ନୂଆଦିଲ୍ଲୀ : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବେ। ପୁଟିନଙ୍କର ଆଗାମୀ ଯାତ୍ରାର ସ୍ପଷ୍ଟ କରି କ୍ରେମଲିନ୍ ସୋମବାର କହିଛି। ରାଷ୍ଟ୍ରପତି ପୁଟିନଙ୍କର ଭାରତ ଯାତ୍ରାର ତାରିଖ ଘୋଷଣା ଖୁବ୍ ଶୀଘ୍ର କରାଯିବ। ଏହାକୁ ନେଇ ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି।
ପିଏମ୍ ମୋଦି ଓ ପୁଟିନଙ୍କ ସାକ୍ଷାତ୍କୁ ନେଇ ଆମେରିକାରେ ରୁଷୀୟ ରାଷ୍ଟ୍ରଦୂତ ଉଷାନୋଭ କହିଛନ୍ତି ଯେ, ଭାରତ ଓ ରୁଷ୍ ମଧ୍ୟରେ ପ୍ରତିବର୍ଷ ଏକ ଦ୍ୱିପାକ୍ଷୀୟ ବୈଠକ କରିବାର ଚୁକ୍ତି ରହିଛି। ପିଏମ୍ ମୋଦି ରୁଷ୍ ଆସି ସାରିଛନ୍ତି। ଏବେ ରାଷ୍ଟ୍ରପତି ପୁଟିନଙ୍କର ପାଳି। ଆମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ ମିଳିଛି। ନିଶ୍ଚିତ ଭାବେ ଏହି ବିଷୟରେ ସକରାତ୍ମକ ସୂଚନା ମିଳିଛି। ସେ କହିଛନ୍ତି ଯେ , ବର୍ଷର ଆରମ୍ଭରେ ହିଁ ପୁଟିନଙ୍କ ଭାରତ ଗସ୍ତର କାର୍ଯ୍ୟକ୍ରମର ଘୋଷଣା କରାଯିବ।
କ୍ରେମଲିନ୍ର ପ୍ରବକ୍ତା ଡିମିତ୍ରୀ ପେସକୋଭ ମଧ୍ୟ ଦୁଇ ସପ୍ତାହ ପୂର୍ବରୁ ପୁଟିନଙ୍କ ଆଗାମୀ ଭାରତ ଗସ୍ତ ନେଇ ଘୋଷଣା କରି ଥିଲେ। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି କି, ଆମେ ଚଳିତ ବର୍ଷ ଦୁଇ ଥର ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ କରିଛୁ। ଆଶା କି ଆମେ ଖୁବ୍ ଶୀଘ୍ର ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତର ତାରିଖ ସ୍ଥିର କରିବୁ।
ଭାରତୀୟ ବିଦେଶ ମନ୍ତ୍ରଣାଳୟ ମଧ୍ୟ ପୂର୍ବରୁ ଏକ ବୟାନ ଜାରି କରି କହିଥିଲା କି,ଚଳିତ ବର୍ଷ ଜୁଲାଇରେ ଯେବେ ପିଏମ୍ ମୋଦି ୨୨ତମ ଭାରତ-ରୁଷ୍ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ରୁଷ୍ ଯାଇ ଥିଲେ, ସେଠାରେ ସେ ପୁଟିନଙ୍କୁ ଆମନ୍ତ୍ରିତ କରି ଥିଲେ। ଭାରତ ଓ ରୁଷ୍ ମଧ୍ୟରେ ହେବାକୁ ଥିବା ୨୩ତମ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ପୁଟିନଙ୍କ ଦିଲ୍ଲୀଗସ୍ତ କରିବାର ସମ୍ଭାବନା ରହିଛି।