ନୂଆଦିଲ୍ଲୀ, ୨୦/୧୨ : ରାଜନୀତିର ଏକ ସୁନ୍ଦର ଦୃଶ୍ୟ... ଆପଏଣ୍ଟମେଣ୍ଟ ମାଗୁଥିଲେ ପ୍ରିୟଙ୍କା। ଦୁଆର ଖୋଲିଦେଲେ ଗଡ଼କରୀ। ଅଫିସକୁ ପାଛୋଟି ନେଲେ । ଶୁଣିଲେ ଅଭିଯୋଗ । ଆଉ ବୁଝିଲେ ଭଲମନ୍ଦ। ନିଜ ହାତରେ ପରଷିଦେଲେ ସୁସ୍ଵାଦୁ ବ୍ୟଞ୍ଜନ। ଶେଷରେ କଲେ ମୁହଁ ମିଠା। ଗୁରୁବାର ଭାରତ ଦେଖିଥିଲା ରାଜନୀତିର ଏକ ରୋଚକ ଦୃଶ୍ୟ। ଏକାଠି ହୋଇଥିଲେ ଶାସକ-ବିରୋଧୀ। ଶୀତ ଅଧିବେଶନର ଗରମାଗରମ ମାହୋଲ ଭିତରେ ନୀତିନଙ୍କୁ ଭେଟିଲେ ପ୍ରିୟଙ୍କା। ତେବେ କାହିଁକି ଗଡ଼କରୀଙ୍କ ଅଫିସକୁ ହେଲା କଂଗ୍ରେସ ସଚିବଙ୍କ ଶୁଭ ଆଗମନ ? କ'ଣ ଥିଲା ଏହା ପଛର କାରଣ ?
ଗୁରୁବାର ସଂସଦରେ ଚାଲିଥିଲା ପ୍ରଶ୍ନକାଳ। ଚଣ୍ଡିଗଡ଼-ଶିମଲା ହାଇୱେକୁ ନେଇ ଥିଲା ପ୍ରଶ୍ନ । ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ ଜବାବ ମାଗୁଥଲେ ସାଂସଦ ପ୍ରିୟଙ୍କା ଗାନ୍ଧୀ। ଆଉ ଭରା ଗୃହରେ ହସି ହସି ନୀତିନଙ୍କୁ ଭେଟିବାକୁ ଆପଏଣ୍ଟମେଣ୍ଟ ମାଗିଲେ କଂଗ୍ରେସ ମହାସଚିବ। ପ୍ରିୟଙ୍କା କହିଥିଲେ ଜୁନ ମାସରୁ ଭେଟିବାକୁ ସମୟ ମାଗୁଛି ହେଲେ ସମୟ ମିଳୁନି । ଏହା ଶୁଣି ତୁରନ୍ତ ଉତ୍ତର ଦେଇଥିଲେ ଗଡ଼କରୀ। କହିଲେ ମତେ ଭେଟିବାକୁ ଦରକାର ନାହିଁ ଆପଏଣ୍ଟମେଣ୍ଟର । ମୋ ଦୁଆର ସବୁବେଳେ ଖୋଲା। ବାସ୍ ଏତିକି... ନୀତିନଙ୍କ ଠାରୁ ଉତ୍ତର ଶୁଣି ଘଣ୍ଟାକ ଭିତରେ ଗଡ଼କରୀଙ୍କ ଅଫିସରେ ହାଜର ହୋଇଗଲେ ପ୍ରିୟଙ୍କା। ପ୍ରିୟଙ୍କାଙ୍କୁ ଦେଖି ନୀତିନ ବି ଖୁସ୍।
କେନ୍ଦ୍ରମନ୍ତ୍ରୀ ତୁରନ୍ତ କଂଗ୍ରେସ ସାଂସଦଙ୍କୁ ପାଛୋଟି ନେଇଥିଲେ। ଆଦର ସତ୍କାର ବି କଲେ। ୟୁଟ୍ୟୁବରୁ ଦେଖି ପ୍ରିୟଙ୍କା ପାଇଁ ସୁସ୍ଵାଦୁ ବ୍ୟଞ୍ଜନ ବନାଇଲେ। ଚାଉଳରୁ ତିଆରି ଏକ ଖାସ୍ ଡିସ୍ ପରଷିଦେଲେ। ପ୍ରିୟଙ୍କା-ନୀତିନଙ୍କ ଭେଟଘାଟ୍ର ଏହି ରୋଚକ ଦୃଶ୍ୟ ଏବେ ଖୁବ୍ ଚର୍ଚ୍ଚାରେ । କାରଣ କାଦୁଅ ଫିଙ୍ଗା ରାଜନୀତିରେ ଦୁଇ ଟପ୍ ନେତାଙ୍କ ଭେଟଭାଟ୍ ଶାସକ-ବିରୋଧୀଙ୍କ ପାରମ୍ପରିକ ଚିତ୍ର ବଦଳାଇଛି। ଏଭଳି ହେଲେ ଗୋଡ ଟଣାଟଣି ବଦଳରେ ଦେଶବାସୀ କନଷ୍ଟ୍ରକଟିଭ୍ କ୍ରିଟିସିଜିମ୍ ଦେଖିବେ। ଯାହା ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଲୋକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ।