ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଶ୍ରୀଗୁଣ୍ଡିଚା ମନ୍ଦିରରେ 'ଗୁଣ୍ଡିଚା ରାଣୀ' ଓ ‘ନାକଚଣା’ କାହାଣୀ

Published By : Rasmita Pradhan | July 4, 2025 9:33 AM

ପୁରୀ, ୪/୭ : ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରିର ସମ୍ମୁଖ ଭାଗରେ ରହିଛି ଦୁଇଟି ଦ୍ୱାର। ଗୋଟିଏ ‘ସିଂହଦ୍ୱାର’ ଓ ଅନ୍ୟଟି ‘ନାକଚଣା ଦ୍ୱାର’। ‘ଶ୍ରୀଗୁଣ୍ଡିଚାଯାତ୍ରା’ ଦିନ ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ତିନିରଥ ଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରଠାରେ ଲାଗେ । ସେଇ ବାଟରେ ଠାକୁରମାନେ ଗୋଟି ପହଣ୍ଡିରେ ଯାଇ ଆଡ଼ପ ମଣ୍ଡପରେ ବିଜେ ହୁଅନ୍ତି । ଏଣୁ ଏହା ଗୁଣ୍ଡିଚା ମନ୍ଦିରର ପ୍ରଥମ ଓ ମୁଖ୍ୟ ପ୍ରବେଶଦ୍ୱାର । କିନ୍ତୁ ଏହି ଦ୍ୱାରର ପୂର୍ବ ପଟକୁ, ସିଂହଦ୍ୱାର ପରି ଶରଧା ବାଲି ଦିଗରେ ଆଉ ଏକ ଦ୍ୱାର ରହିଛି । ଏହା ହେଉଛି ଗୁଣ୍ଡିଚା ମନ୍ଦିରର ଦ୍ୱିତୀୟ ଦ୍ୱାର । ତିନିରଥ ଦକ୍ଷିଣ ମୋଡ଼ ହୋଇ ଏହି ଦ୍ୱାର ସାମ୍ନାକୁ ଆସିଥାଆନ୍ତି ଏବଂ ଏହି ଦ୍ୱାର ଦେଇ ଧାଡ଼ିପହଣ୍ଡିରେ ଆସି ଠାକୁରମାନେ ବାହୁଡ଼ା ଯାତ୍ରା ପାଇଁ ରଥରେ ବିଜେ ହୁଅନ୍ତି । ଏଣୁ ଏହା ଠାକୁରମାନଙ୍କର ପ୍ରସ୍ଥାନ ଦ୍ୱାର । ଏହାର ଲୋକପ୍ରିୟ ନାମ ‘ନାକଚଣା ଦ୍ୱାର’ । କାହିଁକି ଏହି ଦ୍ୱାରର ନାମ ‘ନାକଚଣା ଦ୍ୱାର’ ହୋଇଛି, ସେନେଇ ଏକ କିମ୍ଵଦନ୍ତୀ ରହିଛି ।

ଓଡ଼ିଆରେ ‘ନାକଚଣା’ କହିଲେ ନାକପୁଡ଼ାରେ ପିନ୍ଧାଯାଉଥିବା ଏକ ପ୍ରକାରର ‘ଫୁଲି’ ବା ଅଳଙ୍କାରକୁ ବୁଝାଏ। ଏହାର ଅନେକ କିସମ ଅଛି। ଏହି କିସମଗୁଡ଼ିକ ହେଉଛି ‘ଓଲଟମୁହାଁ’, ‘କଣ୍ଠି’, ‘ବଉଳକୋଳିଆ’ ଓ ‘ଆମ୍ବକେରିଆ’ ଇତ୍ୟାଦି । ଏ ସଂପର୍କରେ ଓଡ଼ିଆ ସାହିତ୍ୟର ପ୍ରାଚୀନ କବି ଦେବଦୁର୍ଲଭ ଦାସଙ୍କ ‘ରହସ୍ୟ ମଞ୍ଜରୀ’ କାବ୍ୟରେ ମଧ୍ୟ ବର୍ଣ୍ଣନା ଅଛି । ସେହି ବର୍ଣ୍ଣନା ହେଉଛି, “ବିକ ମୁଦ୍ରିକା ବଳୟ ବାହୁଟି / ହାର ତାଟଙ୍କ ନାକଚଣା କଣ୍ଠି ।” ଏସବୁ ହେଉଛି କାବ୍ୟ-ନାୟିକା ବା ସେଦିନର ଓଡ଼ିଆ ନାରୀ ପିନ୍ଧୁଥିବା ଅଳଙ୍କାର । ସେତେବେଳେ ସେମାନେ ନାକରେ ପିନ୍ଧୁଥିବା ଅଳଙ୍କାର ‘ନାକଚଣା’ ବା ‘ନାକଫୁଲି’ ଭାବରେ ନାମିତ ହେଉଥିଲା । ଏହି ‘ନାକଚଣା’ ଅନୁସାରେ ଶ୍ରୀଗୁଣ୍ଡିଚା ମନ୍ଦିରର ଦ୍ୱିତୀୟ ଦ୍ୱାରଟି ନାମିତ ହୋଇଛି।

ଏ ସଂପର୍କରେ ଥିବା କାହାଣୀ ବା କିମ୍ବଦନ୍ତି ମଧ୍ୟରୁ ପ୍ରମୁଖଟି ହେଉଛି- ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀଙ୍କ ନାଁ ଥିଲା ଗୁଣ୍ଡିଚା। ସେ ନାକରେ ପିନ୍ଧୁଥିବା ସୁନାର ‘ନାକଚଣା’ରେ ହୀରା ଖଚିତ ହୋଇଥିଲା । ତେଣୁ ତାହା ବହୁମୂଲ୍ୟ ଥିଲା । ତାହାକୁ ବିକ୍ରୟ କରି ସେହି ଅର୍ଥରେ ଗୁଣ୍ଡିଚା ରାଣୀ ମନ୍ଦିରର ଏହି ଦ୍ୱିତୀୟ ଦ୍ୱାର ନିର୍ମାଣ କରାଇଥିଲେ । ତେଣୁ ତାହା ‘ନାକଚଣା ଦ୍ୱାର’ ନାମରେ ପ୍ରସିଦ୍ଧ ହେଲା ।

ଲୋକମୁଖରେ ଏହି କାହାଣୀଟି ପ୍ରସିଦ୍ଧ ହେଲେ ମଧ୍ୟ ‘ନାକଚଣା ଦ୍ୱାର’ର ନାମ ପଛରେ ଆଉ ଦୁଇଟି କାହାଣୀ ମଧ୍ୟ ପ୍ରଚଳିତ ଅଛି । ସେଥିରୁ ଗୋଟିଏ ହେଉଛି- ରାଜା କପିଳେନ୍ଦ୍ର ଦେବଙ୍କ ସମୟ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗରେ ଥିଲା ଗୋଟିଏ ଦ୍ୱାର । ଏହି ରାଜାଙ୍କର ରାଣୀ ନିଜ ନାକଚଣାର ମୂଲ୍ୟରେ ଗୁଣ୍ଡିଚାମନ୍ଦିରର ଦ୍ୱିତୀୟ ଦ୍ୱାର ଗଢ଼ାଇଥିଲେ । ତେଣୁ ତାହାର ନାମ ନାକଚଣାଦ୍ୱାର ହେଲା ।

କିନ୍ତୁ ଏ ସଂପର୍କରେ ପ୍ରଚଳିତ ତୃତୀୟ କିମ୍ବଦନ୍ତିଟି, କୌଣସି ରାଣୀଙ୍କ ସହିତ ନୁହେଁ- ସ୍ୱୟଂ ମହାଲକ୍ଷ୍ମୀଙ୍କ ସହ ଜଡ଼ିତ । ଏହି କିମ୍ବଦନ୍ତି ଅନୁସାରେ, ହେରାପଞ୍ଚମୀ ଦିନ ଦେବୀ ଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରକୁ ଆସିଥିବା ବେଳେ, ସଂଧ୍ୟାଧୂପର ‘ଟେରା’ ପଡ଼ିଯିବାରୁ ସେ କ୍ରୋଧାନ୍ୱିତ ହୋଇଥିଲେ । ସେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିଥିଲେ ହେଁ ରାଗରେ ଦକ୍ଷିଣ ଦ୍ୱାର ଦେଇ ବାହାରିଯାଇଥିଲେ । ସେହି ବାଟେ ତରତର ହୋଇ ବାହାରି ଯିବାବେଳେ ତାଙ୍କର ନାକରୁ ନାକ ଅଳଙ୍କାରଟି ଖସି ପଡ଼ିଥିଲା । ସେହି ଅଳଙ୍କାର ‘ଚଣା’ ଆକୃତିର ଥିବା ହେତୁ, ତାହାର ସ୍ମୃତିରେ ଦ୍ୱାରର ନାମ ‘ନାକଚଣା’ ହେଲା ।

ଏହି ତିନି କିମ୍ବଦନ୍ତି ମଧ୍ୟରୁ ପ୍ରଥମଟି ହିଁ ଅଧିକ ଲୋକପ୍ରିୟ । ତେଣୁ ଲୋକବିଶ୍ୱାସ ରହିଆସିଛି ଯେ ଗୁଣ୍ଡିଚାରାଣୀଙ୍କ ନାକଚଣାର ବିନିମୟ ମୂଲ୍ୟରେ ଏହି ଦ୍ୱାର ନିର୍ମିତ ହୋଇଥିବାରୁ, ଏହାର ନାମ ‘ନାକଚଣା ଦ୍ୱାର’ ହୋଇଛି । କିନ୍ତୁ ଏହି ଦ୍ୱାରର ଅନ୍ୟ ଏକ ନାମ ମଧ୍ୟ ରହିଛି । ତାହା ହେଉଛି ‘ବିଜୟ’ ଦ୍ୱାର । ଏହି ଦ୍ୱାର ଦେଇ ଶ୍ରୀଜଗନ୍ନାଥାଦି ଦେବତା ବାହୁଡ଼ା ବିଜୟରେ ବାହାରୁଥିବାରୁ ଏହି ନାମକରଣ ହୋଇଛି । 

ଉଲ୍ଲେଖନୀୟ ଯେ ହେରାପଞ୍ଚମୀ ଦିନ ଦେବୀ ଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରଠାରେ ଶ୍ରୀଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ପାଇବା ପରେ, ତାହାର ପରଦିନ ସକାଳେ ହିଁ ବାହୁଡ଼ା ବିଜୟର ପ୍ରସ୍ତୁତିପାଇଁ ତିନି ରଥକୁ ଆଜ୍ଞାମାଳ ଦିଆଯାଇଥାଏ । ଏହା ରଥକୁ ଠାକୁରମାନଙ୍କର ଶେଷ ଆଜ୍ଞାମାଳ । ଏହି ଆଜ୍ଞାମାଳ ମିଳିବା ପରେ ତିନି ରଥର ଦକ୍ଷିଣ ମୋଡ଼ ହୁଏ । ଅର୍ଥାତ୍ ଉତ୍ତରରେ ଥିବା ଗୁଣ୍ଡିଚାମନ୍ଦିରରୁ ଦକ୍ଷିଣରେ ଥିବା ଶ୍ରୀମନ୍ଦିରକୁ ବାହୁଡ଼ିବାପାଇଁ ଠାକୁରମାନେ ପ୍ରସ୍ତୁତ ହୁଅନ୍ତି । ଶ୍ରୀଗୁଣ୍ଡିଚାଯାତ୍ରାରେ ଆସି ପ୍ରଥମଦ୍ୱାର ଅର୍ଥାତ୍ ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ ମଧ୍ୟ, ଏହି ଦ୍ୱାର ଦେଇ ଠାକୁରମାନେ ‘ବାହୁଡ଼ା ପହଣ୍ଡି’ ହୋଇ ରଥକୁ ଆସିଥାଆନ୍ତି । ଏଣୁ ଏହି ‘ନାକଚଣା’ ଦ୍ୱାରର ଅନ୍ୟ ନାମ ମଧ୍ୟ ‘ବିଜୟ’ ଦ୍ୱାର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.