ନୂଆଦିଲ୍ଲୀ : ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଭୟଙ୍କର ଯୁଦ୍ଧ ମଧ୍ୟରେ ୧୧ଫେବ୍ରୁଆରୀରେ ଏକ ନୂଆ ଓ ବଡ଼ ଅପଡେଟ୍‌ ସାମନାକୁ ଆସିଛି। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ କାର୍ଯ୍ୟାଳୟ କ୍ରେମଲିନ୍‌ ଦାବି କରିଛି କି, ୟୁକ୍ରେନର ମହତ୍ତ୍ୱପୂର୍ଣ୍ଣ ଭାଗ ରୁଷ୍‌କୁ ମିଳିବା ଉଚିତ୍‌। କ୍ରେମଲିନ୍‌ର ଏହି ଦାବିରେ ୟୁରୋପରେ ଆତଙ୍କ ଖେଳି ଯାଇଛି। ଏହା ଆଶଙ୍କା କରାଯାଉଛି ଯେ, ପୁଟିନ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କୌଣସି ସିକ୍ରେଟ୍‌ ଡିଲ୍‌ ତ ହୋଇ ନାହିଁ ? ନିକଟରେ ଏକ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ଟ୍ରମ୍ପ କହି ଥିଲେ ଯେ, ୟୁକ୍ରେନ୍‌ କେବେ ବି ରୁଷ୍‌କୁ ମିଳି ପାରେ। 

ମଙ୍ଗଳବାର କ୍ରେମଲିନ୍‌ କହିଛି – ୟୁକ୍ରେନର ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଟ ହେବାକୁ ଚାହୁଁଛି ରୁଷ୍‌। ଏହି ବୟାନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ଟିପ୍ପଣୀର କିଛି ଘଣ୍ଟା ପରେ ଆସିଛି, ଯେଉଁଥିରେ ସେ କହିଥିଲେ ଯେ, ୟୁକ୍ରେନ କେବେ ବି ରୁଷ୍‌ର ହୋଇ ପାରେ। ଫକ୍ସ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ୟୁକ୍ରେନ୍‌ ଓ ରୁଷ୍ ମଧ୍ୟରେ ୩ ବର୍ଷରୁ ଜାରି ସଂଘର୍ଷକୁ ନେଇ କହିଛନ୍ତି – ୟୁକ୍ରେନ ଏକ ଚୁକ୍ତି କରିପାରେ, କରି ବି ନପାରେ। ସେ ରୁଷ୍‌ ସହ ମିଶି ପାରେ, ମିଶି ବି ନପାରେ। 

ଏହା ଉପରେ ପ୍ରତିକ୍ରିୟା ଦେଇ କ୍ରେମଲିନ୍‌ର ପ୍ରବକ୍ତା ଡିମିତ୍ରୀ ପେସ୍କୋଭ୍‌ ମଙ୍ଗଳବାର କହିଛନ୍ତି ଯେ, ୟୁକ୍ରେନ୍‌ର ସ୍ଥିତି ଖୁବ୍‌ ମାତ୍ରାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶବ୍ଦ ସହ ମିଶି ଯାଉଛି। କ୍ରେମଲିନ୍‌ କହିଛନ୍ତି, ଏହା ଏକ ତଥ୍ୟ ଯେ, ୟୁକ୍ରେନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ରୁଷ୍‌ ହେବାକୁ ଚାହୁଁଛି ଏବଂ ପୂର୍ବରୁ ହିଁ ହୋଇ ସାରିଛି। ପେସ୍କୋଭ୍‌ ୨୦୨୨ରେ ରୁଷ୍‌ ଦ୍ୱାରା ୪ଟି ୟୁକ୍ରେନ୍‌ ଅଞ୍ଚଳର ବିଲୟର କଥା କହୁ ଥିଲେ। ସେ ଆହୁରି କହିଛନ୍ତି , କୌଣସି ବି ଘଟଣା ଘଟିବାର ସମ୍ଭାବନା ୫୦ ପ୍ରତିଶତ ହୋଇଥାଏ।

ଟ୍ରମ୍ପ ପୁଣି ଥରେ ଦୋହରାଇଛନ୍ତି ଯେ, ସେ ନିର୍ବାଚନ ବେଳେ କରିଥିବା ନିଜର ପ୍ରତିଶ୍ରୁତି ଉପରେ ଅଟଳ ଅଛନ୍ତି। ତାଙ୍କର ପ୍ରାଥମିକତା ବିଶ୍ୱରୁ ଯୁଦ୍ଧର ପରିସମାପ୍ତି। ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ୩ ବର୍ଷରୁ ଯୁଦ୍ଧ ଜାରି ରହିଛି। ଅନେକ ମୃତାହତ ଓ ବିଲିୟନ ବିଲିୟନ ସଂପତ୍ତିର କ୍ଷତି ହେବା ପରେ ଏବେ ଏହି ଯୁଦ୍ଧ ବନ୍ଦ ହୋଇଯିବା ଉଚିତ୍‌।