ପୁରୀ,୧୬/୧୨: ଆଗକୁ ବଡ଼ଦିନ ଓ ନୂଆବର୍ଷ । ଏବେଠୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଲାଣି । ସନ୍ଧ୍ୟା ସମୟରେ ବେଳାମାର୍ଗରେ ଗାଡ଼ି ମାତ୍ରାଧିକ ଜାମ୍ ହେଉଛି। ବିଶେଷକରି ବହୁ ସଂଖ୍ୟାରେ ଅଟୋ ଓ ଟୋଟୋ ସମେତ ଅନ୍ୟାନ୍ୟ ଗାଡ଼ି ଲାଗି ଅସମ୍ଭାଳ ଭିଡ଼ ଜମୁଛି । ଯାତାୟାତ ଏକପ୍ରକାର ଠପ୍ ହୋଇଯାଉଛି । ଚାଲିକି ଯିବା ମଧ୍ୟ କଷ୍ଟଦାୟକ ହେଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ପୁଲିସ ପକ୍ଷରୁ ବେଳାଭୂମି ମାର୍ଗରେ ଜାରି ହୋଇଛି କଟକଣା ।
ଦିଗବାରେଣୀଠୁ ଶୁଭପ୍ୟାଲେସ ହୋଟେଲ ଛକ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅଟୋ ଓ ଟୋଟୋ ଚଳାଚଳରେ କଟକଣା ଜାରି କରାଯାଇଥିବା ଟ୍ରାଫିକ ଥାନା ଅଧିକାରୀ ଦାୟିତ୍ୱରେ ରହିଥିବା ଡିଏସ୍ପି ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି । ଏହି କଟକଣା ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଟ୍ରାଫିକ ପୁଲିସ ପକ୍ଷରୁ ଲଗାଇଯାଇଥିବା କଟକଣାକୁ ମାନିବାକୁ ଅଟୋ ଓ ଟୋଟୋ ଚାଳକମାନଙ୍କୁ ସ୍ପଷ୍ଟ କରିଛନ୍ତି ।