ପୁରୀ,୦୪/୦୫: ନିର୍ମାଣକାରୀଙ୍କ ଟାର୍ଗେଟ ଏବେ ଠାକୁରଙ୍କ ଭଉଁରୀ ଉତ୍ସବ । ସେଦିନ ଚକ ଅଖ ଡେରା (ଚକ ସହ ଅଖ ସଂଯୋଗ) ହେବ । ଏଣୁ ରବିବାର ଦୁଇଟି ଅନୁକୂଳ ହୋଇ ସିଙ୍ଗଡ଼ା (୧୬ ଅର ସଂଯୁକ୍ତ ତୁମ୍ବ)ରେ ପହି ସଂଯୋଗ କରାଯାଇଛି । ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇସେବକ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ କରୁଛନ୍ତି । ଯନ୍ତାପଟାରେ ପଡ଼ି ସିଙ୍ଗଡ଼ାକୁ ପହି ପିନ୍ଧାଇ ଖୁସିଅର ଲଗାଯାଉଛି । ପରେ କଳସା କରାଯାଇ ପହିକୁ ଖାପରେ ବାନେ୍ଧଣୀ କରି ଚକ ସମ୍ପୂର୍ଣ୍ଣ ହେବ । ନନ୍ଦିଘୋଷ ରଥର ତିନୋଟି ଚକ ପ୍ରସ୍ତୁତି ଚାଲିଥିବା କହିଛନ୍ତି ମହାପ୍ରଭୁଙ୍କ ବାଡ଼ର ବିଶ୍ୱକର୍ମା ସନାତନ ମହାପାତ୍ର । ଏପଟେ ଅଖ ପ୍ରସ୍ତୁତ ପାଇଁ ଭୋଇ ସେବକମାନେ ୪୦ ଫୁଟିଆ କାଠ ନିର୍ମାଣସ୍ଥଳୀରେ ରଖିଛନ୍ତି ।

ରଥ ଖଳାରେ ପହି ବିନ୍ଧ ଅନୁକୂଳ ପରେ ଚକ ତିଆରି ପାଇଁ ପହି ଲାଗି ଅନୁକୂଳ କରାଗଲା । ଚକ ପ୍ରସ୍ତୁତିର ବିଲେଇ ବାଡ଼ିଆ ଏକ ସ୍ୱତନ୍ତ୍ର କାର୍ଯ୍ୟ । ଚକରେ ଲାଗି ହୋଇଥିବା ପହିର ବାହାର ବିନ୍ଧରେ ଖୁସି ଅର ଲାଗିଲା । ପହି ଓ ଅରକୁ କାମୁଡ଼ି ଧରେ ଖୁସି ଅର । ଗୋଟିଏ ଚକରେ ୪ଟି ପହି ଲାଗିଛି । ସେଥିରେ ଥିବା ୧୬ ବିନ୍ଧରେ ୧୬ଟି ଅର ଭୁଞ୍ଜାଗଲା । ବାହାର ପାଶ୍ୱର୍ରେ ୧୬ଟି ଖୁସି ଅର ଲାଗିଲା । ପରେ କଳସା (ପହି ବାନେ୍ଧଣୀ) କାମ ଆରମ୍ଭ ହେବ । ୪ଟି ପହିର ସଂଯୋଗ ସ୍ଥଳକୁ ମାପ କରି ଦାଗ ଦିଆଯାଇଛି। ପହିର ଉଭୟ ଅଂଶକୁ ଆବଶ୍ୟକତା ଅନୁସାରେ କଟାଯାଇ ଖାପରେ ପକାଇ କଳସା କରାଯିବ । ଯନ୍ତାଗାଡ଼ରେ ପଡ଼ି ସିଙ୍ଗଡ଼ା ପ୍ରସ୍ତୁତି ଜାରି ରହିଛି । ରଥ ଚାଳିରେ ରଥର ଖମ୍ବୀ, ଓରା, କୁଡ଼ୁକା କାମ ଚାଲିଛି । ଗୁଜ ଓ ଜଳଯନ୍ତ୍ର ହଣା ସରିଛି । ରୂପକାରମାନେ ଗୁଜରେ ସିଂହ ବିରାଳ ଖୋଦେଇ କରୁଛନ୍ତି । ଶାଳରେ ବଳା ଓ ପନ୍ଦାରି କାର୍ଯ୍ୟ ଚାଲିଛି । ବିଶ୍ୱକର୍ମାଙ୍କ ଚାହିଦା ଅନୁସାରେ ଲୁହା ସାମଗ୍ରୀ ଯୋଗାଉଛନ୍ତି ଓଝା ସେବକ ।

ଅଧିକ ପଢ଼ନ୍ତୁ :-  ରଥଖଳା ହାଲ୍‌ଚାଲ୍... ଅନୁକୂଳ ପରେ ୭ ସିଙ୍ଗଡ଼ା ପ୍ରସ୍ତୁତ, ପନ୍ଦାରି ଅନୁକୂଳ, ପହଞ୍ଚିଲା ୯୦ ପହି

ବିଲେଇ ବାଡ଼ିଆ କ’ଣ ?

ବିଲେଇ ବାଡ଼ିଆ ହେଉଛି ରଥ ଚକ ନିର୍ମାଣର ପାରମ୍ପରିକ ପ୍ରକ୍ରିୟା । ୩୦ କିଲୋଗ୍ରାମ ଓଜନର ଏକ ଆୟତାକାର କାଠ ଖଣ୍ଡକୁ ଦୁଇ ଖଣ୍ଡ କତା ଦୌଡ଼ିରେ ବାନ୍ଧି ପହିକୁ ମାଡ଼ ଦିଆଯାଏ । ଦୁଇ ଜଣ ଲେଖାଏଁ ଭୋଇ ସେବକ ଦୁଇ ପାଶ୍ୱର୍ରେ ଧରି ଆୟତାକାର କାଠଟିକୁ ଦୂରରୁ ଝୁଲାଇ ପହି ଓ ଖୁସି ଅରକୁ ପିଟି ସାଇଜ୍ କରନ୍ତି । ସବୁଠାରୁ ଅଭିଜ୍ଞ ବିଶ୍ୱକର୍ମା ତୁମ୍ବ ଉପରେ ବସି ନିର୍ଦ୍ଦେଶ ଦେଉଥିଲେ । ହାତରେ ମାପ ବାଡ଼ି ଧରି ଚକର ଚତୁଃପାଶ୍ୱର୍କୁ କେଉଁଠି କେତେ ମାଡ଼ ପଡ଼ିବ ବୁଝାଉଥିବେ । ବିଶ୍ୱକର୍ମାଙ୍କ ଇସାରାରେ ଭୋଇ ସେବକମାନେ ପହିକୁ ପିଟି ପିଟି ଅର ସହ ସାଇଜ କରି ଲଗାନ୍ତି । ଗୋଟିଏ ଚକ ପାଇଁ ୮ଜଣ ଭୋଇ ସେବକ ଓ ୪ ଜଣ ପ୍ରାୟ ବିଶ୍ୱକର୍ମା ଏହି କାମ କରନ୍ତି । ଚାରି ଜଣ ଭୋଇ ସେବକ ବିଲେଇ ବାଡ଼ିଆରେ ଓ ଅନ୍ୟ ୪ଜଣ ଚକକୁ ଘୂରାଇ ରଥ ଚକ ପ୍ରସ୍ତୁତ ହୋଇଥାଏ ।