ପୁରୀ,୦୪/୦୫: କେବଳ ଶନିବାର ହୃଦଘାତ ହେଲେ ବଞ୍ଚିଯିବ, ସପ୍ତାହର ଅନ୍ୟ ୬ ଦିନ ମହାପ୍ରଭୁ ଭରସା । ଶନିବାର ପୁଣି ନିର୍ଦ୍ଦିଷ୍ଟ ସମୟ ଦିନ ୯ଟାରୁ ୧ଟା ଭିତରେ ହୃଦଘାତ ଆସିଲେ ରୋଗୀକୁ ଡାକ୍ତରୀ ସେବା ମିଳିପାରିବ । ଏହା କୌଣସି ଉପାନ୍ତ କି ଗ୍ରାମାଞ୍ଚଳ ନୁହେଁ ବିଶ୍ୱପ୍ରସିଦ୍ଧ ପୁରୀ ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ପୁରୀ ବଡ଼ଦାଣ୍ଡରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏ ବିଚିତ୍ର ସ୍ୱାସ୍ଥ୍ୟସେବା ବୁଦ୍ଧିଜୀବୀଙ୍କୁ ତାଜୁବ୍ କରିଛି ।
ଜିଲ୍ଲାର ପ୍ରାୟ ୨୦ ଲକ୍ଷ ଲୋକ ଓ ଦୈନିକ ପୁରୀ ବୁଲିବାକୁ ଆସୁଥିବା ଲକ୍ଷାଧିକ ପର୍ଯ୍ୟଟକଙ୍କ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ଜଣେ ହୃଦରୋଗ ବିଶେଷଜ୍ଞ ଡାକ୍ତରଙ୍କୁ ଶନିବାର ୪ ଘଣ୍ଟା ନିମନ୍ତେ ନିୟୋଜିତ କରାଯାଇଛି । ଫଳରେ କୌଣସି ଲୋକଙ୍କ ଅଚାନକ ହୃଦଘାତ ଆସିଲେ ଚିକିତ୍ସା ଦୂରର କଥା ଡାକ୍ତର ପରାମର୍ଶ ମଧ୍ୟ ମିଳୁନି । ଏଠାରେ ହୃଦଘାତର ଚିକିତ୍ସା ନିମନ୍ତେ ନା ଆବଶ୍ୟକ ଆଇସିୟୁ ରହିଛି, ନା ଭେଣ୍ଟିଲେଟର, ନା ଅପରେସନ ବ୍ୟବସ୍ଥା । ଡାକ୍ତରମାନଙ୍କୁ ମଧ୍ୟ ଏବାବଦରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ଜ୍ଞାନ ହାସଲ ତାଲିମ ଦିଅଯାଉନି । ଫଳରେ ଏହା ରୋଗୀଙ୍କ ଜୀବନ ପ୍ରତି ବିପଦ ବଢ଼ାଇ ଦେଇଛି । ବଞ୍ଚିବାର ବହୁ ଆଶା ନେଇ ହୃଦଘାତ ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚୁଥିଲେ ହେଁ ତତ୍କାଳ ସେମାନଙ୍କୁ କଟକ, ଏମ୍ସ କିମ୍ବା ଅନ୍ୟ ଘରୋଇ ଡାକ୍ତରଖାନାକୁ ରେଫର କରିଦିଆଯାଉଛି । ସେହି ଡାକ୍ତରଖାନାରେ ପହଞ୍ଚିବା ପର୍ଯ୍ୟନ୍ତ ରୋଗୀର ଦେହରେ ଜୀବନ ତିଷ୍ଠିଲେ ଓ ତାକୁ ଚିକିତ୍ସା ନିମନ୍ତେ ଶଯ୍ୟା ମିଳିପାରିଲେ ସେ ବଞ୍ଚିଲା । ନଚେତ୍ ନାହିଁ । ପ୍ରତିମାସରେ ହୃଦଘାତ ଜନିତ ଏଭଳି କାରଣ ନିମନ୍ତେ ତଥା ଉପଯୁକ୍ତ ତତ୍କାଳ ଚିକିତ୍ସା ନମିଳିବାରୁ ବହୁ ଲୋକଙ୍କ ମୃତ୍ୟୁ ହେଉଛି ।
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପକ୍ଷରୁ ବିଶେଷଜ୍ଞ ଡାକ୍ତର ନିୟୋଜିତ କରାଯାଇ ରୋଗୀ ପରାମର୍ଶ ଓ ଆବଶ୍ୟକ ସ୍ଥଳେ ଚିକିତ୍ସା ସୁବିଧା ଦିଆଯାଉଛି । ହେଲେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପକ୍ଷରୁ କୌଣସି ହୃଦରୋଗ ବିଶେଷଜ୍ଞ ଡାକ୍ତର ନିୟୋଜିତ ହେଉନାହାନ୍ତି । ଫଳରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଚିକିତ୍ସା ହୃଦରୋଗରେ ଆକ୍ରାନ୍ତ ଲୋକଙ୍କ ନିମନ୍ତେ ମୂଲ୍ୟହୀନ ହୋଇଯାଇଛି । ଏପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିଜର ନିଜସ୍ୱ ୬୫୦ ଶଯ୍ୟା ଟିଚିଂ ହସ୍ପିଟାଲ୍ ଖୋଲିବାରେ ଫେଲ୍ ମାରିଥିବାରୁ ରୋଗୀଙ୍କୁ କେବଳ ବୁମେରାଂ ହେବାକୁ ପଡ଼ୁଛି । ଗୋଟିଏ ସ୍ଥାନରେ ବହୁ ସଂଖ୍ୟକ ଡାକ୍ତର ନିୟୋଜିତ ହେଉଥିଲେ ହେଁ ଠିକଣା ସମୟରେ ସେମାନଙ୍କ ଅନୁପସ୍ଥିତି ଓ ବିଶେଷଜ୍ଞ ଡାକ୍ତର ନିୟୋଜନରେ ସରକାର ଫେଲ ମାରିବା ରୋଗୀଙ୍କ ଜୀବନକୁ ବିପଦକୁ ଠେଲି ଦେଇଛି ।
ସେହିପରି ପୁରୀ ଜିଲ୍ଲ ମୁଖ୍ୟ ଚିକିତ୍ସାଳୟର ନୂଆ ୩୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କୋଠା ନିର୍ମାଣ ସରିବାରେ ବିଳମ୍ବ ହେବା ହୃଦରୋଗ ସାଙ୍ଗକୁ ଅନ୍ୟ ଜରୁରୀକାଳୀନ ରୋଗୀଙ୍କ ଚିକିତ୍ସା ହେବା ଆଶା ଅଦ୍ୟାବଧି ମଉଳି ପଡ଼ିଛି । ଜିଲ୍ଲାର ୨୦ ଲକ୍ଷ ଲୋକଙ୍କ ନିମନ୍ତେ ଜରୁରିକାଳୀନ ମାତ୍ର ୬ଟି ଆଇସିୟୁ ଭରସା । ଆଇସିୟୁରେ ବେଡ ନଥିଲେ ଦୁର୍ଘଟଣା ଜନିତ ରୋଗୀର ମୃତ୍ୟୁ ହେଉଛି ।
ଅଧିକ ପଢ଼ନ୍ତୁ :- ରଥଖଳା ହାଲ୍ଚାଲ୍ : ଭଉଁରୀ ଉତ୍ସବରେ ଚକା ଡେରା ନୀତି ଟାଗେର୍ଟ, ବିଲେଇ ବାଡ଼ିଆରେ ଚାଲିଛି ଚକ ପ୍ରସ୍ତୁତ
ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ) ଡା. ଅକ୍ଷୟ ଶତପଥୀ କହିଛନ୍ତି, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ଗୋଟିଏ ହୃଦରୋଗ ଡାକ୍ତର ପଦବି ରହିଛି । ଏଥିନିମନ୍ତେ ନିଯୁକ୍ତି ବିଜ୍ଞାପନ ପ୍ରକାଶ ସତ୍ତେ୍ୱ କେହି ବି ଆସିଲେନି । ପରେ ପ୍ରାଶାସନିକ ଉଦ୍ୟମ କ୍ରମେ ଭୁବନେଶ୍ୱର ଉତ୍କଳ ମେଡିକାଲରୁ ହୃଦରୋଗ ଡାକ୍ତର ସୁଶାନ୍ତ କୁମାର ସାହୁଙ୍କୁ ଡେପୁଟେସନରେ ଶନିବାର ଅଣାଯାଉଛି । ସେ ଉକ୍ତ ଦିନ ୯ଟାରୁ ୧ଟା ପର୍ଯ୍ୟନ୍ତ ରୋଗୀ ଦେଖୁଛନ୍ତି । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପକ୍ଷରୁ ଏଠାରେ କୌଣସି ହୃଦରୋଗ ବିଶେଷଜ୍ଞ ଡାକ୍ତର ନିୟୋଜିତ ହୋଇନାହାନ୍ତି । ଫଳରେ ହୃଦରୋଗୀଙ୍କୁ ବିଶେଷ ଆଶ୍ୱସ୍ତି ମିଳିପାରୁନି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୩୦୦ ଶଯ୍ୟା ବିଶିଷ୍ଟ ନୂଆ କୋଠା ଲୋକାର୍ପଣ ପରେ ଏଠାରେ ହୃଦରୋଗ ସହ ଅନ୍ୟ ଜରୁରିକାଳୀନ ରୋଗୀ ନିମନ୍ତେ ଭିତ୍ତିଭୂମି ବଢ଼ିବ । ଅଧିକ ସଂଖ୍ୟକ ଆଇସିୟୁ ଖୋଲିବ । ସେଥିନିମନ୍ତେ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସିଡିଏମ୍ଓ କହିଛନ୍ତି ।