ବ୍ରହ୍ମପୁର, ୨୮/୧୨: କାହାର ବୈଧ ପ୍ରଦୂଷଣ ପ୍ରମାଣ ପତ୍ର(ପିୟୁସି) ସମୟ ସରି ଯାଇଛି । କାହାର ଇନସ୍ୟୁରାନ୍ସ ବର୍ଷେ ହେଲା ନାହିଁ । ଏପରିକି ନବୀକରଣ କରିବାକୁ ବି ଚିନ୍ତା ନାହିଁ । ସେହି ଗାଡ଼ିକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମିଳିଛି ପିୟୁସି ପ୍ରମାଣପତ୍ର ପ୍ରଦାନ ଅନୁମତି । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ, ଗାଡ଼ି ଚାଳକଙ୍କୁ ପେଟ୍ରୋଲ ମିଳିବ ନାହିଁ ବୋଲି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।
ଏହାକୁ ନେଇ ଏବେ ସବୁଠି ପଲ୍ୟୁସନ ଯାଞ୍ଚ ମୋବାଇଲ ୟୁନିଟ୍ ଗୁଡ଼ିକ ସମ୍ମୁଖରେ ଗାଡ଼ି ଧରି ଚାଳକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି । ପୂର୍ବରୁ ଜାନୁଆରୀ ପହିଳାରୁ ଏହି କଟକଣା ଲାଗୁ କରିବାକୁ ପରିବହନ ବିଭାଗ ଘୋଷଣା କରିଥିବାବେଳେ ଆଉ ମାସେ ଏହାକୁ କୋହଳ କରିଛନ୍ତି । କିନ୍ତୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପିୟୁସି ମୋବାଇଲ ୟୁନିଟ୍ ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି । ଗୁରୁତ୍ୱପୂର୍ଣ୍ଣ ହେଲା, ପିୟୁସି ମୋବାଇଲ ୟୁନିଟ ଗାଡ଼ିରେ ହିଁ ବୈଧ ପିୟୁସି ନାହିଁ । ଇନ୍ସ୍ୟୁରାନ୍ସ ସରିଯାଇଥିବା ଏକ ଗାଡ଼ି କିନ୍ତୁ ଲୋକଙ୍କୁ ଦେଉଛି ବୈଧ ପ୍ରମାଣପତ୍ର ।
ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଛକରେ ଓଡି-୦୭-ଏଡି-୯୪୪୪ ନମ୍ବରର ଗାଡ଼ିକୁ ପିୟୁସି ମୋବାଇଲ ୟୁନିଟ୍ ମାନ୍ୟତା ଦିଆଯାଇଛି । କିନ୍ତୁ ‘ଏମ୍ ପରିବହନ’ ତଥ୍ୟ ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖରୁ ଏହାର ଇନ୍ସ୍ୟୁରାନ୍ସ ସରିଛି । ୯ ମାସ ବିତି ଯାଇଥିଲେ ବି ଇନ୍ସ୍ୟୁରାନ୍ସ ନବୀକରଣ ହୋଇ ନାହିଁ । ସେହିପରି ଇଂଜିନିୟରିଂ ସ୍କୁଲ ଛକରେ ଓଡି-୦୭-ଏସି-୬୮୮୭ ନମ୍ବରର ଗାଡ଼ି ପିୟୁସି ଯାଞ୍ଚ କରୁଛି । କିନ୍ତୁ ସେହି ଗାଡ଼ିର ପିୟୁସି ଗତ ୧୯ ତାରିଖରୁ ସରି ଯାଇଥିବା ଉକ୍ତ ଆପ୍ରୁ ଜଣାଯାଇଛି । ନିଜେ ଅନ୍ଫିଟ୍ ଥାଇ ଅନ୍ୟକୁ ଏମାନେ କିପରି ଫିଟ୍ ସାର୍ଟିଫିକେଟ ଦେଉଛନ୍ତି ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।
ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ କହିଛନ୍ତି, ସରକାର ଲୋକଙ୍କ ଉପରେ ବୋଝ ଉପରେ ଲଲିତା ବିଡ଼ା ପକାଉଛନ୍ତି । ପିୟୁସି ଗାଡ଼ି ମାଲିକଙ୍କୁ ଥଇଥାନ କରିବାକୁ ସରକାର ଏହା ଯୋଜନା । ସେହି ମେସିନ୍ ଠିକ୍ରେ କାମ କରୁଛି କି ନାହିଁ ତାହା ଯାଞ୍ଚ ଦରକାର । ପୂର୍ବର ଏଚ୍ଏସ୍ଆର୍ପ ଲଗାଇଲେ ଚୋରି ଓ ଚୋର ଧରାପଡ଼ିବ ବୋଲି ସରକାର କହିଥିଲେ । ପ୍ରତି ମାସରେ ୩୦ରୁ ଅଧିକ ଗାଡ଼ି ଚୋରି ହେଉଛି । କାହିଁ ଗାଡ଼ି ମିଳୁଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଚ୍ଏସ୍ଆର ଭଳି ଏହି ଯୋଜନା ।
ସେହିପରି ଲାଞ୍ଜିଆ ସମିତିସଭ୍ୟ କାହ୍ନୁ ପାତ୍ର କହିଛନ୍ତି, ଏହି ପିୟୁସି କେନ୍ଦ୍ର ହିଁ ଅନ୍ଫିଟ୍ । ସେମାନେ ଅନ୍ୟକୁ କିପରି ଫିଟ୍ ସାର୍ଟିଫିକେଟ ଦେଉଛନ୍ତି । ପରିବହନ ବିଭାଗ ସେମାନଙ୍କ ବିରୋଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଦେବାଶିଷ ସ୍ୱାଇଁ କହିଛନ୍ତି, ପିୟୁସି ମୋବାଇଲ ୟୁନିଟ୍ ଗୁଡ଼ିକର ଯାଞ୍ଚ କରିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।