ନ୍ୟୁୟର୍କ,୩୦।୭: ତୁରନ୍ତ ଅସ୍ତ୍ର ସହ ଗାଜାର କ୍ଷମତା ଛାଡ। ହମାସକୁ ଏଭଳି ଏକ ଅପିଲ କହିଛନ୍ତି କତର, ସାଉଦି ଆରବ ଓ ଇଜିପ୍ଟ ସହ ଆରବ ଦେଶ । ହମାସ-ଇସ୍ରାଏଲ ବିନାଶକାରୀ ଯୁଦ୍ଧରେ ଏବେ ଗାଜା ଧ୍ବଂସସ୍ତୁପରେ ପରିଣିତ ହୋଇଛି। ଶାନ୍ତି ଫେରାଇବା ପାଇଁ ଏଭଳି ଏକ ଐତିହାସିକ ଓ ଅଦ୍ଭୁତପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଆରବ ଲିଗ୍ର ସମସ୍ତ ୨୨ ସଦସ୍ୟ ରାଷ୍ଟ୍ର।

ହମାସ-ଇସ୍ରାଏଲ ଯୁଦ୍ଧକୁ ତୁରନ୍ତ ଶେଷ କରିବାକୁ ଚାଲିଛି ଚେଷ୍ଟା। ଗାଜାରେ ଶାନ୍ତି ଫେରାଇବା ସହ ସାଧାରଣ ଲୋକଙ୍କ ଜୀବନକୁ ସ୍ବାଭାବିକ କରାଯିବ। ଏଥିପାଇଁ ପ୍ରଥମ ଥର ସମସ୍ତ ଆରବ ଦେଶ ଏକାଠି ହୋଇଛନ୍ତି। ହମାସକୁ ତୁରନ୍ତ ଲଢେଇ ଛାଡି ଅସ୍ତ୍ର ସହ ଗାଜା ଛାଡିବାକୁ ଅପିଲ କରିଛନ୍ତି। କେବଳ ସେତିକି ନୁହେଁ ଅକ୍ଟୋବର ୨୦୨୩ ରେ ଇସ୍ରାଏଲ ଉପରେ ହମାସ କରିଥିବା ଆକ୍ରମଣକୁ ମଧ୍ୟ ନିନ୍ଦା କରିଛନ୍ତି। ଜାତିସଂଘର ଏକ ସମ୍ମିଳନୀରେ ଆରବ ଲିଗ୍ର ସମସ୍ତ ଇସଲାମିକ୍ ରାଷ୍ଟ୍ର ୭ ପୃଷ୍ଠାର ଘୋଷଣାପତ୍ର ସାକ୍ଷର କରିଛନ୍ତି। ଏହି ଦେଶ ଭିତରେ ସାଉଦି ଆରବ, କତର, ଇଜିପ୍ଟ, ଜର୍ଡନ ଓ ତୁର୍କୀ ରହିଛି।

ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ସମାଧାନ ଆରମ୍ଭ କରିବା ଉଦେଶ୍ୟରେ ଏହି ସମ୍ମିଳନୀ ଆୟୋଜିତ କରାଯାଇଥିଲା। ଘୋଷଣାପତ୍ରରେ ହମାସର ସବୁ ବନ୍ଧକଙ୍କୁ ମୁକ୍ତ, ହତିଆର ସହ ଗାଜାରେ ନିଜର କ୍ଷମତାକୁ ଛାଡିବାକୁ କୁହାଯାଇଛି। ଏଥିପାଇଁ ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଓ ସମର୍ଥନ ରହିବ। ଫଳରେ ଏକ ସାର୍ବଭୌମତ୍ବ ଓ ସ୍ବତନ୍ତ୍ର ପାଲେଷ୍ଟାଇନ୍ ଲକ୍ଷ୍ୟ ହାସଲ ହୋଇପାରିବ। ଏହାକୁ ନ୍ୟୁୟର୍କ ଘୋଷଣାପତ୍ର ମଧ୍ୟ କୁହାଯାଉଛି। ଏହି ଦସ୍ତାବିଜରେ ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ୧୭ ଦେଶ, ଆରବ ଲିଗ୍ ଓ ପୁରା ୟୁରୋପୀୟ ସଂଘ ସମର୍ଥନ କରିଛି। ସାଉଦି ଆରବ ସହ ଫ୍ରାନ୍ସ ଏହି ସମ୍ମିଳନୀର ସହ-ଅଧ୍ୟକ୍ଷତା କରିଥିଲା।