ନୂଆଦିଲ୍ଲୀ : ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ନିକଟରେ ପ୍ରକାଶ କରାଯାଇଥିବା ଜେଫ୍ରି ଏପଷ୍ଟିନଙ୍କ ଫାଇଲ ଗୁଡ଼ିକ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଏହି ଲକ୍ଷ ଲକ୍ଷ ପୃଷ୍ଠାର କାଗଜପତ୍ରରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁନଙ୍କ ନାଁ ଅତି କମ୍‌ରେ ୧୦୦୫ ଥର ଆସିଛି। ରିପୋର୍ଟ ଅନୁସାରେ , ଅଧିକାଂଶ ଉଲ୍ଲେଖ ନ୍ୟୁଜ୍ କ୍ଲିପିଂସ କିମ୍ୱା ରିପୋର୍ଟ ସହ ଜଡ଼ିତ, ଯାହା ଏପଷ୍ଟିନଙ୍କୁ ପଠାଯାଉ ଥିଲା, କିନ୍ତୁ କିଛି ଇମେଲରେ ଏପଷ୍ଟିନଙ୍କର ପୁଟିନଙ୍କ ସହ ସାକ୍ଷାତ୍ କରିବାର ବାରମ୍ୱାର ଚେଷ୍ଟାକୁ ଉଲ୍ଲେଖ ରହିଛି। ହେଲେ ଏହି ସବୁ ଫାଇଲରେ କେଉଁଠି ବି ଏହା ସାବ୍ୟସ୍ତ ହୋଇ ନାହିଁ ଯେ,ଉଭୟଙ୍କର କେବେ ବାସ୍ତବିକ ସାକ୍ଷାତ୍ ହୋଇଛି।

ରିପୋର୍ଟ ଅନୁସାରେ ଏପଷ୍ଟିନ ରୁଷୀୟ ଅଧିକାରୀ , ପୂର୍ବତନ ରାଷ୍ଟ୍ରଦୂତ ଓ ଏମିତି କି ଏଫଏସବି ସହ ଜଡ଼ିତ ଲୋକଙ୍କ ସହ ସଂପର୍କ କରିବାକୁ ଚେଷ୍ଟା କରି ଥିଲେ। ଏହି ଖୁଲାସା ପରେ ହନିଟ୍ରାପ୍ ଓ ଗୁପ୍ତଚରର ଅଟକଳ ଦ୍ରୁତତର ହୋଇଛି। ରିପୋର୍ଟ ସାମ୍ନାକୁ ଆସିବା ପରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଏହାକୁ ରୁଷୀୟ ଗୁଇନ୍ଦା ଏଜେନ୍ସି ଗୁଡ଼ିକ ସହ ଜଡ଼ିତ ବଡ଼ ଘୋଟାଲା ଦର୍ଶାଇ ଯାଞ୍ଚ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। କ୍ରେମଲିନ୍ ଏହି ଦାବି ଗୁଡ଼ିକୁ ମୂଲ୍ୟହୀନ କହି ଖଣ୍ଡନ କରି ଦେଇଛି।

ରୁଷୀୟ ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ ଏପଷ୍ଟିନ –

ଜାରି କାଗଜପତ୍ର ଅନୁସାରେ , ଏପଷ୍ଟିନ ନ୍ୟୁୟର୍କରେ ରୁଷ୍‌ର ପୂର୍ବତନ ରାଷ୍ଟ୍ରଦୂତ ଭିଟାଲୀ ଚର୍କିନଙ୍କ ସହ ନିୟମିତ ରୂପେ ସାକ୍ଷାତ କରୁ ଥିଲେ। ଏପଷ୍ଟିନ ଚର୍କିନଙ୍କ ପୁଅ ମ୍ୟାକ୍ସିମଙ୍କୁ ନ୍ୟୁୟର୍କର ଏକ ପ୍ରମୁଖ ୱେଲଥ୍ ମ୍ୟାନେଜମେଣ୍ଟ କମ୍ପାନୀରେ ଚାକିରି ଦେବାକୁ ଅଫର ମଧ୍ୟ ଦେଇଥିଲେ। ୨୦୧୭ ମସିହାରେ ଚର୍କିନଙ୍କର ହଠାତ୍ ମୃତ୍ୟୁ ପରେ ଏପଷ୍ଟିନ ରୁଷ୍ ସହ ସଂପର୍କ ଜାରି ରଖିବା ପାଇଁ ନୂଆ ରାସ୍ତା ଖୋଜିବା ଆରମ୍ଭ କରି ଥିଲେ। ଜୁନ୍ ୨୦୧୮ରେ ଏପଷ୍ଟିନ ନରୱେର ରାଜନେତା ଥୋରବଜର୍ନ ଜାଗଲ୍ୟାଣ୍ଡ( ଯିଏ ଏହି ସମୟରେ କାଉନ୍ସିଲ ଅଫ୍ ୟୁରୋପର ସେକ୍ରେଟାରୀ ଜେନେରାଲ ଥିଲେ)ଙ୍କୁ ଇମେଲ କରି ଥିଲେ। ଏହି ଇମେଲରେ ସେ ଲେଖିଥିଲେ ଯେ, ଜାଗଲ୍ୟାଣ୍ଡଙ୍କୁ ପୁଟିନଙ୍କୁ ପରାମର୍ଶ ଦେବା ଉଚିତ୍ ଯେ, ରୁଷ୍‌ର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ମୋ ସହ କଥା ହୋଇ ତଥ୍ୟ ନେଇ ପାରିବେ। ଏପଷ୍ଟିନ ଲେଖିଥିଲେ ଯେ ଚର୍କିନ ବହୁତ ଭଲ ଥିଲେ, ସେ ମୋ କଥା ପରେ ଟ୍ରମ୍ପଙ୍କୁ ବୁଝି ପାରି ଥିଲେ। ଜାଗଲ୍ୟାଣ୍ଡ ଉତ୍ତରରେ କହିଥିଲେ ଯେ, ସେ ଲାଭରୋଭଙ୍କ ଆସିଷ୍ଟାଣ୍ଟଙ୍କୁ ଭେଟି ଏହି କଥା ପହଞ୍ଚାଇ ଦେବେ।

ଆହୁରି ମଧ୍ୟ ପଢନ୍ତୁ : ସ୍କାଉଟିଂରୁ ମସାଜ ଯାଏ... ଯୁବତୀଙ୍କୁ ଏହି ଉପାୟରେ ଆକର୍ଷିତ କରୁଥିଲେ ଏପଷ୍ଟିନ ; ବିସ୍ତୃତରେ ଜାଣନ୍ତୁ

ଉକ୍ତ ଖୁଲାସା ପରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ କହିଛନ୍ତି ଯେ, ତାଙ୍କ ଦେଶ ଏପଷ୍ଟିନଙ୍କ ରୁଷୀୟ ଗୁଇନ୍ଦା ଏଜେନ୍ସି ସହ ସହ ସମ୍ଭାବିତ ସମ୍ୱନ୍ଧକୁ ନେଇ ଯାଞ୍ଚ ଆରମ୍ଭ କରିବ। ଅନ୍ୟପଟେ ରୁଷ୍‌ର ସରକାର ଏହି ସବୁ ଦାବିକୁ ଖାରଜ କରି ଦେଇଛନ୍ତି। କ୍ରେମଲିନ୍‌ର ମୁଖପାତ୍ର ଡିମିତ୍ରୀ ପେସ୍କୋଭ କହିଛନ୍ତି ଯେ, ଏପଷ୍ଟିନ୍ ଓ ରୁଷୀୟ ଗୁପ୍ତଚରର ଦାବି ଗୁଡ଼ିକୁ ଗୁରୁତର ନେବା ଉଚିତ ନୁହେଁ।