ନୂଆଦିଲ୍ଲୀ,୦୬/୦୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଭାରତରେ ସିଏନ୍ଜି (କମ୍ପ୍ରେମ୍ଡ ନାଚୁରାଲ ଗ୍ୟାସ) ଏବଂ ପିଏନ୍ଜି (ପାଇପ୍ଡ ନାଚୁରାଲ ଗ୍ୟାସ) ଦର ବଢ଼ିପାରେ। ଇରାନର ଡ୍ରୋନ୍ ହମ୍ଲା ପରେ ଭାରତକୁ ଗ୍ୟାସ ଯୋଗାଉଥିବା ସର୍ବବୃହତ୍ ଦେଶ କତାର ଏହାର ଲିକ୍ୱିଫାଏଡ୍ ନାଚୁରାଲ ଗ୍ୟାସ(ଏଲ୍ଏନ୍ଜି) ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ କରିଦେଇଛି ।
ଏହାଦ୍ୱାରା ଭାରତ ଆସିବାକୁ ଥିବା ଜାହାଜଗୁଡ଼ିକ ଅଟକିଛି ଏବଂ ଘରୋଇ ବଜାରରେ ଗ୍ୟାସ ଯୋଗାଣ ୪୦% ପର୍ଯ୍ୟନ୍ତ ହ୍ରାସ ପାଇଛି । ଭାରତ ଏହାର ଆବଶ୍ୟକତାର ୪୦% ଏଲ୍ଏନ୍ଜି ଅର୍ଥାତ୍ ପାଖାପାଖି ୨.୭ କୋଟି ଟନ୍ କତାରରୁ ଆମଦାନି କରିଥାଏ । ବିଦେଶରୁ ଆସୁଥିବା ଏଲ୍ଏନ୍ଜିକୁ ସିଏନ୍ଜି ଏବଂ ପିଏନ୍ଜିରେ ବଦଳାଇ ଏହାର ଯୋଗାଣ କରାଯାଇଥାଏ । ଏହାର ଯୋଗାଣ ଅଟକିବା ଦ୍ୱାରା ସିଟି ଗ୍ୟାସ କମ୍ପାନି(ସିଜିଡି)ଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ, ଯଦି ଶୀଘ୍ର ପରିସ୍ଥିତି ନ ସୁଧୁରେ ତେବେ ସିଏନ୍ଜି ଏବଂ ପିଏନ୍ଜି ଦାମ ବଢ଼ିପାରେ ।
ଭାରତ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି ‘ହୋର୍ମୁଜ’ ଜଳପଥ ବନ୍ଦ ହେବା । ଏହି ବାଟ ଦେଇ କତାର ଏବଂ ୟୁଏଇ ଭଳି ଦେଶ ନିଜ ନିଜର ତେଲ ଏବଂ ଗ୍ୟାସ ରପ୍ତାନି କରିଥାନ୍ତି । ଇରାନ ଏବଂ ଇସ୍ରାଏଲ ଯୁଦ୍ଧ ଯୋଗୁ ଏହି ରୁଟ୍ ଏବେ ସୁରକ୍ଷିତ ନାହିଁ । ୨୮ ଫେବ୍ରୁଆରୀରେ ଏହି ମାର୍ଗ ଦେଇ ୯୧ ଜାହାଜ ଅତିକ୍ରମ କରୁଥିଲେ, ଯାହା ଏବେ ହ୍ରାସ ପାଇ ୨୬ ହୋଇଯାଇଛି । ଭାରତ ଏହାର ଆବଶ୍ୟକତାର ୫୦% ଅଶୋଧିତ ତୈଳ ଏବଂ ୫୪% ଏଲ୍ଏନ୍ଜି ଏହି ମାର୍ଗରେ ଆଣିଥାଏ । ଏଭଳି ସ୍ଥିତିରେ ତେଲ ଏବଂ ଗ୍ୟାସ ଯୋଗାଣ ରାସ୍ତା ବନ୍ଦ ହୋଇଯାଇଛି । କତାର ଏନର୍ଜୀ ମୁତାବକ ଇରାନ କତାରର ‘ରାସ୍ ଲଫାନ’ ଏବଂ ‘ମେସାଇଦ୍’ ଶିଳ୍ପ ସହରସ୍ଥିତ ପ୍ଲାଣ୍ଟ ଉପରେ ଡ୍ରୋନ ହମ୍ଲା କରିଥିଲା । ସୁରକ୍ଷା କାରଣରୁ କମ୍ପାନି ଏଲ୍ଏନ୍ଜି ଉତ୍ପାଦନକୁ ବର୍ତ୍ତମାନ ପାଇଁ ବନ୍ଦ କରିଦେଇଛି ।