ବାଲେଶ୍ୱର,୦୯/୧୦: ଲକ୍ଷ୍ମୀ ପୂଜା କରୁଥିଲେ । ହଠାତ୍ ବଜ୍ରାଘାତ ହେଲା । କେହି କିଛି ଭାବିବା ପୂର୍ବରୁ ସମସ୍ତଙ୍କ ଆଖି ସାମ୍ନାରେ ଟଳିପଡ଼ିଲେ ପୂଜକ । ଏଭଳି ଦୁଃଖଦ ଘଟଣା ବୁଧବାର ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟସ୍ଥ ମଇତାପୁର ପଞ୍ଚାୟତର କଳାଶୁଣି ଗ୍ରାମରେ ଘଟିଛି । ବଜ୍ରାଘାତରେ ପ୍ରାଣ ହରାଇଥିବା ପୂଜକ ହେଲେ ମଇତାପୁର ପଞ୍ଚାୟତ ରାମବିନ୍ଧା ଗ୍ରାମର ପଦ୍ମଲୋଚନ ଦାଶଙ୍କ ପୁଅ ସୁରେନ୍ଦ୍ର (୨୪) ।
ବୁଧବାର ଅପରାହ୍ଣରେ ସୁରେନ୍ଦ୍ର ନିକଟସ୍ଥ କଳାଶୁଣି ଗ୍ରାମରେ ଲକ୍ଷ୍ମୀ ପୂଜା କରୁଥିଲେ । ମାଇକ୍ରୋଫୋନ୍ ଧରି ମା’ଙ୍କ ଶୋଳ୍କ ଆବୃତ୍ତି କରୁଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ମାଇକ୍ରୋଫୋନ୍ଟି ଚାର୍ଜ ହୋଇଯାଇଥିଲା । ଫଳରେ ସୁରେନ୍ଦ୍ରଙ୍କ ସମେତ ପାଖରେ ଥିବା ଅନ୍ୟ ୨ ଜଣ ମଧ୍ୟ କିଛି ଦୂରକୁ ଛିଟିକି ପଡ଼ିଥିଲେ । ଅନ୍ୟମାନେ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ସୁରେନ୍ଦ୍ର ଚେତାଶୂନ୍ୟ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଭଦ୍ରକ ଡାକ୍ତରଖାନା ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।