ରାଉରକେଲା,୧୧/୬ : ଉଚ୍ଚଶିକ୍ଷିତା ଥିବା ସତ୍ତ୍ଵେ ସନ୍ତୋଷଜନକ ନିଯୁକ୍ତି ନପାଇ ଅଧିକାଂଶ ମହିଳା ଘରର ଚାରି କାନ୍ଥ ଭିତରେ ପେଶୀ ହେଉଛନ୍ତି । ନିର୍ଯାତିତା ହେଉଥିବା ନେଇ ମଧ୍ୟ ବହୁ ନଜିର ରହିଛି । ତେବେ, ସମାଜରେ ଏଭଳି ମହିଳା ମଧ୍ୟ ଅଛନ୍ତି, ଯେଉଁମାନେ ନିଜର ନିଷ୍ଠା, ଆତ୍ମବିଶ୍ୱାସ ବଳରେ ସ୍ୱାବଲମ୍ବୀ ହୋଇ ଅନ୍ୟପାଇଁ ପ୍ରେରଣା ପାଲଟୁଛନ୍ତି । ସେହିପରି ଜଣେ ମହିଳା ପ୍ରୀତି । ଉଚ୍ଚ ଶିକ୍ଷିତା ହୋଇନଥିବା ସତ୍ତ୍ଵେ କିଛି କରିବାର ସଂକଳ୍ପ ନେଇ ଆତ୍ମନିର୍ଭରଶୀଳ ମଧ୍ୟ ହୋଇ ପାରିଛନ୍ତି । କେବଳ ସେତିକି ନୁହେଁ ମହିଳା ସଶକ୍ତିକରଣର ଏକ ଉଦାହରଣ ସାଜିଛନ୍ତି କହିଲେ ଅତ୍ୟୁକ୍ତି ହେବନି । ସେ ହେଉଛନ୍ତି ଜଳଦା ‘ସି’ ବ୍ଲକ୍ ଅନ୍ତର୍ଗତ ମିଶନ ସାହି ନିବାସୀ ରଞ୍ଜିତ ଲାକ୍ରାଙ୍କ ଧର୍ମପତ୍ନୀ ପ୍ରୀତିରୋଶନୀ ବାରା ।
ପ୍ରୀତି, ବିଶ୍ରା ବ୍ଲକ ଭାଲୁଲତା ପଞ୍ଚାୟତ ଅନ୍ତର୍ଗତ କପରଣ୍ଡ ଗ୍ରାମର ସେବାଷ୍ଟିଆନ ଓ ଦଶମୀ ନୂତନ ବାରାଙ୍କ ବଡ଼ ଝିଅ । ଯୁକ୍ତଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି । ୨୦୨୨ ମସିହାରେ ଜଲ୍ଦା ‘ସି’ ବ୍ଲକ୍ ମିଶନ ସାହି ନିବାସୀ ରଞ୍ଜିତଙ୍କୁ ବିବାହ କରିଥିଲେ । ସ୍ୱାମୀ ଜଣେ ଶ୍ରମିକ । ଯୌଥ ପରିବାର ଥିବାରୁ ଆର୍ଥିକ ସମସ୍ୟା ଓ ଅଭାବ ମଧ୍ୟ ସର୍ବଦା ଲାଗିରହେ । ସ୍ୱାମୀଙ୍କ ସ୍ୱଳ୍ପ ରୋଜଗାରରେ ପରିବାରର ପ୍ରତିପୋଷଣ କଷ୍ଟସାଧ୍ୟ ଥିବାରୁ ନିଜେ କିଛି କରିବାକୁ ଆଗଭର ହୋଇଥିଲେ ପ୍ରୀତି । ସ୍ୱାମୀଙ୍କୁ ସାହାଯ୍ୟ କରିବା ସହ ନିଜେ ଆତ୍ମନିର୍ଭରଶୀଳ ହେବାର ଦୃଢ଼ ଇଚ୍ଛାଶକ୍ତି ଆଜି ତାଙ୍କୁ ସଫଳତାର କେତୋଟି ପାହାଚ ଚଢ଼ିବାକୁ ସକ୍ଷମ କରିଛି । ଯୌଥ ପରିବାର ଭିତରେ ରହିବା ସତ୍ତ୍ଵେ ବଳକା ସମୟରେ ନିଜ ଘରେ ମାଳ ଓ ମୁକୁଟ ତିଆରି କରି ସେ ହୋଇ ପାରିଛନ୍ତି ରୋଜଗାରକ୍ଷମ । ଏଥିସହ ସ୍ଥାନୀୟ ଅଞ୍ଚଳର ଅନେକ ଗୃହିଣୀଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ ।
ପ୍ରୀତିଙ୍କ ଏହି ଇଚ୍ଛାଶକ୍ତିକୁ ଦେଖି ତାଙ୍କ ଦେଢ଼ଶୁର ଅମ୍ରିତ ଏବଂ ଯାଆ ମାଗଦାଲି ତାଙ୍କୁ ୧୦ ହଜାର ଟଙ୍କା ସହାୟତା କରିଥିଲେ । ଏହାକୁ ସେ ପୁଞ୍ଜି କରି ପ୍ରଥମାବସ୍ଥାରେ ଆବଶ୍ୟକ କଞ୍ଚାମାଲ କିଣି ମାଳା ଓ ମୁକୁଟ ତିଆରି ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ତାଙ୍କୁ ସେଭଳି ଆଖିଦୃଶିଆ ଅର୍ଡର ମିଳୁନଥିଲା । ଏବେ କିନ୍ତୁ ତାଙ୍କ ହାତ ତିଆରି ମାଳ ଓ ମୁକୁଟର ଚାହିଦା କହିଲେ ନସରେ । ଏବେ ଲୋକେ ଘରକୁ ଆସି ତାଙ୍କ ଦ୍ୱାରା ପ୍ରସ୍ତୁତ ମାଳ ଓ ମୁକୁଟ ପାଇଁ ଅର୍ଡର କରୁଛନ୍ତି । ତେଣୁ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ପ୍ରୀତି । ଏଭଳି ଏକ ଅଭିନବ ପ୍ରୟାସ ନେଇ ପ୍ରୀତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପ୍ରତ୍ୟେକ ମହିଳାଙ୍କ ଭିତରେ କିଛି ନା କିଛି ପ୍ରତିଭା ଲୁକ୍କାୟିତ ହୋଇରହିଥାଏ । ସେଇ ପ୍ରତିଭାର ଉପଯୁକ୍ତ ବିନିଯୋଗ ନହେବାରୁ ତାହା ବଣର ମଲ୍ଲି ଭଳି ବଣରେ ଫୁଟି ଝରିଯିବା ପରି ଘରର ଚାରି କାନ୍ଥ ଭିତରେ ହିଁ ମଉଳିଯାଏ । ତେଣୁ ପ୍ରତ୍ୟେକ ମହିଳା ନିଜକୁ ଅବଳା ଦୁର୍ବଳା ନଭାବି ନିଜକୁ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ଚେଷ୍ଟିତ ହେବାକୁ ସେ ଆହ୍ୱାନ କରିଛନ୍ତି ।