ଭୁବନେଶ୍ୱର, ୩୦/୦୫ : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟାପକ ତଥା ସିତାର ବାଦକ ବିଜୟ କୁମାର ତ୍ରିପାଠୀ ଓ ପତ୍ନୀ ଜୟଶ୍ରୀଙ୍କୁ ବୀଭତ୍ସ ଭାବେ ହାଣିକି ହତ୍ୟା କରାଗଲା । କଳ୍ପନା ଫ୍ଲାଟ୍‌ ନଂ-ଡି/୪ରେ ଘଟିଥିବା ଏହି ଡବଲ ମର୍ଡରକୁ ଏହା ଭିତରେ ୨୧ ବର୍ଷ ବିତିଗଲାଣି। ଏବେ ବି ଅସମାହିତ ଓ ରହସ୍ୟମୟ ହୋଇ ରହିଛି ଏହି ନାରକୀୟ କାଣ୍ଡ । କିଏ ହାଣିଲା ଆଉ କାହିଁକି? ଏହାର ଉତ୍ତର କାହା ପାଖରେ ନାହିଁ । ଲକ୍ଷ୍ମୀସାଗର ଥାନା ପୁଲିସ ଆଉ କ୍ରାଇମ୍‌ବ୍ରାଞ୍ଚ ହତ୍ୟା ରହସ୍ୟ ଭେଦିବାରେ ବିଫଳ । ୨୦୦୫ ଅଗଷ୍ଟ ୧୨ର ଏହି ଭୟାନକ ଡବଲ ମର୍ଡର ପରେ କିଏ କହିଲା, ଟଙ୍କା ସୁନାଗହଣା ଲୁଟିବା ପାଇଁ ଦମ୍ପତିଙ୍କୁ ହାଣିଥିବେ ଦୁର୍ଦ୍ଦାନ୍ତ ଲୁଟେରା ଗ୍ୟାଙ୍ଗ । ଆଉ କିଏ କହିଲା, ପୂର୍ବ ଶତ୍ରୁତା ଓ ପାରିବାରିକ କଳହରୁ ଦମ୍ପତିକୁ ବଳି ପକାଇ ଦେଇଥିବେ । 

ବିଜୟଙ୍କ ସାନ ଭାଇ ପିଣ୍ଟୁଙ୍କ ଉପରକୁ ବି ଅଙ୍ଗୁଳି ଉଠିଥିଲା । ସେ ଭାଉଜ ତଥା ମୃତକ ଜୟଶ୍ରୀଙ୍କ ସମ୍ପର୍କୀୟଙ୍କୁ ବାହା ହେବା ଜିଦ୍‌ରୁ ହତ୍ୟା ଘଟିଥାଇପାରେ ବୋଲି ସନ୍ଦେହ ଉପୁଜିଥିଲା । କିଛି ବିଲ୍ଡର ଓ ଜେଲ ଫେରନ୍ତା ଅପରାଧୀ ମଧ୍ୟ ସ୍କାନରକୁ ଆସିଥିଲେ । ତଦନ୍ତ ବେଳେ ଉଭୟ ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବାଟ ହୁଡି଼ଥିଲା । ୬ ଜଣିଆ ପୁଲିସ ଟିମ୍‌ ଦେଢ଼ଶହରୁ ଅଧିକ ଲୋକଙ୍କୁ ଜେରା କଲା । ହତ୍ୟାକାଣ୍ଡ ବାବଦକୁ ଠୋସ୍‌ ସୁରାକ୍‌ ମିଳିଲାନି । ପରେ କ୍ରାଇମ୍‌ବ୍ରାଞ୍ଚ ସମ୍ଭାଳିଲା ତଦନ୍ତଭାର । ବାଟବଣା ହେଲା । ହତ୍ୟାକାରୀକୁ ଚିହ୍ନି ପାରିଲାନି । ହତ୍ୟାକାଣ୍ଡର ୩ ମାସ ପରେ ଖୋର୍ଦ୍ଧା ଗୁରୁଜଙ୍ଗରେ ଏକ ଚର୍ଚ୍ଚିତ ଆତ୍ମହତ୍ୟା ଘଟିଲା । ନାନା ଦିଗରୁ ବିଜୟଙ୍କ ପିଲାଦିନର ସାଙ୍ଗ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ଉପରେ ପୁଲିସର ସନ୍ଦେହ ବଢ଼ିଲା । ନଭେମ୍ବର ମାସରେ ରାତିରେ କ୍ରାଇମ୍‌ବ୍ରାଞ୍ଚ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଚଢ଼ଉ କରିଥିଲା । ଗିରଫଦାରି ଭୟରେ ଗୁରୁଜଙ୍ଗସ୍ଥିତ ଘରେ ଲକ୍ଷ୍ମୀନାରାୟଣ ଝୁଲିପଡି଼ଥିଲେ । ଯାହାକି, ହତ୍ୟାକାଣ୍ଡକୁ ଆହୁରି ଅଡୁଆ ସୂତାରେ ଛନ୍ଧି ପକାଇଲା । ଏହି ଆତ୍ମହତ୍ୟା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ଖିଅ ଯେମିତି ଛିଣ୍ଡିଗଲା ଭଳି ପୁଲିସର ତଦନ୍ତ ମିଳେଇଗଲା । ଆଉ ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ରହସ୍ୟ ହୋଇ ରହିଗଲା । 

ସେଇ ‘୫ ସେକେଣ୍ଡର ଫୋନ୍‌ କଲ୍‌’ 

ପୂର୍ବ ତଦନ୍ତକାରୀ ଅଧିକାରୀ ତଥା ତତ୍‌କାଳୀନ ଲକ୍ଷ୍ମୀସାଗର ଥାନା ଅଧିକାରୀ ହରିହର ପାଣି କହିଥିଲେ, ହତ୍ୟାକାଣ୍ଡର ରାତି ପ୍ରାୟ ସାଢ଼େ ୧୦ଟାରେ ବିଜୟଙ୍କୁ ଏକ ୫ ସେକେଣ୍ଡ ଅବଧିର ଫୋନ୍‌ କଲ ଆସିଥିଲା । ଟାୱାର ଡମ୍ପିଂ ତର୍ଜମାରୁ ଜଣାପଡି଼ଲା ଯେ ଲକ୍ଷ୍ମୀନାରାୟଣ ଏହି ଫୋନ୍‌ କରିଥିଲେ । ପୁରୁଣା ଭୁବନେଶ୍ୱର ବଢ଼େଇବାଙ୍କ ଛକର ଏକ ବହି ଦୋକାନୀଙ୍କ ବୟାନ ମୁତାବକ, ଲକ୍ଷ୍ମୀନାରାୟଣ ଏହି ସିମ୍‌ଟି କିଣିଥିଲେ । ତନାଘନାରୁ ଜଣାପଡି଼ଥିଲା ଯେ ବିଜୟଙ୍କୁ କୋଲକାତାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ମିଛ ବାହାନା ଦେଖାଇଥିଲେ ଲକ୍ଷ୍ମୀନାରାୟଣ । ଅଗଷ୍ଟ ୧୦ ତାରିଖରେ ଭୁବନେଶ୍ୱର ରେଳଷ୍ଟେସନର ଏକ ଟେଲିଫୋନ୍‌ ବୁଥ୍‌ରୁ ଫୋନ୍‌ କରି କୋଲକାତାର କିଛି ଆୟୋଜକ କଳ୍ପନାସ୍ଥିତ ଫ୍ଲାଟ୍‌କୁ ଆସି ସିତାର ଶୁଣିବେ ବୋଲି କହିଥିଲେ । ସେହି କାଳରାତିରେ ଜଣେ ଲମ୍ବା ବ୍ୟକ୍ତି ବିଜୟଙ୍କ ଘରକୁ ପଶିଥିବା ଦେଖିଥିଲେ ଅନ୍ୟ ଫ୍ଲାଟ୍‌ ବାସିନ୍ଦା । ବୋଧହୁଏ, ଆୟୋଜକ ବେଶରେ କୋଲକାତାର କିଛି ସୁପାରି କିଲରଙ୍କ ସହ ଲକ୍ଷ୍ମୀନାରାୟଣ ତାଙ୍କ ଫ୍ଲାଟ୍‌ରେ ପଶିଥିଲେ । ସିତାର ବାଦନ ଶୁଣିବା ଆଳରେ ସଂଘବଦ୍ଧ ଭାବେ ଦମ୍ପତିକୁ ହତ୍ୟା କରିଥାଇ ପାରନ୍ତି ।

କାହିଁକି ଅଧାରେ ଲଟକିଲା ତଦନ୍ତ?
-ବିଜୟଙ୍କ ପିଲାଦିନର ସାଙ୍ଗ ଲକ୍ଷ୍ମୀନାରାୟଣଙ୍କ କଲ୍‌ ଡିଟେଲ୍ସ ରେକର୍ଡ(ସିଡିଆର) ତଥ୍ୟ ପୁଲିସକୁ ଦ୍ୱନ୍ଦ୍ୱରେ ପକାଇଥିଲା । ହତ୍ୟା ପୂର୍ବରୁ ଓ ପରେ ବାରିପଦାର ଜଣେ ଲୋକଙ୍କ ସହ ସେ ଅନେକ ଥର ଫୋନ୍‌ରେ କଥା ହୋଇଥିଲେ । କିନ୍ତୁ ବାରିପଦାକୁ ଗୋଟିଏ ବି ଟିମ୍‌ ଗଲାନି କି ସରଜମିନ୍‌ ତଦନ୍ତ କଲାନି । 

-ଲକ୍ଷ୍ମୀନାରାୟଣ ଏକୁଟିଆ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା କରିବା ପ୍ରାୟତଃ ଅସମ୍ଭବ । ଲକ୍ଷ୍ମୀନାରାୟଣ ହୁଏତ କୋଲକାତା ତଣ୍ଟିକଟା ଗ୍ୟାଙ୍ଗର କିଛି ସୁପାରି କିଲର ଜରିଆରେ ହତ୍ୟାକାଣ୍ଡ ଭିଆଇଥିଲେ । କିନ୍ତୁ ତଦନ୍ତକାରୀ ଟିମ୍‌ ଏଦିଗକୁ ଆଦୌ ଧ୍ୟାନ ଦେଲାନି । କୋଲକାତା ଯାଇ ସୁପାରି କିଲରଙ୍କୁ ଖୋଜିଲାନି । 

-ହତ୍ୟା ପରେ ବିଜୟଙ୍କର ଚୋରି ହୋଇଥିବା ମୋବାଇଲ୍‌କୁ ଖୋଜିବାରେ ପୁଲିସ ହେୟଜ୍ଞାନ କରିଥିଲା । ମୋବାଇଲ୍‌କୁ ଖୋଜିଲାନି । ମୋବାଇଲ୍‌ ମିଳିଥିଲେ ହୁଏତ ହତ୍ୟାକାରୀ ସମ୍ପର୍କରେ କିଛି ସୁରାକ ମିଳିପାରିଥାନ୍ତା । 

-ଲକ୍ଷ୍ମୀନାରାୟଣଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ପୁଅର ଇଞ୍ଜିନିୟରିଂ ପାଠପଢ଼ା ପାଇଁ ପଇସା ଅଭାବ ଥିଲା । ବିଜୟଙ୍କ ଘରୁ ସାୟାରେ ବନ୍ଧା ହୋଇଥିବା କିଛି ସୁନା ଗହଣା ମିଳିଥିଲା । ବାକି ଅଳଙ୍କାର ସହ ଜୟଶ୍ରୀଙ୍କ ପାଉଁଜି, ବିଜୟଙ୍କ ମୋବାଇଲ୍‌ ଫୋନ୍‌ ଗାଏବ୍‌ ଥିଲା । ପୁଲିସ ଚୋରି ସାମଗ୍ରୀ ଖୋଜିଥିଲେ ହୁଏତ ହତ୍ୟାକାରୀ ପାଖରେ ପହଞ୍ଚି ପାରିଥାନ୍ତା । 

-ଦୀର୍ଘ ୨୨ ବର୍ଷ ପରେ କମିସନରେଟ୍‌ ପୁଲିସ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ମହାରାଷ୍ଟ୍ର ପୁନେରୁ ଗିରଫ କରିଥିଲା । ୨୦୨୧ ଫେବ୍ରୁଆରୀ ୨୧ରେ କମିଶନରେଟ୍‌ ପୁଲିସ ଅଭିଯୁକ୍ତକୁ ଗିରଫ କରି ଚମକାଇ ଦେଇଥିଲା । ହେଲେ ଅନେକ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ଯାଇ ସମାଧି ନେଇ ଯାଇଛି । ସେଥିରୁ କଳ୍ପନାଫ୍ଲାଟ୍‌ ଡବଲ୍‌ ମର୍ଡର ମାମଲା ଗୋଟିଏ । କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାକୁ ସମ୍ପୂର୍ଣ୍ଣ ଭୁଲି ଯାଇଛି ।

ନାବାଳିକାଙ୍କୁ ୨ ବର୍ଷ ଯାଏଁ ଯୌନ ନିର୍ଯାତନା, ଝାନ୍ସିରେ ବିକିଦେଇଥିଲା ଦଲାଲ...