ନୂଆଦିଲ୍ଲୀ ୨୧/୦୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ମଙ୍ଗଳବାର ରାଏବରେଲୀ ଗସ୍ତରେ ଥିଲେ । ଏ ଅବସରରେ ତାଙ୍କୁ ଜେଜେ ତଥା ପୂର୍ବତନ ସାଂସଦ ଦିବଂଗତ ଫିରୋଜ ଗାନ୍ଧୀଙ୍କର ଦୀର୍ଘ ଦଶନ୍ଧି ତଳେ ହଜିଥିବା ଡ୍ରାଇଭିଂ ଲାଇସେନ୍ସ ହସ୍ତାନ୍ତର କରାଗଲା । ଏହା ଦେଖି ରାହୁଲ ଭାବୁକ ହୋଇଗଲେ । ଲାଇସେନ୍ସକୁ ଭଲକରି ଦେଖିଲେ ଏବଂ ତୁରନ୍ତ ତା’ର ଫଟୋକୁ ନିଜ ମୋବାଇଲ ଫୋନ୍ସରେ ହ୍ୱାଟ୍ସଆପ୍ ଜରିଆରେ ମା’ ସୋନିଆ ଗାନ୍ଧୀଙ୍କୁ ପଠାଇଲେ । ଲାଇସେନ୍ସକୁ ରାଏବରେଲୀର ଏକ ପରିବାର ସାଇତି ରଖିଥିଲା ।

ରାହୁଲ ମଙ୍ଗଳବାର ରାଏବରେଲୀ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟନ କଲେ । ଏ ଅବସରରେ ଆୟୋଜନ ସମିତିର ସଦସ୍ୟ ବିକାଶ ସିଂହ ତାଙ୍କୁ ମଞ୍ଚ ଉପରେ ଫିରୋଜ ଗାନ୍ଧୀଙ୍କ ଡ୍ରାଇଭିଂ ଲାଇସେନ୍ସ ହସ୍ତାନ୍ତର କଲେ । ବିକାଶ କହିଲେ, ଅନେକ ବର୍ଷ ତଳେ ରାଏବରେଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କ ଶ୍ୱଶୂର ଏକ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ । ସେ ଏହାକୁ ସାଇତି ରଖିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମଧ୍ୟ ଏହାକୁ ସାଇତି ରଖିଲେ । ଫିରୋଜ ଗାନ୍ଧୀ ୧୯୧୨ରେ ଜନ୍ମଗ୍ରହଣ କରିଥିଲେ । ସେ ଦେଶର ପ୍ରଥମ ଲୋକସଭା ନିର୍ବାଚନ-୧୯୫୨ରେ ରାଏବରେଲୀରୁ ଜିତିଥିଲେ । ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ୱାମୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବାପା । ସେପ୍ଟେମ୍ବର ୭, ୧୯୬୦ରେ ତାଙ୍କର ଦେହାନ୍ତ ହୋଇଥିଲା ।