ଧରାକୋଟ,୯/୧୧: ବିବାହ  ବନ୍ଧନରେ ଆବଦ୍ଧ ହେଲେ ଧରାକୋଟ  ‘ରାଜା ସାହେବ’ ସୁଲକ୍ଷଣା ଗୀତାଞ୍ଜଳି  ଦେବୀ । ଭୁବନେଶ୍ୱର ଏକାମ୍ର କ୍ଷେତ୍ର  ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀମୟ ମିଶ୍ରଙ୍କୁ ସେ ବିବାହ କରିଛନ୍ତି ।  ଭୁବନେଶ୍ୱରର ଏକ ରିସୋର୍ଟରେ  ଗତକାଲି ବିବାହ ସମ୍ପନ୍ନ ହୋଇଛି । 

ରାଜାସାହେବ ସୁଲକ୍ଷଣା ଗୀତାଞ୍ଜଳି  ଏବେ ଧରାକୋଟ ବ୍ଲକ୍‌ ଅଧ୍ୟକ୍ଷା  ଅଛନ୍ତି । ତାଙ୍କ ଜେଜେବାପା ରାଜା ସାହେବ ଅନନ୍ତ ନାରାୟଣ ସିଂହଦେଓ  ଆସିକା ସାଂସଦ, ସୋରଡ଼ା ବିଧାୟକ ଓ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ  ଥିଲେ । ଜେଜେମା’ ଶାନ୍ତି ଦେବୀ  ସୋରଡ଼ା ବିଧାୟିକା ଥିଲେ । ବାପା  କିଶୋର ଚନ୍ଦ୍ର ସିଂହଦେଓ ଓ ମାଆ  ନନ୍ଦିନୀ ଦେବୀ ମଧ୍ୟ ସୋରଡ଼ା  ବିଧାୟକ ଥିଲେ । ୨୦୧୦ ମେ’ରେ  ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ  ପରଲୋକ ପରେ ରାଜ ସିଂହାସନ  ଆରୋହଣ କରି ‘ରାଜା ସାହେବ’  ଭାବେ ପରିଚିତ ହୋଇଥିଲେ ସୁଲକ୍ଷଣା  ଗୀତାଞ୍ଜଳି ଦେବୀ । ସେତେବେଳେ ସେ  ରାୟପୁରରେ ଦଶମରେ ପଢ଼ୁଥିଲେ ।  ରାୟପୁର ରାଜପୁତ କଲେଜରୁ ଯୁକ୍ତ  ଦୁଇ ପାସ୍‌ ପରେ ଭୁବନେଶ୍ୱରରେ  ଆଇନରେ ଡିଗ୍ରୀ ହାସଲ କରିଥିଲେ । 

ଗତ ପଞ୍ଚାୟତ ନିର୍ବାଚନରେ ସେ ବ୍ଲକ୍‌  ଅଧ୍ୟକ୍ଷା ହୋଇଥିବା ବେଳେ ସାଧାରଣ  ନିର୍ବାଚନରେ ପରାଜିତ ହୋଇଥିଲେ ।  ରାଜନୀତି କ୍ଷେତ୍ରରେ ସୁଲକ୍ଷଣାଙ୍କ  ଦବ୍‌ଦବା ଦେଖିବାକୁ ମିଳୁଛି । ସ୍ଥାନୀୟ  ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ରହିଛି ।  ରାଜମାତା ନନ୍ଦିନୀ ଦେବୀଙ୍କ ଉପସ୍ଥିତିରେ  ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ  ପିଉସା ଛତିଶଗଡ଼ ବିଳାସପୁର ଅଞ୍ଚଳର  ରାଜାସାହେବ ପୁଷ୍ପେନ୍ଦ୍ର ପ୍ରତାପ ଚୌହାନ  ଓ ପିଉସୀ ସାଇଦର୍ଶନା ଦେବୀ ତାଙ୍କର  ବିବାହ କରାଇଥିଲେ । ରାଜସ୍ଥାନ,  ମେୱାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ,  ଛତିଶଗଡ଼ ଏବଂ ଓଡ଼ିଶାର ବିଭିନ୍ନ  ଅଞ୍ଚଳରୁ ରାଜ ପରିବାର ସଦସ୍ୟ  ବିବାହରେ ଯୋଗ ଦେଇଛନ୍ତି ।