ନୂଆଦିଲ୍ଲୀ,୦୯/୦୬: ମେଘାଳୟକୁ ହନିମୁନ୍‌ରେ ଯାଇଥିବା ନିଖୋଜ ଦମ୍ପତି ଘଟଣାରେ ଟ୍ୱିଷ୍ଟ୍ ଆସିଛି । ୭ ଦିନ ପରେ ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ମେଘାଳୟ ପୁଲିସକୁ ବଡ଼ ସଫଳତା ମିଳିଛି । ହନିମୁନ୍ ରାତିରେ ହିଁ ରାଜାଙ୍କୁ ତାଙ୍କ ପତ୍ନୀ ସୋନମ ସୁପାରି କିଲରଙ୍କୁ ଡାକି ହତ୍ୟା କରିଥିବା ଜଣାପଡ଼ିଛି । ଉତ୍ତରପ୍ରଦେଶ ଗାଜିପୁରରୁ ରାଜାଙ୍କ ପତ୍ନୀ ସୋନମଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ପୁଲିସ । ଦମ୍ପତି ନିଖୋଜ ନଥିଲେ ବରଂ ଏହା ହତ୍ୟା ଷଡ଼ଯନ୍ତ୍ର ଥିଲା । ସ୍ୱାମୀ ରାଜା ରଘୁବଂଶୀଙ୍କ ହତ୍ୟା ଅଭିଯୋଗରେ ସୋନମଙ୍କୁ ଗିରଫ କରିଛି ପୁଲିସ । ହତ୍ୟା ଘଟଣା ପଛରେ ପରକିୟା ପ୍ରୀତି ଥିବା ସନ୍ଦେହ କରାଯାଉଛି ।

ନିଖୋଜ ନାଟକ- ହନିମୁନ୍‌ ପାଇଁ ମେଘାଳୟର ଶିଲଂକୁ ଯାଇଥିଲେ ମଧ୍ୟପ୍ରଦେଶ ଇନ୍ଦୋରର ଦମ୍ପତି ରାଜା ରଘୁବଂଶୀ ଏବଂ ତାଙ୍କ ସ୍ତ୍ରୀ ସୋନମ ରଘୁବଂଶୀ । ହେଲେ ସେମାନେ ନିଖୋଜ ଥିଲେ । ୧୧ ଦିନ ପରେ ପ୍ରଥମେ ରାଜା ରଘୁବଂଶୀଙ୍କ ମୃତଦେହକୁ ପୁଲିସ ଏକ ଖାଇରୁ ଉଦ୍ଧାର କରିଥିଲା । ପତ୍ନୀ ସୋନମଙ୍କ ପତ୍ତା ମିଳି ନ ଥିବାବେଳେ ତଲାସି ଜାରି ରହିଥିଲା । ଏହି ଦମ୍ପତି ମେ’ ୨୩ ସନ୍ଧ୍ୟାରୁ ନିଖୋଜ ଥିଲେ । ସେବେଠାରୁ ଅଲଗା ଅଲଗା ୬ଟି ଟିମ୍‌ ସନ୍ଧାନରେ ଲାଗିଥିଲେ । ରାଜାଙ୍କ ହାତରେ ଥିବା ତାଙ୍କ ନାମର ଟାଟୁ ଦେଖି ତାଙ୍କ ଭାଇ ମୃତଦେହ ଚିହ୍ନଟ କରିଥିଲେ ।

ସୋନମ ଗାଜିପୁରରୁ ଗିରଫ ହେବା ପରେ ରାଜାଙ୍କ ଭାଇ ବିପୁଲ ରଘୁବଂଶୀ କହିଛନ୍ତି, ''ସେ ୩ ରୁ ୪ ଜଣଙ୍କ ବିଷୟରେ ମୋତେ କିଛି ଜଣାନାହିଁ । ମୁଁ ସେମାନଙ୍କର ନାଁ ଜାଣିନାହିଁ । ରାଜ କୁଶୱାହାର ନାମ ଆସୁଛି ମାନେ ସୋନମ ଏହି ହତ୍ୟା ଘଟଣାରେ ସାମିଲ ଅଛନ୍ତି । ରାଜା ଓ ସୋନମଙ୍କ ବାହାଘର ଠିକ୍ ହେବା ପରେ ଦୁହେଁ ବେଶ୍ ଖୁସି ଥିଲେ । ଆମ ପରିବାର ବି ଖୁସି ଥିଲେ । ଆମେ କେବେ କଳ୍ପନା କରିପାରୁନୁ କି ସୋନମ ଏମିତି କିଛି କରିପାରିବେ ବୋଲି । ମେଘାଳୟ ସରକାର କିଛି ମିଛ କହୁନାହିଁ । ମୁଁ କେବେ ବି ରାଜ କୁଶୱାହାକୁ ଦେଖିନାହିଁ । ସୋନମ ହତ୍ୟାକାଣ୍ଡରେ ସାମିଲ ଅଛି । ମୋ ଭାଇକୁ ଯେପରି ଭାବେ ହତ୍ୟା କରାଯାଇଛି ତାଙ୍କୁ ସେହିପରି ଦଣ୍ଡ ଦିଆଯାଉ ।''

ପୁଲିସ ସୂଚନା ଅନୁସାରେ, ଯେଉଁଠୁ ଦମ୍ପତିଙ୍କ ସ୍କୁଟି ମିଳିଥିଲା ସେଠାରୁ ପ୍ରାୟ ୨୫ କିମି ଦୂରରେ ରାଜାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଫରେନ୍ସିକ ଟିମ୍‌ ପହଞ୍ଚି ମୃତଦେହର ଯାଞ୍ଚ କରିଥିଲା । ସୋନମଙ୍କ ତଲାସି ଜାରିଥିଲା । ପୁରା ମାମଲାକୁ ଗୁରୁତର ସହ ନିଆଯାଇ ତଦନ୍ତ ହୋଇଥିଲା । ଏବେ ସ୍ୱାମୀଙ୍କ ହତ୍ୟା ଘଟଣାରେ ସୋନମଙ୍କୁ ଗାଜିପୁରରୁ ଗିରଫ କରାଯାଇଛି ।

ହନିମୁନ୍ ରାତି ହିଁ ହତ୍ୟା- ସୂଚନା ଅନୁସାରେ, ମେ’ ୧୧ରେ ମଧ୍ୟପ୍ରଦେଶର ରାଜା ରଘୁବଂଶୀ ଏବଂ ସୋନମଙ୍କ ବିବାହ ଇନ୍ଦୋରରେ ହୋଇଥିଲା । ବାହାଘର ପରେ ନବଦମ୍ପତି ହନିମୁନ୍‌ ପାଇଁ ମେଘାଳୟ ଯାଇଥିଲେ । ମେ’ ୨୩ରେ ସେମାନେ ପରିବାର ସହ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ମୋବାଇଲ୍‌ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା । ଶେଷଥର ପାଇଁ ଶିଲଂର ଓଶରାରେ ଉଭୟେ ଏକ ରିଲ୍‌ ବନାଇଥିଲେ । ପୁଲିସ ସେହି ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । ୧୬ ଦିନର ସସ୍‌ପେନ୍ସ ଉପରୁ ପରଦା ଉଠିଛି । ସୋନମ ରାଜାଙ୍କୁ ସୁପାରି କିଲର ଡକାଇ ହତ୍ୟା କରିଥିବା ମେଘାଳୟ ଡିଜିପିଙ୍କ ପକ୍ଷରୁ ସୂଚନା ମିଳିଛି । ହେଲେ ସୋନମଙ୍କ ଉପରେ ଲାଗିଥିବା ଏହି ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ପରିବାର ।