ପୁରୀ,୦୨/୦୭: ଭାଇଭଉଣୀଙ୍କୁ  ସାଙ୍ଗରେ ନେଇ ଘୋଷଯାତ୍ରାରେ ଯାଇ ଗୁଣ୍ଡିଚାମନ୍ଦିର ଜନ୍ମବେଦିରେ ବିଜେ  ହୋଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।  ବଡ଼ଦେଉଳରେ ଧର୍ମପତ୍ନୀଙ୍କୁ ଛାଡ଼ି  ଆସିଛନ୍ତି ଠାକୁରେ । ଏଣୁ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ  ମଙ୍ଗଳବାର ହେରାପଞ୍ଚମୀରେ ଗୁଣ୍ଡିଚା ମନ୍ଦିରରେ ବିଜେ ହୋଇ ଠାକୁରଙ୍କ  ଖବର ନେଇଛନ୍ତି । ସେବକ ଓ ଦାସୀଙ୍କ ଗହଣରେ ବିଳମ୍ବିତ ରାତିରେ ମହାଲକ୍ଷ୍ମୀ  ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ  ପହଞ୍ଚି ନନ୍ଦିଘୋଷ ରଥକୁ ଭାଙ୍ଗିଲେ ।  ରଥରେ ଲାଗିଥିବା ହଂସପଟାର ଏକ  ଅଂଶକୁ ସେବକଙ୍କ ଦ୍ୱାରା ଭଙ୍ଗା ଗଲା ।  ପରେ ମହାପ୍ରଭୁଙ୍କ ଆଜ୍ଞମାଳ ପାଇ  ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ  ଫେରିଥିଲେ ମା’ଲକ୍ଷ୍ମୀ ସାଆନ୍ତାଣି ।  

ଭଣ୍ଡାର ଘରେ ବିଜେ ହୋଇଥିବା  ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ ସ୍ୱତନ୍ତ୍ର  ମାଜଣା ଓ ବନକଲାଗି କରାଯାଇ  ନୂତନ ପାଟବସ୍ତ୍ର ଓ ସ୍ୱର୍ଣ୍ଣାଳଙ୍କାରରେ ସୁଶୋଭିତ କରାଯାଇଥିଲା । ସେବକ  ଓ ଭକ୍ତଙ୍କ ଗହଣରେ ଶ୍ରୀମନ୍ଦିରରୁ  ବାହାରି ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ଘରେ  ବିଜେ ହୋଇଥିଲେ । ଗୁଣ୍ଡିଚା ଘର  ସମ୍ମୁଖରେ ପହଞ୍ଚିବାରେ ଠାକୁରାଣୀଙ୍କୁ  ପ୍ରସାଦ ଲାଗି, ବନ୍ଦାପନା, ଚାମର ଓ  ଆଲଟ ସେବା ଅର୍ପଣ କରାଯାଇଥିଲା ।  ଘଷା, ବିଡ଼ିଆ, ଦହିପଟି ମଣୋହି  କରାଯାଇଥିଲା । ଇତି ମଧ୍ୟରେ  ଆଡ଼ପ ମଣ୍ଡପରେ ସନ୍ଧ୍ୟାଧୂପ ନୀତି  ହେଉଥାଏ । ରଥ ନିକଟରୁ ମା'ଲକ୍ଷ୍ମୀ  ଶ୍ରୀଗୁଣ୍ଡିଚା ମନ୍ଦିର ଜଗମୋହନର  ଜୟବିଜୟ ଦ୍ୱାରଠାରେ ପହଞ୍ଚିଥିଲେ ।  ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ  ଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ଲାଗି  କରିଥିଲେ । ଏହାପରେ ବିଧି ମୁତାବକ  ମହାପ୍ରଭୁଙ୍କ ଦ୍ୱାର ବନ୍ଦ ହୋଇଥିଲା ।  ନୀତି ସାରି ଠାକୁରାଣୀ ରାଗ ତମତମ  ହୋଇ ଶ୍ରୀଗୁଣ୍ଡିଚା ଘର ନାକଚଣା  ଦ୍ୱାର ଦେଇ ବାହାରିବା ସମୟରେ  ଠାକୁରାଣୀଙ୍କୁ ଦହିପଟି ମଣୋହି ଓ  ବନ୍ଦାପନା କରାଯାଇଥିଲା । ତେବେ  ରାତିକୁ ଗୁଣ୍ଡିଚା ଘରେ ମହାପ୍ରଭୁଙ୍କ  ନୀତିରେ ସାମାନ୍ୟ ସୁଧାର ଆସିଥିଲା।