ଭୁବନେଶ୍ୱର,୧୨/୦୬: ଦିନ ଦ୍ୱିପ୍ରହରରେ ଖାଦ୍ୟରେ ମିଶାଉଛନ୍ତି ଜହର । ତାହା ପୁଣି ରାଜରାସ୍ତାରେ । ଲୁଚାଛପାରେ ନୁହେଁ ସମସ୍ତଙ୍କ ଆଗରେ । ଲୋକେ ବି ପାଗଳଙ୍କ ଭଳି ବିଷ କିଣୁଛନ୍ତି । ଲାଲ ଟହଟହ ଲିଚୁ ଗଦା ହୋଇଛି । ଦୂରରୁ ସିନ୍ଦୁର ଭଳି ଚମକୁଛି । ଯଦି ଗୋଟିଏ ଲିଚୁକୁ ପାଣିରେ ଭିଜେଇ ଦୁଇମିନିଟ୍ ରଖାଯାଏ ଅସଲ ଚେହେରା ପଦାକୁ ଆସିବ । କାରଣ ସେଥିରେ ରାସାୟନିକ ରଙ୍ଗ ମିଶୁଛି । କେବଳ ଲିଚୁ ନୁହେଁ, ଦରକଞ୍ଚା ତରଭୁଜରେ ବନି ଇଞ୍ଜେକସନ୍ ଦିଆଯାଉଛି । କଞ୍ଚା କଦଳୀ କିଭଳି ଜଲ୍‌ଦି ପାଚିବ ସେଥିପାଇଁ କାର୍ବାଇଡ୍ ଦିଆଯାଉଛି । ଭୁବନେଶ୍ୱର ସାରା ଏବେ ଏଭଳି ଅବସ୍ଥା । ସତେ ଯେମିତି ବିଷ ବିକିବା ପାଇଁ ଲାଇସେନ୍ସ ମିଳିଯାଇଛି ।

ଗତ ଦୁଇଦିନ ତଳେ କଟକ ସହରରେ ଏକଥା କର୍ତ୍ତୃପକ୍ଷଙ୍କ ଆଖିରେ ପଡ଼ିଲା । ଚଢ଼ଉ ହେଲା । ହେଲେ ଭୁବନେଶ୍ୱରରେ ହେଉନି । କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ବାଳକ ତରଭୁଜ ଖାଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ପରିବାରଲୋକେ ବି ଗୁରୁତର ହୋଇଥିଲେ । କିଛି ବରିଷ୍ଠ ବେପାରୀଙ୍କ ମତ, ଏହା ଏକ ରାକେଟ୍ । ଏହା କେବଳ ଭୁବନେଶ୍ୱର କି କେନ୍ଦ୍ରାପଡ଼ା ନୁହେଁ, ଆନ୍ଧ୍ରରୁ ଭୁବନେଶ୍ୱର ଏପରିକି ଲିଚୁର ଗଡ଼ ବାଂଲାଦେଶ ଯାଏ ଲମ୍ବିଛି । ସେହିପରି କୁଆଖିଆରୁ ବେଙ୍ଗାଲୁରୁ ଯାଏ ତରଭୁଜ ରାକେଟ୍ ଲମ୍ବିଛି । ଭୁବନେଶ୍ୱରରେ ଏବେ ଫଳର ମାନକୁ ନେଇ ପ୍ରଶ୍ନ ଉଠୁଛି । ଏବେ ଖରାଦିନ ଚାଲୁଥିବାରୁ ଆମ୍ବ ସହ ଲିଚୁ ଓ ଜାମୁକୋଳି ବହୁଳ ଭାବରେ ମିଳୁଛି । ବେଙ୍ଗାଲୁରୁ, ତାମିଲନାଡ଼ୁ, କୋଲକାତା ଆଦି ସ୍ଥାନରୁ ଲିଚୁ ଆସୁଛି । 

ଏହା ବି ପଢନ୍ତୁ...Bhindi cost : ୪୦ ଟଙ୍କାରେ ମୁହଁ ମୋଡୁଛନ୍ତି ଭାରତୀୟ, ୭୨୫୦ ଟଙ୍କାରେ କିଣି ଖାଉଛନ୍ତି ଆମେରିକୀୟ  

ଗ୍ରାହକଙ୍କ କହିବା କଥା, ଫଳକୁ ଜଲ୍ଦି ପଚାଇବା ପାଇଁ ସେଥିରେ କାର୍ବାଇଡ୍ ମିଶାଯାଉଛି । ଏହାଦ୍ୱାରା କେବଳ ଫଳ ଭିତରେ ଥିବା ପୋଷକତତ୍ତ୍ୱ ନଷ୍ଟ ହେବା ସହ ବିଷାକ୍ତ ହୋଇଯାଉଛି । ବଡ଼କଥା, ବଜାରରେ ମିଳୁଥିବା ଫଳକୁ କଡ଼ାକଡ଼ି ଯାଞ୍ଚ କରିବା ପାଇଁ କିଛିଦିନ ତଳେ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଲେଖିଥିଲେ । ଚିଠି ହେଲା ପରେ କିଛିଦିନ ଭୁବନେଶ୍ୱରରେ ଫଳ ବଜାରରେ ଚଢ଼ଉ ହୋଇଥିଲା । ହେଲେ ଏବେ ଶିଥୀଳ ହୋଇପଡ଼ିଛି । ସମ୍ ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ଡା. ସୁଦାମ ଷଡ଼ଙ୍ଗୀ କହିବା କଥା, କାର୍ବାଇଡ୍ ଓ କୃତ୍ରିମ ରଙ୍ଗ ମିଶା ଫଳ ଖାଇବା ଦ୍ୱାରା ଲିଭର୍ ଓ କିଡନୀ ନଷ୍ଟ ହେବାର ଆଶଙ୍କା ଥାଏ । ପେଟରେ ଯନ୍ତ୍ରଣା, ବାନ୍ତି ଓ ହଜମ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ସେହିପରି ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ୍ ପଟେଲଙ୍କ କହିବା କଥା, ଆମର ଜୋନ୍ ସ୍ତରରେ ଚଢଉ ହେଉଛି । ପୂର୍ବରୁ ଫଳ ବଜାରରେ ଯାଞ୍ଚ କରିଥିଲୁ । ଅଭିଯୋଗ ଆସିଲେ ଆମେ ଚଢଉ କରୁଛୁ ।