ନୂଆଦିଲ୍ଲୀ,୨୬।୩: ଉପସାଗରୀୟ ଦେଶଗୁଡ଼ିକ ଉପରେ ଇରାନର ଆକ୍ରମଣ ମଧ୍ୟରେ, କତର ଏବଂ ତେହେରାନ ଭିତରେ ହୋଇଛି ଏକ ନୀରବ ଚୁକ୍ତିନାମା। ଏହା ସହ ପ୍ରଥମ ଥର କତର ଅଫିସିଆଲି ଇରାନ ସହ ଯୁଦ୍ଧଠାରୁ ନିଜକୁ ଅଲଗା ରଖିଛି। କେବଳ ସେତିକି ନୁହେଁ କତର କହିଛି ଆମେରିକା ଓ ଇରାନ ଭିତରେ ମଧ୍ୟସ୍ଥତା କରିବନି। ଇରାନ ମଧ୍ୟ ୨୦ ମାର୍ଚ୍ଚ ପରେ କତର ଉପରେ କୌଣସି ଆକ୍ରମଣ କରିନି। କତର ଓ ଇରାନ ଭିତରେ ଏହି ଡିଲ୍ କିପରି ହୋଇଛି, ଏହାକୁ ନେଇ ଉପସାଗରୀୟ ଦେଶରେ ଅଲଗା ଅଲଗା ଚର୍ଚ୍ଚା ହେଉଛି।
ଇସ୍ରାଏଲ ଓ୍ବେବସାଇଟ୍ JFeed ଅନୁସାରେ, କତର ଓ ଇରାନ ଭିତରେ ଏକ ଚୁକ୍ତି ହୋଇଛି। ଏହା ଅନୁସାରେ, ଯଦି କତର ତୈଳ ଓ ଗ୍ୟାସ୍ ଆଡ୍ଡା ଉପରେ ଇରାନ ଆକ୍ରମଣ କରେ ତେବେ ତାକୁ ୬ ବିଳିୟନ ଡଲାର ଦିଆଯିବ। ଏହି ଟଙ୍କା ୨୦୨୩ ରେ କତରକୁ ଦେଇଥିଲା ଆମେରିକା । ଏହା ବଦଳରେ ଇରାନ କିଛି ଆମେରିକୀୟ କଏଦୀଙ୍କୁ ଛାଡି ଦେଇଥିଲା। ଏହି ଟଙ୍କା ଇରାନକୁ ମିଳିବାର ଥିଲା, କିନ୍ତୁ ପରେ କତର ଦେଇନଥିଲା।ଏହି ଚୁକ୍ତି ଅନୁଯାୟୀ, କତରଠାରୁ ଇରାନ ଏହି ସମସ୍ତ ଟଙ୍କା ପାଇବ। ଏହି ଟଙ୍କା ସିଧାସଳଖ ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସକୁ ଦିଆଯିବ। ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ ଇରାନ ପକ୍ଷରୁ ସମଗ୍ର ଯୁଦ୍ଧର ନେତୃତ୍ୱ ନେଉଛି।
କତରର ବୈଦେଶିକ ମନ୍ତ୍ରୀ, କହିଛନ୍ତି ଯେ ସେମାନେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧରେ ମଧ୍ୟସ୍ଥତା କରିବେ ନାହିଁ। କାରଣ ଆମେରିକା ଇରାନକୁ ବୁଝାଇ ପାରୁନାହିଁ। ସେ ସେମାନଙ୍କ ସହିତ କାହିଁକି ଆଲୋଚନା କରିବା ଉଚିତ। ମଧ୍ୟପ୍ରାଚ୍ୟରେ କତରକୁ ଏକ ଶ୍ରେଷ୍ଠ ମଧ୍ୟସ୍ଥତା ଭାବରେ ବିବେଚନା କରାଯାଏ। ଆଫଗାନିସ୍ତାନ ସହିତ ଆମେରିକାର ଆଲୋଚନାରେ କତର ସାହାଯ୍ୟ କରିଥିଲା। ସେହି ସମୟରେ, ଦୋହାରେ ତାଲିବାନ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ହୋଇଥିଲା। କତର ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହି ଯୁଦ୍ଧ କତର ଏବଂ ଇରାନ ମଧ୍ୟରେ ନୁହେଁ। କତର କୌଣସି ପରିସ୍ଥିତିରେ ଇରାନ ଉପରେ ଆକ୍ରମଣ କରିବ ନାହିଁ କିମ୍ବା ଆମେରିକାକୁ ଯୁଦ୍ଧରେ ସାହାଯ୍ୟ କରିବ ନାହିଁ। କାରଣ ଏହି ଯୁଦ୍ଧ ଇସ୍ରାଏଲ ପାଇଁ ଲଢ଼ାଯାଉଛି। କତର ନିଜକୁ ଏହି ସଂଘର୍ଷରୁ ଦୂରେଇ ରଖିଛି।
ମାର୍ଚ୍ଚ ୨୦ ପରଠାରୁ କତାର ଉପରେ ଇରାନ କୌଣସି ବଡ଼ ଆକ୍ରମଣ କରିନାହିଁ। କତର ଉପରେ ଶେଷ ବଡ଼ ଆକ୍ରମଣ ରାସ ଲାଫାନରେ ହୋଇଥିଲା। ସେବେଠାରୁ ଇରାନ କତରର ଏନର୍ଜି ଫାସିଲିଟି ଉପରେ ଆକ୍ରମଣ କରିନାହିଁ। ଇରାନର ଆକ୍ରମଣରେ ଏପର୍ଯ୍ୟନ୍ତ ଚାରି ଜଣ କତର ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୧୬ ଜଣ ଆହତ ହୋଇଛନ୍ତି। ସଂଘର୍ଷ ସମୟରେ ଇରାନ ବାରମ୍ବାର କତରର ଏଲଏନଜି ଫାସିଲିଟି ଉପରେ ଆକ୍ରମଣ କରିଛି। କତର ଏନର୍ଜି ଅନୁଯାୟୀ, ଏହା ଫଳରେ ଏହାର ଉତ୍ପାଦନରେ ୧୭ ପ୍ରତିଶତ ହ୍ରାସ ହୋଇପାରେ। ଭାରତ ଏବଂ ଚୀନ୍ ଭଳି ଦେଶକୁ କତର ଗ୍ୟାସ୍ ଯୋଗାଣ କରେ। ଆମେରିକା ମଧ୍ୟ କତରରୁ ଗ୍ୟାସ୍ କିଣିଥାଏ।