ନୂଆଦିଲ୍ଲୀ, ୨୩/୦୮ : ପଞ୍ଜାବର ହୋସିୟାରପୁର-ଜଳନ୍ଧର ମାର୍ଗରେ ଭୟଙ୍କର ବିସ୍ଫୋରଣ। ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ। ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଏହି ଅଘଟଣ ଘଟିଛି। ଏଲପିଜି ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବ୍ଲାଷ୍ଟ ହୋଇଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଟ୍ୟାଙ୍କର ଆଖପାଖରେ ଥିବା ୧୫ଟି ଦୋକାନ ଓ ୪ ରୁ ୫ଟି ଘର ଜଳି ଯାଇଛି। ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଗୁରୁତର ଆହତଙ୍କୁ ଉଦ୍ଧାର କରି ହୋସିୟାରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କ୍ୟାବିନେଟ୍ ମନ୍ତ୍ରୀ ରବଜୋତ ସିଂହ, ବିଧାୟକ ବ୍ରମ ଶଙ୍କର ଜିମ୍ପା ଓ ଡେପୁଟି କମିଶନର ଆଶିକା ଜୈନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଘଟଣାସ୍ଥଳରେ ଏସଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ଅଘଟଣକୁ ଏଡାଇବାକୁ ହୋସିୟାରପୁର-ଜଳନ୍ଧର ମାର୍ଗକୁ ବନ୍ଦ କରି ଦିଆଯାଇଛି। ଗୁରୁତର ଆହତଙ୍କ ଉନ୍ନତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହୋସିୟାରପୁର ହସ୍ପିଟାଲରେ ଅତିରିକ୍ତ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଛି। ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର କାରଣ ଜାଣିବାକୁ ଏସଆଇଟି ଟିମ୍ ଗଠନ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଅଞ୍ଚଳ ଠାରୁ ଦୂରେଇ ରହିବା ପାଇଁ ପ୍ରଶାସନ ପକ୍ଷରୁ ସ୍ତାନୀୟ ଲୋକଙ୍କୁ ନିବେଦନ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ୟାଙ୍କର ଓଲଟିବା ଯୋଗୁଁ ବିସ୍ଫୋରଣ ହୋଇଛି।