ନୂଆଦିଲ୍ଲୀ, ୧୪/୦୨ : ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ ପାଇଁ ଛୁଟୁଛି ସମର୍ଥନ। ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ନେଇ ରାଜନେତାଙ୍କ ଯାଏଁ ରାଜପାଲଙ୍କୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଛନ୍ତି। ସଲମାନ ଖାନ, ସୋନୁ ସୁଦଙ୍କ ଭଳି ତାରକା ସହାୟତାର ହାତ ବଢାଇଛନ୍ତି। ଏବେ ତାଙ୍କ ସମର୍ଥନରେ ଫିଲ୍ମ ନିର୍ମାତା ପ୍ରିୟଦର୍ଶନ ଆଗେଇ ଆସିଛନ୍ତି। ପ୍ରିୟଦର୍ଶନଙ୍କ ସହ ରାଜପାଲ 'ମାଲାମାଲ ୱିକଲି', 'ଭାଗମ ଭାଗ', 'ଚୁପ ଚୁପ କେ', 'ଦେ ଦନା ଦନ' ଭଳି ଫିଲ୍ମରେ କାମ କରିଛନ୍ତି। 

ପ୍ରିୟଦର୍ଶନ କହିଛନ୍ତି ଯେ, 'ମୁଁ ତାଙ୍କୁ ଦୀର୍ଘ ୨୦ ବର୍ଷ ହେବ ଜାଣିଛି। ମୁଁ ତାଙ୍କୁ ପ୍ରଥମେ ଜଙ୍ଗଲରେ ଭେଟିଥିଲି। ତାଙ୍କର କାମ ମୋତେ ପ୍ରଭାବିତ କରିଥିଲା। ତାଙ୍କ ସହ ମର ପ୍ରଥମ ଫିଲ୍ମ 'ମାଲାମାଲ ୱିକଲି' ଥିଲା। ଏହା ପରେ ରାଜପାଲଙ୍କ ସହ ବହୁ ଫିଲ୍ମ କରିଛି। ରାଜପାଲଙ୍କ ଆର୍ଥିକ ଦୂରାବସ୍ଥା ଦେଖି ପ୍ରଡ୍ୟୁସରଙ୍କୁ ମଧ୍ୟ ତାଙ୍କର ଫି ବଢାଇବାକୁ କହିଥିଲି। ଏହା ସହ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲି। ତାଙ୍କୁ ଆଡ୍ ଫିଲ୍ମ କରିବାକୁ ମଧ୍ୟ କହୁଥିଲି। ବିଚରା ରାଜପାଲ କମ୍ ପାଠୁଆ ଯୋଗୁଁ ଭୁଲ୍ କରି ବସିଲେ, ନଚେତ୍ ସେ ଜଣେ ଭଲ ମଣିଷ।'  

ରାଜପାଲ ଯାଦବ ଚେକ୍ ବାଉନ୍ସ ମାମଲାରେ ଏବେ ଦିଲ୍ଲୀ ତିହାଡ଼ ଜେଲରେ ଅଛନ୍ତି। ୨୦୧୦ ମସିହାରେ ରାଜପାଲ ଅତା ପତା ଲାପତା ଫିଲ୍ମ କରିବା ପାଇଁ ମାଧବ ଗୋପାଲ ଅଗ୍ରୱାଲଙ୍କ କମ୍ପାନୀ ଠାରୁ ୫ କୋଟିର ଋଣ ନେଇଥିଲେ। ହେଲେ ଫିଲ୍ମ ଫ୍ଲପ୍ ହେବା ଯୋଗୁଁ ସେ ଏହି ଟଙ୍କା ଦେଇ ପାରିନଥିଲେ। ସେ କମ୍ପାନୀକୁ ଯେଉଁ ଚେକ୍ ଦେଇଥିଲେ ସେସବୁ ମଧ୍ୟ ବାଉନ୍ସ ହୋଇଗଲା। ମାମଲା କୋର୍ଟରେ ପହଞ୍ଚିଲା। ଅଭିନେତାଙ୍କୁ ୨୦୧୮ରେ ୬ ମାସ ପାଇଁ ଜେଲ ହୋଇଥିଲା। ଏହାପରେ ସେ ବେଲ୍ ରେ ବାହାରକୁ ଆସିଥିଲେ। ହେଲେ ଟଙ୍କା ପରିଶୋଧ କରିନପାରିବାରୁ ଋଣ ଆହୁରି ବଢି ୯ କୋଟି ଯାଏଁ ପହଞ୍ଚିଗଲା। ଯେଉଁଥି ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜପାଲଙ୍କୁ ସରେଣ୍ଡର କରିବାକୁ ପଡ଼ିଲା। ଏବେ ସେ ତିହାର ଜେଲରେ ଅଛନ୍ତି। ସେ ଜେଲ ଯିବା ପରେ ସୋନୁ ସୁଦ ସହାୟତା ପାଇଁ ସମସ୍ତଙ୍କୁ ଅପିଲ କରିଥିଲେ। ଏବେ ସୁଦ୍ଧା ଅଢେଇ କୋଟି ଟଙ୍କା ଜମା ହୋଇପାରିଛି। ଫେବୃଆରୀ ୧୬ରେ ପରବର୍ତ୍ତୀ ଶୁଣାଣି ହେବ।  

ଏହି ଖବରଟିକୁ ପଢନ୍ତୁ- ରାଜପାଲ ଯାଦବଙ୍କ ସାହାଯ୍ୟ ଲାଗି ଆଗକୁ ଆସିଲେ ଭଜନ ସମ୍ରାଟ ଅନୁପ ଜଲୋଟା, ଜାଣନ୍ତୁ କେତେ ଦେବେ …