ନୂଆଦିଲ୍ଲୀ : ଆଇପିଏଲର ୩୬ତମ ମ୍ୟାଚ୍ । ମୁହାଁମୁହିଁ ହେଉଛନ୍ତି ହାଇଦ୍ରାବଦ ଏବଂ ରାଜସ୍ଥାନ । ଜୟପୁରରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ । ପ୍ରଥମେ ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ତେବେ ବିସ୍ଫୋରକ ବ୍ୟାଯ୍ସମ୍ୟାନ ସୂର୍ଯ୍ୟବଂଶୀ ପ୍ରଥମରୁ କିଭଳି ପ୍ରଦର୍ଶନ କରୁଛନ୍ତି ଏହା ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।
ଗତ ୧୩ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା ଓ ହାଇଦ୍ରାବାଦ ୫୭ ରନ୍ରେ ଉକ୍ତ ମ୍ୟାଚ ଜିତିଥିଲା । ଏଥର ରାଜସ୍ଥାନ ପାଳି । ନିଜ ଘରୋଇ ଗ୍ରାଉଣ୍ଡ୍ରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ରାଜସ୍ଥାନ ପ୍ରୟାସ କରିବ । ଏହି ମ୍ୟାଚ୍ରେ ବିଜୟ ଦଳକୁ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିବ ।
ହାଇଦ୍ରାବାଦ ବିଜୟଧାରା ଜାରି ରଖିବାକୁ ପ୍ରସ୍ତୁତ ରହିଥିବା ବେଳେ ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଉପସ୍ଥିତି ଦଳର ଶକ୍ତି ବୃଦ୍ଧି କରିଛି । ତାଙ୍କ ଅନୁପସ୍ଥିତିରେ ଇଶାନ କିଷନ ନେତୃତ୍ୱ ନେଇ ୪ଟି ମ୍ୟାଚ ଜିତାଇ ସାରିଛନ୍ତି । ଦଳର ରନ୍ ରେଟ୍ ମଧ୍ୟ ବେଶ୍ ଉନ୍ନତ ରହିଛି । ମାତ୍ର ଆଜି ତାଙ୍କୁ ନେତୃତ୍ୱ ଛାଡ଼ିବାକୁ ପଡ଼ିବ । କମିନ୍ସ ଅଧିନାୟକ ଭାବେ ଖେଳିବା ନିଶ୍ଚିତ ।
ଆଜିର ମ୍ୟାଚ୍ରେ ମୁଖ୍ୟ ଆକର୍ଷଣ ସାଜିବ ବୈଭବ ସୂର୍ଯ୍ୟବଂଶୀ ଓ ପ୍ରଫୁଲ୍ଲ ହିଙ୍ଗେ ମଧ୍ୟରେ ଲଢ଼େଇ । ବୈଭବ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଯଶପ୍ରୀତ ବୁମରା, ଜୋସ ହାଜେଲଉଡ୍ଙ୍କ ଭଳି ବୋଲରଙ୍କୁ ପ୍ରହାର କରି ଚର୍ଚ୍ଚାରେ ରହିଥିଲେ । ମାତ୍ର ୧୩ତାରିଖରେ ଅନୁଷ୍ଠିତ ମ୍ୟାଚରେ ପ୍ରଫୁଲ ହିଙ୍ଗେ ତାଙ୍କୁ ଏକ ସଟ୍ ପିଚ୍ ବଲ୍ ପକାଇ ଆଉଟ୍ କରିଥିଲେ । ଏହା ପରଠୁ ବୈଭବଙ୍କ ବ୍ୟାଟ୍ରୁ ବିସ୍ଫୋରକ ଇନିଂସ ଦେଖିବାକୁ ମିଳି ନାହିଁ । ଆଜି ଉଭୟ ପୁଣିଥରେ ସାମ୍ନା ସାମ୍ନି ହେବାକୁ ଯାଉଛନ୍ତି । ଏଥର ହିଙ୍ଗେଙ୍କ ବିପକ୍ଷରେ ବୈଭବଙ୍କ ବ୍ୟାଟିଂ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ଏହାସହ ପଢ଼ନ୍ତୁ : ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ନୂଆ କିର୍ତ୍ତୀମାନ ସ୍ଥାପନ କଲେ କେ.ଏଲ. ରାହୁଲ