ମୁମ୍ବାଇ ବ୍ୟୁରୋ: ମହାରାଷ୍ଟ୍ରରେ ପୁଣି ଥରେ ବିଷାକ୍ତ ମଦ ବହୁମୂଲ୍ୟ ଜୀବନ ନେଇଛି । ରାଜ୍ୟରେ ବେଆଇନ ଓ ଦୂଷିତ ମଦ କାରବାର ଯୋଗୁଁ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି, ଯେଉଁଥିରେ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଅସୁସ୍ଥ ଥିବା ସୂଚନା ମିଳିଛି । ମହାରାଷ୍ଟ୍ରର ପ୍ରମୁଖ ସହର ପୁଣେ ଏବଂ ଏହାର ସହରତଳି ଅଞ୍ଚଳ ପିମ୍ପରି-ଚିଞ୍ଚୱାଡ଼ରେ ଏହି ଭୟଙ୍କର ମଦ ମୃତ୍ୟୁର କରାଳ ରୂପ ଦେଖିବାକୁ ମିଳିଛି । ବିଷାକ୍ତ ମଦ ପିଇବା ପରେ ଲୋକଙ୍କ ଅବସ୍ଥା ହଠାତ୍ ବିଗିଡି ଯାଇଥିଲା ଏବଂ ଡାକ୍ତରଖାନା ଯିବା ପୂର୍ବରୁ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା ।
କେଉଁ ଅଞ୍ଚଳରେ କେତେ ମୃତ୍ୟୁ ?
ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିଷାକ୍ତ ସ୍ପିରିଟ୍ ଯୁକ୍ତ ମଦ ସହରର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଇଥିଲା । ପିମ୍ପରି-ଚିଞ୍ଚୱାଡ଼ ଶିଳ୍ପାଞ୍ଚଳର ଦାପୋଡି ଏବଂ ଫୁଗେୱାଡି ଇଲାକାରେ ସବୁଠାରୁ ଅଧିକ କ୍ରୋଧ ଦେଖିବାକୁ ମିଳିଛି । ଏଠାରେ ମୋଟ୍ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ପୁଣେ ମହାନଗର ନିଗମ ସୀମା ମଧ୍ୟରେ ଥିବା କାଲେ ପଡ଼ଲ ଅଞ୍ଚଳରେ ୩ ଜଣ ଏବଂ ହଡ଼ପସର ଅଞ୍ଚଳରେ ୨ ଜଣ ମଦ୍ୟପାୟୀଙ୍କର ଜୀବନ ଚାଲିଯାଇଛି । ଏହିପରି ଭାବେ ମୋଟ୍ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି ଏବଂ କିଛି ଲୋକ ଏବେ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଆଶଙ୍କା କରାଯାଉଛି ।
ମଦ ପିଉ ପିଉ ପାଟିରୁ ବାହାରିଲା ଫେଣ:
ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଘଟଣା ଦିନ ସାଧାରଣ ଲୋକେ ଏହି ଦୂଷିତ ମଦ କିଣି ପିଇଥିଲେ । ଏହି ବିଷାକ୍ତ ମଦ ପ୍ରସ୍ତୁତ କରିବାରେ ଅତ୍ୟଧିକ ପରିମାଣର କ୍ଷତିକାରକ କେମିକାଲ ଓ ସ୍ପିରିଟ୍ ବ୍ୟବହାର କରାଯାଇଥିଲା । ମଦ ପିଇବାର ମାତ୍ର କିଛି ସମୟ ମଧ୍ୟରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ବିଗିଡ଼ିବାକୁ ଲାଗିଥିଲା । ଲୋକମାନେ ଛଟପଟ ହେବା ସହ ସେମାନଙ୍କ ପାଟିରୁ ଫେଣ ବାହାରିବା ଆରମ୍ଭ ହୋଇଥିଲା । ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା ।
ମୁଖ୍ୟ ଅଭିଯୁକ୍ତ 'ଯୋଗେଶ ୱାଙ୍ଖଡ଼େ' ଗିରଫ:
ଏହି ମର୍ମନ୍ତୁଦ ଘଟଣା ପରେ ପୁଲିସ ପ୍ରଶାସନ ତତ୍କାଳ ଆକ୍ସନ ମୋଡ୍କୁ ଆସିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଯୋଗେଶ ୱାଙ୍ଖଡ଼େ ନାମକ ଏକ ବେଆଇନ ମଦ ବେପାରୀ ଏହି ବିଷାକ୍ତ ଏବଂ ସ୍ପିରିଟ୍ ଯୁକ୍ତ ମଦ ପ୍ରସ୍ତୁତ କରି ସହରର ବିଭିନ୍ନ ଅଞ୍ଚଳରେ ସପ୍ଲାଇ କରିଥିଲା । ପୁଲିସ ସୂଚନା ଅନୁସାରେ, ଯୋଗେଶ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ସେ ଦୀର୍ଘ ଦିନ ଧରି ଚୋରା ମଦ କାରବାରରେ ଜଡ଼ିତ ରହିଛି । ଏହା ପୂର୍ବରୁ ମଧ୍ୟ ତାଙ୍କ ନାମରେ ବେଆଇନ ମଦ ବିକ୍ରି ଏବଂ ପ୍ରସ୍ତୁତି ନେଇ ଏକାଧିକ ମାମଲା ରୁଜୁ ହୋଇସାରିଛି । ବର୍ତ୍ତମାନ ପୁଲିସ ଅଭିଯୁକ୍ତ ଯୋଗେଶ ୱାନଖେଡ଼େକୁ ଗିରଫ କରି କଠୋର ପଚରାଉଚରା ଚଳାଇଛି ।
ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ପ୍ରଶାସନର ତଦନ୍ତ:
ଏହି ଘଟଣା ପରେ ସ୍ଥାନୀୟ ଦାପୋଡି, ହଡ଼ପସର ଓ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାର ଲୋକେ କାନ୍ଦି ବୋବାଇ ଆକାଶ ପାତାଳ କରୁଛନ୍ତି । ବେଆଇନ ମଦ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ପୁଲିସ ଏବଂ ଅବକାରୀ ବିଭାଗ ଏହି ମଦ କେଉଁଠି ପ୍ରସ୍ତୁତ ହେଉଥିଲା ଏବଂ ଏଥିରେ କେଉଁ ପ୍ରକାରର କେମିକାଲ ମିଶାଯାଇଥିଲା, ତାହାର ଲ୍ୟାବ୍ ଟେଷ୍ଟିଂ ପାଇଁ ନମୁନା ପଠାଇଛନ୍ତି । ଏହି ଘଟଣାରେ ଯୋଗେଶ ସହ ଆଉ କେଉଁମାନେ ସାମିଲ ଅଛନ୍ତି, ତାହାର ଖୋଳତାଳ ଚାଲିଛି । ମହାରାଷ୍ଟ୍ରରେ ବାରମ୍ବାର ଘଟୁଥିବା ଏହିଭଳି ମଦ ମୃତ୍ୟୁ ମାମଲା ଏବେ ରାଜ୍ୟର ଆଇନ ଶୃଙ୍ଖଳା ଓ ଅବକାରୀ ପ୍ରଶାସନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆହୁରି ପଢ଼ନ୍ତୁ... Karnataka CM News: ସିଦ୍ଦରମୈୟାଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ, ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ ଡେଟ୍ ଫାଇନାଲ