ଭୁବନେଶ୍ବର,୨୯/୩ : ରାଜ୍ୟରେ ଖରା, ଗରମ ଗୁଳୁଗୁଳି ଅନୁଭୂତ ହେଉଛି । କାଁଭାଁ କୋହଲିଆ ପାଗ ରହିଥିବା ବେଳେ ଆହୁରି ୫ ଦିନ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ଓଡିଶା ଓ ପାର୍ଶ୍ବବର୍ତ୍ତି ଅଂଚଳରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଏହାର ପ୍ରଭାବରେ ରାଜ୍ୟରେ ୫ଦିନ ଯାଏ ବଜ୍ରପାତ ସହ ପବନ ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ୩୦ ରୁ ୪୦କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ ଓ କେନ୍ଦୁଝର ଏହି ୪ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ୩୦ ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପ୍ରିଲ ୨ତାରିଖ ଯାଏଁ ବିଜୁଳି ଘଡଘଡି ସହ ବର୍ଷା ବଜ୍ରପାତର ସମ୍ଭାବନା ଥିବାବେଳେ କିଛି ଜିଲ୍ଲାରେ ୟେଲୋ ଓ୍ବାର୍ଣ୍ଣିଂ ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୩ ସହରରେ ୩୯ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡରେ ତାପମାତ୍ରା ୪0 ଡିଗ୍ରୀ ଟପିଥିବାବେଳେ ତାତିର ତାଉରେ ସିଜୁଛି ପଶ୍ଚିମ ଓଡ଼ିଶା । ବର୍ଦ୍ଧିତ ତାପମାତ୍ରାକୁ ନେଇ ୨ ଦିନ ମଧ୍ୟରେ ତାପମାତ୍ରା ୪୨ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। କାରଣ ୪୦ଡିଗ୍ରୀ ଉପରେ ବର୍ତ୍ତମାନର ତାପମାତ୍ରା ରହିଥିବାବେଳେ ଆଗାମୀ ୨ଦିନରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏହାକୁ ନେଇ ରାଜ୍ୟରେ ୨ ଦିନ ମଧ୍ୟରେ ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ବିଭାଗ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଓଡ଼ିଶା ଉପକୂଳକୁ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହୁଛି । ୪ ଯାଏଁ ତାପମାତ୍ରା ବଢ଼ି ପାରେ । ୪୦ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହୁଛି । କାଳବୈଶାଖୀ ପ୍ରଭାବ ଉପକୂଳରେ ଅଧିକ ରହିଛି । ଅଧିକାଂଶ ମୟୂରଭଞ୍ଜ,କେଉଁଝର , ବାଲେଶ୍ବର , ଯାଜପୁର, ଅନୁଗୁଳ, କନ୍ଧମାଳରେ ବିଶେଷ ପ୍ରଭାବ ରହି ପାରେ ।
ସେପଟେ ଗତ ୨୪ଘଂଟାରେ ୪ ଟି ସ୍ଥାନରେ ବର୍ଷା ହୋଇଥିବାବେଳେ କନ୍ଧମାଳ କେ ନୂଆଗାଁରେ ସର୍ବାଧିକ ୧୧ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ୩ ଟି ସ୍ଥାନରେ ୩୯ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୪୦.୫ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ଼ ହୋଇଛି ।