ଭୁବନେଶ୍ବର,୧୮।୬ : ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଅଧୀନରେ ଦେଶବ୍ୟାପୀ ୯୦୬ କୋଟି ଟଙ୍କାର ଋଣ ମଞ୍ଜୁରୀ  କରାଯାଇଛି। ସେଥିପାଇଁ  ୧୧,୪୮୦ ସେବା କ୍ଷେତ୍ର ହିତାଧିକାରୀଙ୍କୁ ୩୦୦ କୋଟି ଟଙ୍କାର ମାର୍ଜିନ ମନି ସବସିଡି ପ୍ରଦାନ କରିଛି। ନୂଆଦିଲ୍ଲୀର ରାଜଘାଟ କାର୍ଯ୍ୟାଳୟରେ ଏ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖଦୀ ଓ ଗ୍ରାମୋଦ୍ୟୋଗ  ଆୟୋଗର ଅଧ୍ୟକ୍ଷ ମନୋଜ କୁମାର  ଆଭାସି ମାଧ୍ୟମରେ ଯୋଗ ଦେଇ ହିତାଧିକାରୀଙ୍କୁ ଏହି ସବସିଡ ପ୍ରଦାନ କରିଛନ୍ତି। ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରୂପ ରାଶି ଉପସ୍ଥିତ ଥିଲେ।

କେନ୍ଦ୍ରୀୟ ଜୋନ  ଅଧୀନରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ଉତ୍ତରାଖଣ୍ଡରେ ମୋଟ ୨୪୦୩ଟି ପ୍ରକଳ୍ପ ପାଇଁ ୭୨ କୋଟି ଟଙ୍କାର ସବସିଡ ପ୍ରଦାନ କରାଯାଇଥିଲା। ଏଥିପାଇଁ ୨୧୮ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିଲା। ପୂର୍ବ ଜୋନରେ ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ  ଏବଂ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ୯୯୬ଟି ପ୍ରକଳ୍ପ ପାଇଁ ୨୨ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଥିଲା। ଋଣ ମଞ୍ଜୁର ପ୍ରାୟ ୭୧ କୋଟି ଥିଲା।

୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଅଧୀନରେ ଏ ପର୍ଯ୍ୟନ୍ତ ମୋଟ ୧୦,୧୮,୧୮୫ଟି କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରାଯାଇଥିଲା। ଭାରତ ସରକାର ୭୩,୩୪୮ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି। ହିତାଧିକାରୀମାନଙ୍କୁ ୨୭,୧୬୬ କୋଟି ଟଙ୍କାର ମାର୍ଜିନ ମନି ସବସିଡି ପ୍ରଦାନ କରାଯାଇଛି।