଅନୁସନ୍ଧାନ କରାଯାଇଥାଏ । ଭାଷା ସବୁବେଳେ ସରଳ ଓ ସିଧା ନୁହେଁ । ଆମେ ଯାହା କହିବାକୁ ଚାହୁଁ, ତାହା ଯେମିତି ସିଧାସଳଖ ପ୍ରକାଶ କରୁନା, ସେମିତି ଭାଷା ବହୁ ଅର୍ଥର ସମ୍ଭାବନାରେ ପୂର୍ଣ୍ଣ । "ମୁଁ ଭଲ ଅଛି' ଗୋଟିଏ ସରଳ ବାକ୍ୟ । ଏହି ବାକ୍ୟ କ'ଣ କେବଳ ତା'ର ବସ୍ତୁନିଷ୍ଠ ଅର୍ଥ ହିଁ ବହନ କରେ? ନା, ଏହା ବହୁବିଧ ଭାବ ପ୍ରକାଶ କରିପାରେ ।

ଯେମିତି ଆଶ୍ୱସ୍ତିକରଣ, କଷ୍ଟ ଲୁଚେଇବା କିମ୍ବା ଏଡ଼ାଇଯିବାର ଇଙ୍ଗିତ ଦେଇଥାଇପାରେ । ସବୁକିଛି ନିର୍ଭର କରେ କିଏ ଶୁଣୁଛି, କେଉଁ ପ୍ରସଙ୍ଗରେ କୁହାହେଉଛି, କହିବାର ସ୍ୱର ବା ଟୋନ୍ କେମିତି ତାହା ଉପରେ । ଠିକ୍ ଯେମିତି "କ୍ୱାଣ୍ଟମ ପଦାର୍ଥବିଜ୍ଞାନ'ରେ ପରିମାପ ନକରିବାଯାଏଁ ଗୋଟିଏ କଣିକାର ନିଖୁଣ ଅବସ୍ଥାନ ନିର୍ଦ୍ଧାରଣ କରିହୁଏନାହିଁ, ସେମିତି ଭାଷାର ଅର୍ଥ ମଧ୍ୟ ଥାଏ "ସୁପାରପଜିସନ' ଅବସ୍ଥାରେ । ଭାଷା କେବଳ ବିଶ୍ଳେଷଣର ବିଷୟ ନୁହେଁ, ଏହାର ମଡେଲ କରାଯାଏ, ପରୀକ୍ଷଣ କରାଯାଏ, ପର୍ଯ୍ୟବେକ୍ଷଣ କରାଯାଏ । "କ୍ୱାଣ୍ଟମ ଭାଷାତତ୍ତ୍ୱ'ରେ ବିଜ୍ଞାନ, ଗଣିତ ଓ କମ୍ପ୍ୟୁଟେସନ ସାହାଯ୍ୟରେ ଶବ୍ଦ କିପରି ବିଭିନ୍ନ ଅର୍ଥ ବହନ କରିଥାଏ ଓ ପ୍ରେକ୍ଷିତ କେମିତି ଶବ୍ଦ ବା ବାକ୍ୟର ଅର୍ଥକୁ ସୁନିର୍ଦ୍ଦିଷ୍ଟ କରେ, ସେ ବିଷୟରେ ଗବେଷଣା ହୋଇଥାଏ ।

ବିଜ୍ଞାନଜଗତରେ ସବୁଠୁ ରହସ୍ୟମୟ ପ୍ରାଣୀ ବୋଧହୁଏ "ଶ୍ରୋଡିଙ୍ଗରଙ୍କ ବିଲେଇ' । ୧୯୩୫ରେ ଅଷ୍ଟ୍ରିଆନ ପଦାର୍ଥବିଜ୍ଞାନୀ ଆରଉଇନ ଶ୍ରୋଡିଙ୍ଗର ଗୋଟିଏ କାଳ୍ପନିକ ପରୀକ୍ଷଣର କଥା କହିଥିଲେ, ଏଥିରେ ଗୋଟିଏ ଆବଦ୍ଧ ବାକ୍ସ ଭିତରେ ବନ୍ଦୀ ଥିବା ବିଲେଇଟି ଏକାଠି ଜୀବିତ ଓ ମୃତ ଅବସ୍ଥାରେ ରହିପାରେ । ବାକ୍ସଟି ଖୋଲା ନହେବାଯାଏଁ ବିଲେଇଟି ଏହି ଦୁଇ ବିପରୀତ ଅବସ୍ଥାର ଏକ ସହାବସ୍ଥାନ ବା ସୁପାରପଜିସନ ଅବସ୍ଥାରେ ଥାଏ । ଦୃଶ୍ୟ ଜଗତରେ ଏହା ଅସମ୍ଭବ ମନେହୁଏ, ମାତ୍ର ପାରମାଣବିକ କଣିକା ବା କ୍ୱାଣ୍ଟମ ଜଗତରେ ଏହାହିଁ ଚରମ ସତ୍ୟ । ଏବେ ପ୍ରଶ୍ନ ହେଲା, ବିଜ୍ଞାନର ଏହି ଜଟିଳ କୁହୁକ କ'ଣ କେବଳ ପଦାର୍ଥବିଜ୍ଞାନର ପରୀକ୍ଷାଗାରରେ ବା ସମୀକରଣରେ ସୀମାବଦ୍ଧ? ଏହାର ଉତ୍ତର ନା । ଏହି ଲେଖାଟି ପଢ଼ିବାବେଳେ ପାଠକଙ୍କ ମନରେ ମଧ୍ୟ ଶବ୍ଦର ଅର୍ଥଗୁଡ଼ିକ ଠିକ୍ "ଶ୍ରୋଡିଙ୍ଗରଙ୍କ ବିଲେଇ' ପରି ଆଚରଣ କରୁଛି । ଆଉ ଏହିଭଳି ଭାବେ ଉଦ୍ଭବ ହୋଇଛି "କ୍ୱାଣ୍ଟମ ଭାଷାତତ୍ତ୍ୱ' ।

ଭାଷା କ'ଣ ଏକ କ୍ୱାଣ୍ଟମ ସିଷ୍ଟେମ? କ୍ୱାଣ୍ଟମ ଭାଷାତତ୍ତ୍ୱରେ ଶବ୍ଦ ଓ ବାକ୍ୟଗୁଡ଼ିକ "କ୍ୱାଣ୍ଟମ କଣିକା' ଭଳି ଆଚରଣ କରିଥାଏ । ଏହା ଏକାଧିକ ସମ୍ଭାବ୍ୟ ଅବସ୍ଥାରେ ବିଦ୍ୟମାନ ଥାଏ ଯେଯାଏଁ କୌଣସି ସଚେତନ ଶ୍ରୋତା (ପର୍ଯ୍ୟବେକ୍ଷକ) ଏହା ଶୁଣନ୍ତି (ପରିମାପ କରନ୍ତି) । ଯେମିତି ଇଂରାଜୀ "ରାନ' ଶବ୍ଦ ଶାରୀରିକ ଗତିଶୀଳତା (ଦୌଡ଼ିବା) ବା କମ୍ପାନି ପରିଚାଳନା (ଚଳାଇବା) ଅର୍ଥ ବହନ କରିପାରେ । ଏ ଦୁଇଟିଯାକ ଅର୍ଥ ସମ୍ଭାବ୍ୟ, ତେବେ ପ୍ରେକ୍ଷିତ ବା ପ୍ରସଙ୍ଗ ଭିତ୍ତିରେ ଏହାର ଅର୍ଥ ନିର୍ଦ୍ଦିଷ୍ଟ ହୁଏ (ବିଜ୍ଞାନ ଭାଷାରେ ଏକ ନିର୍ଦ୍ଦିଷ୍ଟ ଅର୍ଥରେ କଲାପ୍ସ କରେ) । ବାକ୍ୟର ଗଠନ ମଧ୍ୟ ସ୍ଥିର ନୁହେଁ । ଯେମିତି ଓଡ଼ିଆରେ ବାକ୍ୟଟିଏ ହୋଇପାରେ "ମୁଁ ଭାତ ଖାଏ'(କର୍ତ୍ତା-କର୍ମ-କ୍ରିୟା) ବା "ଭାତ ମୁଁ ଖାଏ'(କର୍ମକର୍ତ୍ତା-କ୍ରିୟା) । ଦୁଇଟିଯାକ ରୂପ ଏକାଠି ସମ୍ଭାବ୍ୟ ଅବସ୍ଥାରେ ଥାଏ ଓ ପ୍ରେକ୍ଷାପଟ ନିର୍ଦ୍ଧାରଣ କରିଥାଏ କେଉଁଟି ଧସେଇଯିବ। ସିନଟାକ୍ସ (ଶବ୍ଦ ବିନ୍ୟାସ) ଜଟିଳଭାବେ ସଂଯୁକ୍ତ– ଗୋଟିଏ ଶବ୍ଦର ଅର୍ଥ ପରିବର୍ତ୍ତନ ଅନ୍ୟ ଶବ୍ଦର ଅର୍ଥକୁ ପ୍ରଭାବିତ କରିପାରେ, ଠିକ୍ ଯେମିତି କ୍ୱାଣ୍ଟମ ଜଗତରେ ଦୁଇଟି କଣିକା ଗୋଟିଏ ଅପରଟିକୁ ପ୍ରଭାବିତ କରିଥାଏ । ତେଣୁ ଭାଷା କ'ଣ କେବଳ ନିୟମ ଓ ଗଠନ(ସଂରଚନା) ଭିତରେ ସୀମାବଦ୍ଧ? ଏହାର ଉତ୍ତର- ନା । "କୃଷ୍ଣଗହ୍ୱର' (ବ୍ଲାକହୋଲ) ଆଲୋକକୁ ଆକର୍ଷଣ କରେନାହିଁ । ଏହା ତା'ର ଚାରିପାଖର ସ୍ଥାନ- କାଳକୁ ଏପରି ବକ୍ର କରିଦିଏ ଯେ ଆଲୋକ ସେହି ବଙ୍କା ପଥରେ ଚାଲେ ଆଉ ବାହାରକୁ ଫେରିପାରେ ନାହିଁ। ସେହିପରି ଭାଷା ଓ ଅର୍ଥ କୌଣସି ସ୍ଥିର ପଥ ଅନୁସରଣ କରେନାହିଁ । ଯେତେବେଳେ ଏକ ବାକ୍ୟ ଉଚ୍ଚାରିତ ହୁଏ, ତା'ର ଅର୍ଥ ସେହି ପ୍ରସଙ୍ଗ ଓ ଶ୍ରୋତାର ମାନସିକତା ସହିତ ମିଶି କଲାପ୍ସ କରେ । ପାଠକ ବା ଶ୍ରୋତାର ଜ୍ଞାନ, ଅଭିଜ୍ଞତା ଓ ପରିସ୍ଥିତି ଅର୍ଥକୁ ନିର୍ଦ୍ଦିଷ୍ଟ କରେ ।

ଆଉ ଗୋଟିଏ ଇଂରାଜୀ ଶବ୍ଦ "ବାଟ୍' ବିଚାର କରାଯାଉ । ଏହା ହୋଇପାରେ ଏକ ସ୍ତନ୍ୟପାୟୀ ପ୍ରାଣୀ ବାଦୁଡ଼ି ବା ଖେଳର ସରଞ୍ଜାମ ବ୍ୟାଟ୍ । ଶବ୍ଦଟି ଏକସଙ୍ଗେ ଏକାଧିକ ଅର୍ଥ ବହନ କରିଥାଏ ଓ ପ୍ରତ୍ୟେକ ସମ୍ଭାବ୍ୟ ଅର୍ଥର ସମ୍ଭାବନା (ପ୍ରବାବିଲିଟି) ଭିନ୍ନ । ଶ୍ରୋତା ଯେତେବେଳେ ବାକ୍ୟଟି ଶୁଣେ, ସେତେବେଳେ ତା'ର ମସ୍ତିଷ୍କ ସେହି ଅର୍ଥର ସମ୍ଭାବନା ଭିତରୁ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥକୁ କଲାପ୍ସ କରେ । ଯେମିତି ମୁଁ ବ୍ୟାଟ ନେଇ ଖେଳିବାକୁ ଯାଉଛି । ଏଠାରେ ସ୍ପଷ୍ଟଭାବେ ବୁଝାଗଲା ବ୍ୟାଟ ହେଉଛି ଖେଳର ସରଞ୍ଜାମ । ଆଉ ଯଦି କୁହାଯାଏ ରାତି ଆକାଶରେ ବ୍ୟାଟ ଉଡ଼ୁଛି, ସେତେବେଳେ ଅର୍ଥ ହୁଏ ସମ୍ପୂ୍ର୍ଣ୍ଣ ଭିନ୍ନ । ଏହି ଦୃଷ୍ଟାନ୍ତ ଦର୍ଶାଏ ଯେ, ଭାଷା ହେଉଛି ପର୍ଯ୍ୟବେକ୍ଷକ ନିର୍ଭର । ଅର୍ଥ ନିର୍ଭର କରିଥାଏ କିଏ ଶୁଣୁଛି ଓ କେଉଁ ପ୍ରସଙ୍ଗରେ କୁହାଯାଉଛି ତାହା ଉପରେ । ଗୋଟିଏ ବାକ୍ୟ ଭିନ୍ନ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭିନ୍ନ ଅର୍ଥ ବହନ କରିପାରେ ।

କ୍ୱାଣ୍ଟମ ଜଗତର ଆଉ ଏକ ଅଦ୍ଭୁତ ବୈଶିଷ୍ଟ୍ୟ ହେଲା "ଏନଟାଙ୍ଗେଲମେଣ୍ଟ', ଯାହାକୁ କୁହାଯାଇପାରେ "କ୍ୱାଣ୍ଟମ ଆସକ୍ତି' । ଦୁଇଟି କଣିକା ଯଦି ଏନଟାଙ୍ଗେଲଡ ହୁଏ, ତେବେ ଗୋଟିଏର ଅବସ୍ଥାର ପରିବର୍ତ୍ତନ କଲେ ମୁହୂର୍ତ୍ତ ମଧ୍ୟରେ ଅନ୍ୟଟିର ଅବସ୍ଥାର ପରିବର୍ତ୍ତନ ହୁଏ, ସେଗୁଡ଼ିକ ଯେତେ ଦୂରରେ ଥାଉ ନା କାହିଁକି । ଆଇନଷ୍ଟାଇନ ଏହାକୁ କହିଥିଲେ "ଅଦ୍ଭୁତ ଦୂର ସଂଯୋଗ କ୍ରିୟା' (spooky action at a distance)। ଭାଷାର ବ୍ୟାକରଣରେ କ'ଣ ଏପରି ଘଟିଥାଏ? ଏକ ଦୃଷ୍ଟାନ୍ତ ନିଆଯାଉ । "ମୁଁ ବହି ପଢ଼ୁଛି' ଓ "ତୁମେ ବହି ପଢ଼ୁଛ' । ଏଠାରେ "ମୁଁ' ରୁ ଯେଉଁ ମୁହୂର୍ତ୍ତରେ "ତୁମେ'ରେ ପରିବର୍ତ୍ତନ କରାଗଲା, ବାକ୍ୟ ଶେଷର ପଢ଼ୁଛି କ୍ରିୟାଟିର ରୂପ ମଧ୍ୟ ବଦଳିଗଲା । ଏଠାରେ କର୍ତ୍ତା ଓ କ୍ରିୟା ଯେମିତି ଅଦୃଶ୍ୟ ସୂତାରେ ବନ୍ଧା ବା ଏନଟାଙ୍ଗେଲଡ । ଗୋଟିକର ପରିବର୍ତ୍ତନ ହେଲେ ଅନ୍ୟଟିର ଅନିବାର୍ଯ୍ୟ ରୂପାନ୍ତର ହେଉଛି । ଏହା ବୁଝାଏ ଯେ, ଭାଷାର ଅଂଶଗୁଡ଼ିକ ସ୍ୱାଧୀନ ନୁହେଁ । ଏହା କେବଳ ବାକ୍ୟତତ୍ତ୍ୱରେ ସୀମିତ ନୁହେଁ, ଅର୍ଥତତ୍ତ୍ୱରେ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ । ଯେମିତି "ମୁଁ ଭଲ ଅଛି' କଥାଟିର ଟୋନ, ପ୍ରସଙ୍ଗ ଓ ଶବ୍ଦ ଉପରେ ଭିତ୍ତିକରି ଏହାର ଅର୍ଥ ଯେକୌଣସି ମୁହୂର୍ତ୍ତରେ ପରିବର୍ତ୍ତିତ ହୋଇପାରେ ।

"ହାଇଜେନବର୍ଗଙ୍କ ଅନିଶ୍ଚୟତା ନୀତି' ଅନୁସାରେ, ଯେକୌଣସି କଣିକାର "ଅବସ୍ଥିତି' ଓ "ସମ୍ବେଗ' ଏକସଙ୍ଗେ ନିଖୁଣଭାବେ ଜାଣିବା ସମ୍ଭବ ନୁହେଁ । ଭାଷାତତ୍ତ୍ୱରେ କ'ଣ ଏପରି କୌଣସି ବାଧକ ଅଛି? ଗବେଷକମାନେ କହୁଛନ୍ତି ଅଛି । ଶବ୍ଦର ଅର୍ଥ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିଥାଏ ଏକଧରଣର "ଅନିଶ୍ଚୟତା ନୀତି' । ଗୋଟିଏ ଶବ୍ଦର ଆକ୍ଷରିକ ଅର୍ଥ ଯେତେ ନିଖୁଣ ଭାବେ ସଂଜ୍ଞାୟିତ କରାଯିବ, ତା’ ଭିତରର ରୂପକ ଆବହ ସେଇ ମାତ୍ରାରେ ଫିକା ହେବ ।

କବି ଯେବେ କବିତା ଲେଖନ୍ତି ସେମାନେ ଶବ୍ଦ ଅର୍ଥର ଏହି ନମନୀୟତା ବା ଅନିଶ୍ଚୟତାକୁ ବ୍ୟବହାର କରନ୍ତି । ଗୋଟିଏ ବିଦ୍ରୂପାତ୍ମକ ବାକ୍ୟର ଅର୍ଥ ଅଭିଧାନ ଦେଇ ନିଖୁଣଭାବେ ବୁଝି ହୁଏନାହିଁ । କାରଣ ସେଠି ଅର୍ଥ ଓ ଭାବାବେଗ ଗୋଟିଏ ଅନ୍ୟଟିର ପରିପୂରକ ଭାବେ ଅନିଶ୍ଚୟତାର ମେଘ ତିଆରି କରିଥାଏ । ଅର୍ଥାତ୍, ଶବ୍ଦର ଅର୍ଥକୁ ପୂରାପୂରି ନିର୍ଦ୍ଦିଷ୍ଟ କରିବାକୁ ଚାହିଁଲେ, ତା'ର ଇମୋଶନ ବା ପ୍ରସଙ୍ଗର ସୂକ୍ଷ୍ମତା ହଜିଯାଏ । ଆଉ ଫ୍ଲେକ୍ସିବିଲିଟି ରଖିବାକୁ ଚାହିଁଲେ ନିର୍ଦ୍ଦିଷ୍ଟ ଅର୍ଥ କିଛିମାତ୍ରାରେ ଅସ୍ପଷ୍ଟ ହୋଇପଡ଼େ ।

"କୃଷ୍ଣଗହ୍ୱର' ଗବେଷଣାରୁ ଯେପରି ଜଣାପଡ଼ିଛି ଯେ ମାଧ୍ୟାକର୍ଷଣ କେବଳ ଟାଣେନାହିଁ, ବରଂ ବକ୍ରପଥ ତିଆରି କରେ, ସେମିତି କ୍ୱାଣ୍ଟମ ଭାଷାତତ୍ତ୍ୱ ଶିଖାଏ ଯେ ଭାଷା କେବଳ ବୁଝାଏନାହିଁ, ବରଂ ପ୍ରସଙ୍ଗ, ପର୍ଯ୍ୟବେକ୍ଷକ ଓ ସମ୍ଭାବନାର ଭିତର ଦେଇ ଅର୍ଥକୁ ରୂପାୟିତ କରେ । ବାକ୍ୟ, ଶବ୍ଦ ଓ ଅର୍ଥ ସବୁକିଛି ଏକ ସମ୍ଭାବନାର କ୍ଷେତ୍ର ।

ଭାଷା କେବଳ ଶବ୍ଦର ସମାହାର ନୁହେଁ, ଏହା ଏକ ଚଳମାନ ସମ୍ଭାବନାର ଜଗତ, ଯେଉଁଠି ପ୍ରେକ୍ଷାପଟ, ନିରବତା, ଉଦ୍ଦେଶ୍ୟ ଓ ବ୍ୟାଖ୍ୟାର ପାରସ୍ପରିକ ସଂଘାତରେ ଅର୍ଥ ଜନ୍ମ ନିଏ । ପ୍ରଚଳିତ ଭାଷାତତ୍ତ୍ୱ ଭାଷାକୁ ପ୍ରାୟ ସ୍ଥିର ଗଠନ ଓ ନିର୍ଦ୍ଦିଷ୍ଟ ଅର୍ଥ ଭିତରେ ଆବଦ୍ଧ କରିଥାଏ । କିନ୍ତୁ ବାସ୍ତବରେ ଆମେ ଦେଖୁ, ଗୋଟିଏ ବାକ୍ୟ ଏକସଙ୍ଗେ ଏକାଧିକ ଅର୍ଥ ବହନ କରିପାରେ ଓ ସେହି ଅନ୍ତିମ ଅର୍ଥ ନିର୍ଦ୍ଧାରିତ ହୁଏ ଶ୍ରୋତାର ଶୁଣିବା ମୁହୂର୍ତ୍ତରେ । ଭାଷାର ଏହି ଅନିଶ୍ଚୟତା, ବହୁସ୍ତର ଓ ପର୍ଯ୍ୟବେକ୍ଷଣ-ନିର୍ଭର ପ୍ରକୃତି ବ୍ୟାଖ୍ୟାର ପ୍ରୟାସ କ୍ୱାଣ୍ଟମ ଭାଷାବିଦ୍ୟାରେ କରାଯାଏ । ଭାଷା କେବଳ ନିୟମର ସମାହାର ନୁହେଁ, ଏହା ଏକ ସଚଳ, ପରିବର୍ତ୍ତନଶୀଳ ଓ ପ୍ରେକ୍ଷିତନିର୍ଭର ବ୍ୟବସ୍ଥା ।

ବର୍ତ୍ତମାନ "କୃତ୍ରିମ ବୁଦ୍ଧି' (ଏ.ଆଇ.) ଓ "ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ' (ନେଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ)ରେ ଅସ୍ପଷ୍ଟ ବାକ୍ୟ ବୁଝିବା, ପ୍ରସଙ୍ଗଭିତ୍ତିକ ଉତ୍ତର ଦେବା ଓ ଉନ୍ନତ ଅନୁବାଦ ବ୍ୟବସ୍ଥା ତିଆରି କରିବା ଦିଗରେ ଏହି କ୍ୱାଣ୍ଟମ ଧାରଣା ବ୍ୟବହାର କରାଯାଉଛି । "ତଥ୍ୟ ଅନୁସନ୍ଧାନ' (ସାର୍ଚ ଇଞ୍ଜିନ)ରେ ଏହା ସାହାଯ୍ୟରେ କେବଳ ଶବ୍ଦର ଅର୍ଥ ନୁହେଁ, ବରଂ ବ୍ୟବହାର କରୁଥିବା ବ୍ୟକ୍ତିର ଅଭିପ୍ରାୟ ବୁଝି ତଥ୍ୟ ପ୍ରଦାନ କରିବା ସମ୍ଭବ ହେଉଛି ।

ତେବେ ଏଯାଏଁ ପୂର୍ଣ୍ଣ ବୈଜ୍ଞାନିକ ତତ୍ତ୍ୱ ରୂପେ କ୍ୱାଣ୍ଟମ ଭାଷାତତ୍ତ୍ୱ ପ୍ରତିଷ୍ଠିତ ନୁହେଁ । ବାସ୍ତବ କ୍ୱାଣ୍ଟମ ନିୟମ ସିଧାସଳଖ ଭାଷାରେ ପ୍ରଯୁଜ୍ୟ କି ନୁହେଁ ସେ ନେଇ ବିତର୍କ ରହିଛି । ଶେଷରେ କହିରଖେ ଭାଷାତତ୍ତ୍ୱ ମୁଁ ଜାଣେନାହିଁ, ପଦାର୍ଥବିଜ୍ଞାନ ମୋର ବିଷୟ । ବିଭିନ୍ନ ୱେବସାଇଟରେ ଉପଲବ୍ଧ "କ୍ୱାଣ୍ଟମ ଲିଙ୍ଗୁଷ୍ଟିକ' ଉପରେ ପ୍ରକାଶିତ ଆଲୋଚନାକୁ ନେଇ ଏହା ଲେଖାଯାଇଛ