ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଇଡେନଙ୍କ ଭଳି ସ୍ମୃତି ଶକ୍ତି ହରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ରାହୁଲ ଗାନ୍ଧୀ

Published By : Tapas Panda | November 16, 2024 6:10 PM

Image Courtesy: livelaw

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଜୋ ବାଇଡେନ୍‌ କାହିଁକି ଓହରିବାକୁ ବାଧ୍ୟ ହେଲେ ତା ସମସ୍ତଙ୍କୁ ଜଣା ଅଛି । ବିଭିନ୍ନ ଡିବେଟ୍‌ରେ ତାଙ୍କ କଥାରେ ତାଳମେଳ ରହିନଥିଲା । ଏହାକୁ ନେଇ ଡେମୋକ୍ରାଟ୍‌ ନେତା ତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ବାରଣ କରିଥିଲେ । ଶେଷରେ କିଛି ଉପାୟ ନପାଇ ବାଇଡେନ୍‌ ନିଜ ନାମ ପ୍ରତ୍ୟାହାର କରିବା ସହ କମଲା ହ୍ୟାରିସ୍‌ଙ୍କୁ ପ୍ରାର୍ଥୀ କରାଇବାକୁ ପ୍ରସ୍ତାବ ଦେଇଥିଲେ । ତାଙ୍କର ସ୍ମରଣ ଶକ୍ତି କମିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ଏବେ ଭାରତରେ ‘ସ୍ମୃତି ଶକ୍ତି’କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭଳି ସ୍ମୃତି ଶକ୍ତି ହରାଇ ବସିଛନ୍ତି ବୋଲି ରାହୁଲ ଗାନ୍ଧୀ ଦାବି କରିଛନ୍ତି । ଶନିବାର ମହାରାଷ୍ଟ୍ରର ଅମରାବତୀରେ ଏକ ରାଲିକୁ ସମ୍ବୋଧନ ବେଳେ ରାୟବରେଲି ସାଂସଦ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ସ୍ମରଣ ଶକ୍ତି ହରାଇଥିବା ଜଣାପଡ଼ିଛି । ଏହା ସହ ମୋଦୀଙ୍କୁ ଜୋ ବାଇଡେନଙ୍କ ସହ ତୁଳନା କରି ରାହୁଲ କହିଛନ୍ତି, ‘୮୧ ବର୍ଷୀୟ ବାଇଡେନ୍‌ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହି  ପରିଚୟ କରାଇଥିଲେ । ମୋ ଭଉଣୀ (ପ୍ରିୟଙ୍କା ଗାନ୍ଧୀ) କହୁଥିଲେ, ସେ ମୋଦୀଙ୍କ ଭାଷଣ ଶୁଣିଛନ୍ତି । ଆମେ ଯେଉଁ କଥା ସବୁ ପୂର୍ବରୁ କହିଥିଲୁ । ସେହି ସବୁ କଥାକୁ ମୋଦୀ ଦୋହରାଉଛନ୍ତି । ମୁଁ ଜାଣି ନାହିଁ । ମୋତେ ଲାଗୁଛି ହୁଏତ ମୋଦୀ ନିଜର ସ୍ମରଣ ଶକ୍ତି ହରାଇ ବସିଛନ୍ତି । ’

ସେ ଆହୁରି କହିଛନ୍ତି, ଆମେରିକାର ବିଦାୟୀ ରାଷ୍ଟ୍ରପତି ସବୁ କଥା ଭୁଲି ଯାଉଛନ୍ତି । ୟୁକ୍ରେନ୍‌ର ରାଷ୍ଟ୍ରପତି ଆମେରିକା ଆସିଥିଲେ । କିନ୍ତୁ ବାଇଡେନ୍‌ ଋଷ ରାଷ୍ଟ୍ରପତି ଆସିଛନ୍ତି ବୋଲି କହିଥିଲେ । ସେହିଭଳି ଆମ ପ୍ରଧାନମନ୍ତ୍ରୀ ନିଜର ସ୍ମରଣ ଶକ୍ତି ହରାଇଛନ୍ତି । ୭୪ ବର୍ଷୀୟ ମୋଦୀ ବାରମ୍ବାର କହୁଛନ୍ତି, କଂଗ୍ରେସ ସମ୍ବିଧାନ ଉପରେ ଆକ୍ରମଣ କରୁଛି । ଏକ ବର୍ଷ ହେଲା ମୁଁ କହିଆସୁଛି ଯେ, ବିଜେପି ସମ୍ବିଧାନ ଉପରେ ଆକ୍ରମଣ କରୁଛି ।’ 

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଲୋକସଭାରେ ମୋଦୀଙ୍କୁ କହିଲି କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ୫୦ ପ୍ରତିଶତ ସଂରକ୍ଷଣ କ୍ୟାପ ସମାପ୍ତ କରିବାକୁ ଚାହୁଁଛନ୍ତି । କିନ୍ତୁ ସେ ଏବେ ବି କହୁଛନ୍ତି ରାହୁଲ ଗାନ୍ଧୀ ସଂରକ୍ଷଣ ବିରୋଧୀ । ମୁଁ ଏବେ ବି ଜାତିଗତ ଜନଗଣନା ପାଇଁ ସରକାରଙ୍କ ନିକଟରେ ଦାବି କରୁଛି । ଏହା ଦ୍ବାରା ଦେଶରେ କେତେ ସଂଖ୍ୟକ ଦଳିତ, ଆଦିବାସୀ ଏବଂ ଓବିସି ବର୍ଗର ଲୋକେ ଅଛନ୍ତି ଜଣାପଡ଼ିଯିବ । ଏହା ସତ୍ତ୍ବେ ସେ (ମୋଦୀ) କହୁଛନ୍ତି ରାହୁଲ ଗାନ୍ଧୀ ଜାତିଗତ ଜନଗଣନାକୁ ବିରୋଧ କରୁଛନ୍ତି । 

ସୂଚନାଯୋଗ୍ୟ, ମହାଅଘାଡ଼ି ବିକାଶ ମେଣ୍ଟର ସହଯୋଗୀ ଦଳ କଂଗ୍ରେସ । ବିଧାନସଭା ନିର୍ବାଚନରେ ବିଜେପି-ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାଓ୍ବାରଙ୍କ ଏନସିପି ମେଣ୍ଟକୁ ମାତ ଦେବାକୁ ଜୋରଦାର ପ୍ରସ୍ତୁତି କରୁଛି ଏମଭିଏ । ତେବେ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହା ସହ ୩ ଦିନ ପରେ ଅର୍ଥାତ ନଭେମ୍ବର ୨୩ରେ ନିର୍ବାଚନୀ ଫଳାଫଳ ଘୋଷଣା ହେବ ।  ଏହା ପରେ ମହାବିକାଶ ଅଘାଡ଼ି ନା ମହାୟୁତି ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.