ଭୁବନେଶ୍ୱର,୦୪/୦୪: ଠିକା ସଂସ୍ଥାର ବିଲ୍‌ ବାକି ରଖିଥିଲେ । ପ୍ରାୟ ୨କୋଟି ପାଖାପାଖି ଫେରସ୍ତ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଠିକା ସଂସ୍ଥା । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶୁକ୍ରବାର କୋର୍ଟ କର୍ମଚାରୀ ଓ ଠିକା କଂପାନୀ କର୍ତ୍ତୃପକ୍ଷ ବୁର୍ଲାସ୍ଥିତ ଉପର ମହାନଦୀ ବେସିନ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ହୀରାକୁଡ ଡ୍ୟାମ ସର୍କଲର ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ଓ ସମ୍ବଲପୁର ଇରିଗେସନ ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଅଫିସର ପହଞ୍ଚିଥିଲେ । ସେଠାରେ ଅନେକ ସମୟ ଧରି ଛାନ୍‌ଭିନ୍‌ କରିବା ସହ ଆସବାବପତ୍ର ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସମସ୍ତ ସଂପତ୍ତି ମଧ୍ୟ ଆଟାଚ୍‌ ପାଇଁ କୁହାଯାଇଥିଲା ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଆଟାଚ୍‌ ହୋଇପାରିଲାନି ସଂପତ୍ତି । କାହିଁକି ନା ଅଫିସ୍‌ର ନାଁ ପରିବର୍ତ୍ତନ ହୋଇଯାଇଛି । ଅପର ମହାନଦୀ ବେସିନ ମ୍ୟାନେଜର ପରିବର୍ତ୍ତନ ହୋଇ ମହାନଦୀ ବେସିନ ମ୍ୟାନେଜର ହୋଇଥିବାରୁ କାନମୁଣ୍ଡା ଆଉଁସି ଫେରିଯାଇଛନ୍ତି କୋର୍ଟ କର୍ମଚାରୀ ଓ ଠିକା କଂପାନୀ କର୍ତ୍ତୃପକ୍ଷ । ହେଲେ ତା ପୂର୍ବରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଅଫିସ୍‌ର ସମସ୍ତ ଆସବାବପତ୍ର ଏସି, ଷ୍ଟେବିଲାଇଜର, ସୋଫା, ଟିଭି ଚେୟାର ସବୁ ଗାୟବ୍‌ କରିବା ସହ ଅଫିସ୍‌ର ନାଁ ମଧ୍ୟ ବଦଳାଇ ଦେଇଛନ୍ତି କର୍ତ୍ତୃପକ୍ଷ ।

କହିରଖୁ କି, ୨୦୦୦ ମସିହାରେ ସମ୍ବଲପୁର ରିଂ ରୋଡର  କାମ କରିଥିଲା ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ | ୨୦୦୫ ମସିହାରେ ରିଙ୍ଗ ରୋଡ କାମ ବାବଦକୁ ୫୨ ଲକ୍ଷ ଟଙ୍କା ବକେୟା ଥିଲା | ଟଙ୍କା ଫେରି ପାଇବାକୁ ୨୦୦୯ ମସିହାରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଠିକା ସଂସ୍ଥା । ୨୦୦୯ରେ ସୁଧ ମୂଳ ମିଶି ୧କୋଟି ୩୬ କୋଟି ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।  ଟଙ୍କା ପଇଠ ନହେବାରୁ ୬ ପ୍ରତିଶତ ସୁଧ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ବକେୟା ଟଙ୍କା ମିଳିନଥିଲା । । ଏହି ବକେୟା ଟଙ୍କା ବଢି ବଢି  ଅଗଷ୍ଟ ୨୦୨୪ ଯାଏ ୧କୋଟି ୮୮ ଲକ୍ଷ ହୋଇଯାଇଛି ।