ପୁଣେ, ୨୩।୬: ମମି, ମୁଁ ମୋ ମୋବାଇଲ ଭାଙ୍ଗିଦେବି, ଆଉ କିଛି ବି ପ୍ରମାଣ ରହିବନି । ମୁଁ ମରିବାକୁ ଚାହେଁ । ମୁଁ ବିଷ ଖାଇଦେଇଛି । ମୁଁ ଲୋକେସନ୍ ପଠଉଛି, ମୋ ମରଶରୀର ନେଇଯିବ । ମହାରାଷ୍ଟ୍ର ପୁଣେର ଜଣେ ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ସୁଇସାଇଡ୍ କରିବା ପୂର୍ବରୁ ଯୁବକ ଜଣକ ଏକ ଅଡିଓ ରେକର୍ଡ କରିଥିଲେ । ଯେଉଁଥିରେ ସେ ଏଭଳି କିଛି ଭଏସ୍ ମେସେଜ୍ ଦେଇଛନ୍ତି । ଆତ୍ମହତ୍ୟା କରିଥିବା ଯୁବକ ଜଣକ ସଞ୍ଜୟ କୁମାର ବିନୋଦକୁମାର ରାଜପୁତ୍ ବୋଲି ଜଣାପଡ଼ିଛି ।
ଦେହୁରୋଡ୍ ପୋଲିସର କହିବାନୁସାରେ, ଯୁବକ ଜଣକ ଡିପ୍ରେସନ୍ରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଜୁନ୍ ୧୭ରେ ଦେହୁରୋଡ୍ ଥାନାରେ ସଞ୍ଚୟ କୁମାର ନିଖୋଜ ଥିବା ମାମଲା ରୁଜୁ ହୋଇଥିଲା । ଶନିବାର ସଞ୍ଚୟଙ୍କ ମୃତଦେହ ଘୋରବଡ଼େଶ୍ୱର ପାହାଡ଼ର ତଲହଟିରୁ ଉଦ୍ଧାର ହୋଇଥିଲା । ମୃତଦେହ ପାଖରୁ ବିଷ ଔଷଧ ମିଳିଛି । ପୋଲିସ ଯାଞ୍ଚ କରିବା ସମୟରେ ଜଣାପଡ଼ିଥିଲା ଯେ, ସଞ୍ଜୟ କୁମାର ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ଏହା ଜଣାପଡ଼ିଥିଲା ।
ଅଡିଓ-ଭିଡିଓର ଯାଞ୍ଚ କରୁଛି ପୋଲିସ :
ସଞ୍ଜୟ କୁମାର ନିଜ ପରିବାର ସହ ପିମ୍ପରି-ଚିଞ୍ଚୱାଡ଼ା ଅଞ୍ଚଳରେ ରହୁଥିଲେ । ତାଙ୍କ ପରିବାର ସଦସ୍ୟ କହିବାକୁ ଗଲେ ବାପା, ମାଆ ଓ ଦୁଇ ଭଉଣୀ । ଆତ୍ମହତ୍ୟା ପୂର୍ବରୁ ସେ ପଠାଇଥିବା ଅଡିଓରେ ସେ ନିଜ ଭଉଣୀମାନଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ଓ ଉଭୟ ଭଉଣୀଙ୍କୁ ଉଚ୍ଚ ଶିକ୍ଷା ଦେବା ଲାଗି ବାପାମାଆଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ସୁଇସାଇଡ୍ର ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି । ଯେଉଁଥିରେ ସଞ୍ଜୟ କୁମାର ଡିପ୍ରେସନ୍ରେ ଥିବା ନଜର ଆସୁଛନ୍ତି । ସଞ୍ଜୟ ଅନଲାଇନ୍ ବିଷାକ୍ତ ଔଷଧ ଅର୍ଡର କରିଥିଲେ । ଯାହା ପରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପୋଲିସ ସଞ୍ଜୟ ଆତ୍ମହତ୍ୟା କରିବା ପୂର୍ବରୁ ରେକର୍ଡ କରିଥିବା ଅଡିଓ ଓ ଭିଡିଓର ତଦନ୍ତ ଜାରି ରଖିଛି । ତେବେ ସଞ୍ଚୟ କେଉଁ କାରଣରୁ ଡିପ୍ରେସନ୍ରେ ଥିଲେ ତାହା ସ୍ପଷ୍ଟ ଜଣାପଡ଼ିନାହିଁ ।