ବ୍ରହ୍ମପୁର,୦୨/୦୯: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ପୁଣି ରାଗିଂ । ଅଭିଯୋଗ ହୋଇଛି ଯେ, ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର । ମଦ ପିଇ ରାତିରେ ବୈଠକ (ଜେନେରାଲ ବଡି ମିଟିଂ) କରୁଛନ୍ତି । ନ ଆସିଲେ ଗାଳି କରୁଛନ୍ତି ଏବଂ ରାତିରେ ଘଣ୍ଟାଏ ପର୍ଯ୍ୟନ୍ତ ଆଣ୍ଠେଇ ଦେଉଛନ୍ତି । ଏମ୍ବିବିଏସ୍ ୨ୟ ବର୍ଷ ଛାତ୍ରଙ୍କୁ ୧ ନଂ ହଷ୍ଟେଲରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍ସି) ଆଣ୍ଟି ରାଗିଂ ସେଲ୍ରେ ଏଭଳି ଅଭିଯୋଗ ହେବା ପରେ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ଅପରାହ୍ନରେ ଡିନ୍ଙ୍କ ଅଫିସରେ ଏ ନେଇ ତଦନ୍ତ ହେବ ବୋଲି ରେଜିଷ୍ଟ୍ରାର୍ ସଂଗ୍ରାମ ପଣ୍ଡା କହିଛନ୍ତି ।
ଆଣ୍ଟି ରାଗିଂ ସେଲ୍ କମିଟି ଆଗରେ ଅଭିଯୋଗକାରୀ ଏବଂ ଯେଉଁମାନଙ୍କ ନାମରେ ଅଭିଯୋଗ ହୋଇଛି ସେମାନେ ଉପସ୍ଥିତ ହେବେ । ଏମ୍ବିବିଏସ୍ ୨ୟ ବର୍ଷର ଜଣେ ଛାତ୍ର ଅଭିଯୋଗ କରିଛନ୍ତି ଯେ, ସେ ୧ନଂ ହଷ୍ଟେଲରେ ରହୁଛନ୍ତି । ପରୀକ୍ଷା ପାଇଁ ସେ ରାତିରେ ପଢ଼ୁଥିବା ବେଳେ ରାତି ୧୦ଟାରୁ କିଛି ସିନିୟର ଛାତ୍ର ଯଥା, ୪ର୍ଥ ବର୍ଷ, ଶେଷବର୍ଷ ଏବଂ ହାଉସ୍ସର୍ଜନମାନେ ହଷ୍ଟେଲକୁ ଆସୁଛନ୍ତି । ସେଠାରେ ବୈଠକ ଡାକି ଅନ୍ୟ ଛାତ୍ରମାନଙ୍କୁ ସାମିଲ କରୁଛନ୍ତି । ରାତି ଗୋଟାଏ ପର୍ଯ୍ୟନ୍ତ ବୈଠକ ଚାଲୁଛି । ଅଧିକ ଶବ୍ଦରେ ମ୍ୟୁଜିକ୍ ବଜାଇବା ସହ ଜୁନିୟର ଛାତ୍ରମାନଙ୍କୁ ନିର୍ଯାତନା ଦେଉଛନ୍ତି । କିଛି ଜୁନିୟର ଛାତ୍ରଙ୍କୁ ଆଣ୍ଠେଇବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଯାହାର ଫଟୋ ଓ ଭିଡିଓ ଅଭିଯୋଗକାରୀ ଇ-ମେଲ୍ରେ ଏନ୍ଏମ୍ସିକୁ ଦେଇଛନ୍ତି । ଜଣେ ଶେଷ ବର୍ଷ ଛାତ୍ର ଅଧିକାଂଶ ସମୟରେ ମଦ ପିଇ ସମସ୍ତଙ୍କୁ ଗାଳିଗୁଲଜ କରିବା ସହ ନିର୍ଯାତନା ଦେଉଛନ୍ତି । ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ଉକ୍ତ ଛାତ୍ର ଅଭିଯୋଗରେ ଦର୍ଶାଇଛନ୍ତି। ଏଭଳି କାର୍ଯ୍ୟକଳାପକୁ ବିରୋଧ କରିବାରୁ ଜଣେ ଜୁନିୟର ଛାତ୍ରଙ୍କୁ ମାଡ଼ ମରାଯିବା ସହ ଆଣ୍ଠେଇ ରଖାଯାଇଥିଲା । ସମସ୍ତଙ୍କ ଆଗରେ ତାଙ୍କୁ ଭୁଲ ମାଗିବାକୁ ବାଧ୍ୟ କରାଯାଇଥିଲା ।
ଅଗଷ୍ଟ ୨୨ ତାରିଖରେ ରାଗିଂ ଅଭିଯୋଗ ପାଇବା ପରେ ଏନ୍ଏମ୍ସି ଆଣ୍ଟି ରାଗିଂ ସେଲ୍ ପକ୍ଷରୁ ଏମ୍କେସିଜି ଡିନ୍ଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଛି । ଏହା ଉପରେ ତଦନ୍ତ କରି କ’ଣ ପଦକ୍ଷେପ ନିଆଯାଇଛି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ କରିଛି ଏନ୍ଏମ୍ସି ।