ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ପୂର୍ବତନ ଅଧିକାରୀ ରାଜ କୁମାର ଗୋୟଲଙ୍କୁ, ଦେଶର ଆଗାମୀ ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ଶପଥ ଦେଇ ଥିଲେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟ ବିଶିଷ୍ଟ କମିଟି ଏହି ପଦ ପାଇଁ ଗୋୟଲଙ୍କ ନାଁର ସୁପାରିଶ କରିଥିଲେ। କମିଟିରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ ଥିଲେ। ରାଷ୍ଟ୍ରପତି ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଗୋୟଲଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇ ଥିଲେ। ଏହି ଅବସରରେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ ଓ କାର୍ମିକ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହ ଆହୁରି ଅନେକ ରାଜନୀତିକ ବ୍ୟକ୍ତି ଓ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ଯେ, ପୂର୍ବତନ ମୁଖ୍ୟ ସୂଚନା ଆୟୁକ୍ତ ହୀରାଲାଲ ସାମରିୟାଙ୍କ ସେପ୍ଟେମ୍ୱର ୨୦୨୫ରେ ସେବାନିବୃତ୍ତ ହେବା ପରେ ମୁଖ୍ୟ ସୂଚନା ଆୟୁକ୍ତର ପଦ ଖାଲି ଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କମିଟି ବୁଧବାର ହୋଇଥିବା ବୈଠକ ବେଳେ କେନ୍ଦ୍ରୀୟ ସୂଚନା ଆୟୋଗରେ ଆଠଟି ସୂଚନା ଆୟୁକ୍ତଙ୍କ ନାମକୁ ମଧ୍ୟ ସୁପାରିଶ କରିଥିଲେ।

ରାଜ କୁମାର ଗୋୟଲ କିଏ ?

ରାଜ କୁମାର ଗୋୟଲଙ୍କର ସାର୍ବଜନିକ ସେବାରେ ୩୦ରୁ ଅଧିକ ବର୍ଷର ଅନୁଭବ ରହିଛି। ସେ ନ୍ୟାୟ ଓ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି। ଗୋୟଲ ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ –କେନ୍ଦ୍ର ଶାସିତ ପ୍ରଦେଶ (ଏଜିଏମୟୁଟି) କାଡରର ୧୯୯୦ ବ୍ୟାଚ୍ର (ଅବସରପ୍ରାପ୍ତ) ଆଇଏଏସ ଅଧିକାରୀ। ସେ କେନ୍ଦ୍ର ସରକାରରେ ତିନି ଦଶନ୍ଧିରୁ ଅଧିକ ନିଜର କାର୍ଯ୍ୟକାଳ ବେଳେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପଦରେ କାମ କରିଛନ୍ତି, ଯେଉଁଥିରେ ତାଙ୍କୁ ଆଇନଗତ , ପ୍ରଶାସନିକ ଓ ଆଭ୍ୟନ୍ତରୀଣ ସୁରକ୍ଷା ମାମଲାରେ ବ୍ୟାପକ ଅଭିଜ୍ଞତା ମିଳିଛି।

ଗୋୟଲ ନିଜର ଅବସର ପୂର୍ବରୁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଅଧିନରେ ନ୍ୟାୟ ବିଭାଗରେ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ଗୃହ ମନ୍ତ୍ରଣାଳୟରେ ସଚିବ (ସୀମା ପ୍ରବନ୍ଧନ) ପଦରେ ଥିଲେ , ଯେଉଁଠି ସେ ସୀମା ଭିତ୍ତିଭୂମି ଓ ଆଭ୍ୟନ୍ତରୀଣ ସୁରକ୍ଷା ସମନ୍ୱ.ୟ ସହ ସମ୍ୱନ୍ଧିତ ପ୍ରସଙ୍ଗକୁ ସମ୍ଭାଳି ଥିଲେ। ସେ ୩୧ ଅଗଷ୍ଟରେ ବିଧି ଏବଂ ନ୍ୟାୟ ମନ୍ତ୍ରଣାଳୟର ଅଧୀନରେ ନ୍ୟାୟ ବିଭାଗରେ ସଚିବ ପଗରୁ ଅବସର ନେଇଥିଲେ।