ଚଣ୍ଡିଗଡ଼,୨୨/୦୩: ପଞ୍ଜାବରେ ଜଣେ ଅଧିକାରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ସେ ରାଜ୍ୟ ପରିବହନ ମନ୍ତ୍ରୀ ଲାଲଜିତ ଭୁଲ୍ଲରଙ୍କ ନାମ ନେଇ ଆତ୍ମହତ୍ୟା କରିଛନ୍ତି । ଏହାପରେ ପରିବହନ ମନ୍ତ୍ରୀ ଭୁଲ୍ଲର ଇସ୍ତଫା ଦେଇଛନ୍ତି ।
ଆତ୍ମହତ୍ୟା କରିଥିବା ଅଧିକାରୀ ହେଲେ ଅମୃତସରର ୱେୟରହାଉସିଂ କର୍ପୋରେସନ୍ର ଜିଲ୍ଲା ମ୍ୟାନେଜର ଗଗନଦୀପ ସିଂହ ରନ୍ଧାୱା । ଶନିବାର ସକାଳେ ସେ ବିଷ ଖାଇଥିଲେ । ତେବେ ମୃତ୍ୟୁ ପୂର୍ବରୁ ୧୨ ସେକେଣ୍ଡର ଏକ ଭିଡିଓ ଜାରି କରିଥିଲେ । ସେଥିରେ ମନ୍ତ୍ରୀ ଲାଲଜିତ ଭୁଲ୍ଲରଙ୍କ ଭୟରେ ଏଭଳି ପଦକ୍ଷେପ ନେଇଥିବା ଦର୍ଶାଇଥିଲେ । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ନିର୍ଦ୍ଦେଶାନୁସାରେ ଭୁଲ୍ଲର ଇସ୍ତଫା ଦେଇଛନ୍ତି । ମାମଲାର ଯାଞ୍ଚ ଦାୟିତ୍ୱ ମୁଖ୍ୟ ସଚିବ କେପି ସିହ୍ନାଙ୍କୁ ଦିଆଯାଇଛି । ଇତିମଧ୍ୟରେ ଭୁଲ୍ଲର ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି । ଯାଞ୍ଚ ଯେପରି ପ୍ରଭାବିତ ନ ହେବ ସେଥିଲାଗି ପଦ ଛାଡି଼ଥିବା ସେ ଦର୍ଶାଇଛନ୍ତି ।
ସେପଟେ ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ମାଜିଥିଆ କହିଛନ୍ତି, ମନ୍ତ୍ରୀ ଭୁଲ୍ଲରଙ୍କ ଅଞ୍ଚଳରେ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ(ଏଫସିଆଇ) ଶସ୍ୟ ସଂରକ୍ଷଣ ଲାଗି ଏକ ୱେୟାରହାଉସ୍ କରିଥିଲା । ମନ୍ତ୍ରୀ ନିଜ ପିତା ସୁଖଦେବ ସିଂହ ଭୁଲ୍ଲରଙ୍କ ନାମରେ ଟେଣ୍ଡର ଲାଗି ଆବେଦନ କରିଥିଲେ । ମନ୍ତ୍ରୀଙ୍କ ପିତାଙ୍କୁ ଟେଣ୍ଡର ନ ମିଳିବାରୁ ସେ ୱେୟାରହାଉସିଂ କର୍ପୋରେସନ୍ର ଜିଲ୍ଲା ମ୍ୟାନେଜର ଗଗନଦୀପ ସିଂହ ରନ୍ଧାୱାଙ୍କୁ ଘରକୁ ଡାକି ମାର୍ପିଟ କରିଥିଲେ । ଉଲଗ୍ନ କରି ଭିଡିଓ କରିଥିଲେ । ପତ୍ନୀ- ପିଲାଙ୍କୁ ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ହତ୍ୟା କରାଇବାକୁ ଧମକ ଦେଇଥିଲେ । ସେଥିଯୋଗୁ ରନ୍ଧାୱା ଆତ୍ମହତ୍ୟା କରିଛନ୍ତି । ଏହି ସମୟରେ ମାଜିଥିଆ ଜିଲ୍ଲାପାଳଙ୍କୁ ରନ୍ଧାୱା ଲେଖିଥିବା ଚିଠିକୁ ମଧ୍ୟ ସେୟାର କରିଥିଲେ । ଏଥିସହ ସେ ଭୁଲ୍ଲରଙ୍କ ବିରୋଧରେ ମାମଲା କରିବାକୁ ଦାବି କରିଥିଲେ । ତେବେ ଏଫ୍ଆଇଆର ନ ହେବାରୁ ର ୧୨ଟାରେ ଚଣ୍ଡିଗଡସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ନିବାସ ଘେରାଉ କରିବାକୁ ସେ ଧମକ ଦେଇଛନ୍ତି ।