ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗ୍ସର ବଡ଼ ବିଜୟ । ୨୬୫ ରନର ବିଜୟ ଲକ୍ଷ୍ୟକୁ ସହଜରେ ପୂରଣ କଲା ଶ୍ରେୟସ ବାହିନୀ । ୬ ଓ୍ବିକେଟରେ ମ୍ୟାଚକୁ ଜିତି ନେଇଛି ପଞ୍ଜାବ ବିଙ୍ଗ୍ସ । ଶ୍ରେୟସ ଏବଂ ପ୍ରଭସିମରନଙ୍କ ଅର୍ଦ୍ଧଶତକ ବଳରେ ଦଳ ଏହି ବିଶାଳ ସ୍କୋରର ଲକ୍ଷ୍ୟକୁ ୭ ବଲ ବାକି ଥାଇ ଜିତି ନେଇଛି । ଆଇପିଏଲ ଇତିହାସରେ ଏକ ବଡ଼ ରେକର୍ଡ ମଧ୍ୟ ପଞ୍ଜାବ ନିଜ ନାମରେ କରିଛି ।

୨୬୫ ରନକୁ ପିଛା କରୁଥିବାବେଳେ ପଞ୍ଜାବର ୨ ଓପନର ବ୍ୟାଟ୍ସମ୍ୟାନ ବିସ୍ଫୋରକ ପାଳି ଖେଳିଥିଲେ । ପ୍ରୀୟାଂଶ ଆର୍ଯ୍ୟ ୧୭ ବଲରୁ ୪୩ ରନ କରିଥିବାବେଳେ ପ୍ରଭସିମରନ୍ ସିଂହ ୨୬ ବଲରୁ ୭୬ ରନ କରିଛନ୍ତି । ପରେ ସରପଞ୍ଚ ସାହେବ ଅଧିନାୟକତ୍ବ ପାଳି ଖେଳିଥିଲେ । ଶ୍ରେୟସ ୩୬ ବଲରୁ ୭୧ ରନ କରିଥିଲେ । ଏହାସହ ଦଳର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କୁପର କୋନଲି ୧୭, ନେହାଲ ଓ୍ବାଡେରା ୧୫ ଏବଂ ଶଶାଙ୍କ ସିଂହ ୧୯ ରନ କରିଥିଲେ । ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୨ଟି ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୨ ଓ୍ବିକେଟ୍ ବିନିମୟରେ ୨୬୪ ରନର ବିଶାଳ ସ୍କୋର କରିଥିଲା । କେ.ଏଲ. ରାହୁଲ ଏବଂ ନୀତିଶ ରାଣାଙ୍କ ଚମକଦାର ବ୍ୟାଟିଂ କରିଥିଲେ । ପଞ୍ଜାବ ବୋଲରଙ୍କୁ ଧୂଲେଇ କଲେ ଏହି ଯୋଡ଼ି । ରାହୁଲ ଶତକୀୟ ପାଳି ଖେଳିଥିବାବେଳେ ରାଣା ୯୧ ରନ କରିଥିଲେ ।

ଆରମ୍ଭରୁ ଦୁଇ ଓପନର ରାହୁଲ ଏବଂ ନିଶାଙ୍କ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ । ନିଶାଙ୍କ ୧୧ ରନରେ ଆଉଟ୍ ହୋଇଥିଲେ । ପରେ ନୀତିଶ ରାଣାଙ୍କ ସହ ବିଶାଳ ସ୍କୋର ଅଭିମୁଖେ ନେଇଥିଲେ । ନୀତିଶ ରାଣା ୪୪ ବଲରୁ ୯୧ ରନ କରିଛନ୍ତି । ଯେଉଁଥିରେ ୧୧ ଚୌକା ଏବଂ ୪ ଛକା ରହିଛି ।

କେ.ଏଲ ରାହୁଲ ୬୭ ବଲରୁ ୧୫୨ ରନ କରି ରେକର୍ଡ କରିଥିଲେ । ପ୍ରଥମରୁ ସେ ପଞ୍ଜାବର ବୋଲରଙ୍କୁ ଧୂଳେଇ କରିବା ଆରମ୍ଭ କରିଥିଲେ । ଦଳର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ପଞ୍ଜାବର ସମସ୍ତ ବୋଲର ୧୦ରୁ ଅଧିକ ହାରରେ ରନ୍ ବ୍ୟୟ କରିଥିଲେ । ତେବେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ଏବଂ ବର୍ଟଲେଟ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ ।

ଏହାସହ ପଢ଼ନ୍ତୁ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ହାଇଦ୍ରାବାଦ, ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ