ନୂଆଦିଲ୍ଲୀ: ନିର୍ବାଚନରେ ଭୋଟ ଚୋରିକୁ ନେଇ ରାହୁଲ ଗାନ୍ଧୀ ଲଗାତାର ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଆସୁଛନ୍ତି । ଗୁରୁବାର ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଭୋଟ ଚୋରି ସଂପର୍କରେ ଇସିଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ଅଭିଯୋଗ ବି ଆଣିଛନ୍ତି । ହେଲେ ତାଙ୍କର ଏହି ଅଭିଯୋଗକୁ ସବୁ ଥର ଭଳି ଏଥର ମଧ୍ୟ ନିର୍ବାଚନ କମିଶନ ଖଣ୍ଡନ କରିଛନ୍ତି । ସେପଟେ ବିଜେପି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜୋରଦାର ଟାର୍ଗେଟ କରିଛି । ବିଜେପି ସାଂସଦ ଅନୁରାଗ ଠାକୁର ସାମ୍ୱାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ରାହୁଲ ଗାନ୍ଧୀ ଭାରତରେ ବାଂଲାଦେଶ ଓ ନେପାଳ ପରି ସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ବିଜେପି ସାଂସଦ ଅଭିଯୋଗ କରିଛନ୍ତି । ଅନୁରାଗ ଠାକୁର କହିଛନ୍ତି, ଭାରତର ନିର୍ବାଚନ ଆୟୋଗ ବିନା କୌଣସି ଭେଦଭାବରେ କାମ କରୁଛନ୍ତି । ରାହୁଲ ଗାନ୍ଧୀ ଗଣତନ୍ତ୍ରକୁ ଦୁର୍ବଳ କରିବା, ନାଗରିକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ଓ ବାଂଲାଦେଶ ଏବଂ ନେପାଳ ପରି ସ୍ଥିତି ସୃଷ୍ଟି କରିବା ଉଦ୍ୟମରେ ବ୍ୟସ୍ତ ଅଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ‘ପ୍ରଥମେ ଅନୁପ୍ରବେଶକାରୀ ରାଜନୀତି ହେଉଛି ରାହୁଲ ଗାନ୍ଧୀଙ୍କର ଏକମାତ୍ର ଏଜେଣ୍ଡା । ଯଦି ଅବୈଧ ଭୋଟରଙ୍କୁ ସୁରକ୍ଷା ଦେବାର କଂଗ୍ରେସର କଥିତ ଏଜେଣ୍ଡାକୁ ଆଗକୁ ବଢ଼ିବାକୁ ଦିଆଯାଏ, ତେବେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ସ୍ୱାର୍ଥ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବ ।’ ମୁଖ୍ୟ ନିର୍ବାଚନ କମିଶନରଙ୍କ ସପକ୍ଷରେ ବୟାନ ଦେଇ ଅନୁରାଗ ଠାକୁର ୟୁପିଏ ସରକାରରେ ମନ୍ତ୍ରୀ ହୋଇଥିବା ଏମ୍ଏସ୍ ଗିଲ୍ ଏବଂ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିବା ଟିଏନ୍ ଶେଷନଙ୍କ ଭଳି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନରଙ୍କ କଥା ମନେ ପକାଇଛନ୍ତି । ଏହା ସହ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି ।
ଅନୁରାଗ ଠାକୁର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ୯୦ରୁ ଅଧିକ ନିର୍ବାଚନରେ ପରାଜିତ ହୋଇଥିବାରୁ ସେ ବିଚଳିତ ହୋଇ ପଡ଼ିଛନ୍ତି । ଏହି କାରଣରୁ ଏବେ ଭିତ୍ତିହୀନ ଓ ଭୁଲ ଅଭିଯୋଗ ଲଗାଉଛନ୍ତି । ଆଜିର ସାମ୍ୱାଦିକ ସମ୍ମିଳନୀରେ ରାହୁଲ ହାଇଡ୍ରୋଜେନ୍ ବୋମା ପକାଇଥାନ୍ତେ, କିନ୍ତୁ ସେ କେବଳ ବାଣ ଧରି ଆସିଥିଲେ । ଅନୁରାଗ କହିଛନ୍ତି, ଜଣେ ଏପରି ନେତା ଯିଏ ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରୁଛନ୍ତି ଓ ଜନତାଙ୍କ ଦ୍ୱାରା ବାରମ୍ୱାର ପ୍ରତ୍ୟାଖାତ ହୋଇଛନ୍ତି । ଯାହାଙ୍କ ନେତୃତ୍ୱରେ କଂଗ୍ରେସ ପାର୍ଟି ପ୍ରାୟ ୯୦ ନିର୍ବାଚନ ହାରି ସାରିଛି । ତାଙ୍କର ହତାଶା ଓ ନିରାଶା ଲଗାତାର ବଢିବାରେ ଲାଗିଛି । ରାହୁଲ ଗାନ୍ଧୀ ଅଭିଯୋଗର ରାଜନୀତିକୁ ନିଜର ଆଭୂଷଣ କରିନେଇଛନ୍ତି । ଯେତେବେଳେ ତାଙ୍କ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କୁହାଯାଏ, ସେତେବେଳେ ସେ ପଳାୟନ କରନ୍ତି । ଯେତେବେଳେ ସତ୍ୟପାଠ ଦେବାକୁ କୁହାଯାଏ, ସେତେବେଳେ ମନା କରିଦିଅନ୍ତି । ମିଛ ଅଭିଯୋଗ ଆଣିବା ଏବେ ତାଙ୍କର ଅଭ୍ୟାସ ହୋଇଯାଇଛି ବୋଲି କହିଛନ୍ତି ଅନୁରାଗ ଠାକୁର ।