ନୂଆଦିଲ୍ଲୀ,୨୬/୧୨; ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ । ଟ୍ରେନ୍ ଯାତ୍ରୀଙ୍କ ପାଇଁ ବିଶେଷ ସୂଚନା । ଆପଣଙ୍କ ପକେ୍ଟ ହୋଇପାରେ ଖାଲି । ଆଜିଠୁ ଟ୍ରେନ୍ ଯାତ୍ରା ମହଙ୍ଗା ହୋଇଛି । ଶୁକ୍ରବାରଠାରୁ ଲାଗୁ ହେଉଛି ବର୍ଦ୍ଧିତ ରେଳ ଭଡ଼ା । ୨୧୫ କିଲୋମିଟରରୁ ଅଧିକ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ କିଲୋମିଟର ପିଛା ୧ରୁ୨ ପଇସା ଅତିରିକ୍ତ ଭଡ଼ା ଦେବାକୁ ପଡ଼ିବ । ଆଜିଠୁ ବର୍ଦ୍ଧିତ ଭଡ଼ା ଲାଗୁ ହୋଇଛି । ପୂର୍ବରୁ ବୁକ୍ ଟିକଟ ଉପରେ ଲାଗିବନି ଅତିରିକ୍ତ ଦେୟ । ଗତ ୨୧ ତାରିଖରେ ରେଳ ଭଡ଼ା ବୃଦ୍ଧି ନେଇ ଘୋଷଣା କରିଥିଲା ଇଣ୍ଡିଆନ ରେଳୱେ ।
ରେଳପଥର ଅନୁମାନ, ଏହି ପରିବର୍ତ୍ତନ ଦ୍ୱାରା ଏହା ବର୍ଷକୁ ଅତିରିକ୍ତ ୬୦୦ କୋଟି ଟଙ୍କା ଆୟ କରିବ । ତେବେ ଭାରତୀୟ ରେଳବାଇ ଅନୁସାରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡା ବୃଦ୍ଧି କରାଯାଇ ନାହିଁ । ୨୧୫ କିମିରୁ କମ୍ ଦୂର ଯାତ୍ରା କରୁଥିବା ଏବଂ ମାସିକ ସିଜନ ଟିକଟଧାରୀଙ୍କ ଭଡ଼ାରେ କୌଣସି ସଂଶୋଧନ କରାଯାଇନାହିଁ । ଏହା ପୂର୍ବରୁ ଜୁଲାଇ ୧ରେ ସରକାର ରେଳ ଭଡ଼ାରେ ବୃଦ୍ଧି କରିଥିଲେ । ସେତେବେଳେ ନନ୍-ଏସି ମେଲ୍/ଏକ୍ସପ୍ରେସ୍ ଟ୍ରେନ୍ ଭଡ଼ାରେ ପ୍ରତି କିଲୋମିଟର ୧ ପଇସା ଏବଂ ଏସି କ୍ଲାସ୍ ଭଡ଼ାରେ ପ୍ରତି କିଲୋମିଟର ୨ ପଇସା ବୃଦ୍ଧି ହୋଇଥିଲା । ଏହା ପୂର୍ବରୁ ୨୦୨୦ରେ ଯାତ୍ରୀ ଭଡ଼ା ବଢ଼ିଥିଲା ।
ଜାଣନ୍ତୁ କେଉଁ କ୍ଲାସ୍ରେ କେତେ ବଢିଛି ଭାଡ଼ା- ମନ୍ତ୍ରଣାଳୟ କହିଛି ଯେ, ଦ୍ୱିତୀୟ ଶ୍ରେଣୀ ସାଧାରଣରେ ୨୧୫ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ । ଏହା କମ ଦୂରତା ଏବଂ ଦୈନିକ ଯାତ୍ରୀମାନଙ୍କୁ ପ୍ରଭାବିତ କରିବ ନାହିଁ ।
.୨୧୬ କିଲୋମିଟରରୁ ୭୫୦ କିଲୋମିଟର ଦୂରତା ପାଇଁ ଭଡ଼ା ୫ ଟଙ୍କା ହେବ ।
.୭୫୧ କିଲୋମିଟରରୁ ୧୨୫୦ କିଲୋମିଟର ଦୂରତା ପାଇଁ ୧୦ ଟଙ୍କା ।
.୧୨୫୧ କିଲୋମିଟରରୁ ୧୭୫୦ କିଲୋମିଟର ଦୂରତା ପାଇଁ ୧୫ ଟଙ୍କା ।
.୧୭୫୧ କିଲୋମିଟରରୁ ୨୨୫୦ କିଲୋମିଟର ଦୂରତା ପାଇଁ ୨୦ ଟଙ୍କା ବୃଦ୍ଧି ହେବ ।
ତେବେ ରେଳପଥ ସ୍ପଷ୍ଟ କରିଛି ଯେ, ଉକ୍ତ ଯାତ୍ରୀଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ, ଯେଉଁମାନେ ଡିସେମ୍ବର ୨୬ ପୂର୍ବରୁ ଟିକଟ ବୁକ୍ କରିସାରିଛନ୍ତି । ଯଦିଓ ସେମାନେ ଡିସେମ୍ବର ୨୬ ପରେ ଯାତ୍ରା କରିବେ, ତଥାପି ବର୍ଦ୍ଧିତ ଭଡ଼ା ଦେବେ ନାହିଁ । ଗଣମାଧ୍ୟମକୁ ସୂଚନା ଦେଇ ରେଳବୋର୍ଡର କାର୍ଯ୍ୟକାରୀ ନିର୍ଦ୍ଦେଶକ(ଆଇ ଆଣ୍ଡ୍ ପି) ଦିଲ୍ଲୀପ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଲେ, ଡିସେମ୍ବର ୨୬ କିମ୍ବା ଏହା ପରେ ଟିଟିଇ ଯାତ୍ରା ସମୟରେ ଟ୍ରେନ୍ କିମ୍ବା ଷ୍ଟେସନ୍ରେ ଯେଉଁ ଟିକଟ କରାଯିବ, ତାହା ଉପରେ ବର୍ଦ୍ଧିତ ଭଡ଼ା ଲାଗୁ ହେବ ।ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ରେଳ ମନ୍ତ୍ରଣାଳୟ ରେଳ ଭଡ଼ାରେ ସଂଶୋଧନ କିରିଛି । ଏହା ପୂର୍ବରୁ ଜୁଲାଇରେ ରେଳ ଭଡ଼ା ବୃଦ୍ଧି ହୋଇଥିଲା ।