ରାଜସ୍ଥାନ ୨୯/୧୨: ରାଜସ୍ଥାନର ଜଣେ ୫୦ ବର୍ଷୀୟ ଡାକ୍ତର ଦୀପକ ସିଂହ ଏବେ ଚର୍ଚ୍ଚାରେ । ନିଜ ବୟସ ବର୍ଗରେ ମୋଟ ୪୪୨ କିଲୋ ଶକ୍ତିଉତ୍ତୋଳନ କରି ସେ ଇତିହାସ ରଚିଛନ୍ତି । ଗତମାସରେ ଶ୍ରୀଲଙ୍କାରେ ଅନୁଷ୍ଠିତ ବିଶ୍ୱ ଶକ୍ତିଉତ୍ତୋଳନ ଟୁର୍ଣ୍ଣାମେଣ୍ଟରେ ସେ ୩ଟି ଭିନ୍ନ ଭିନ୍ନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେଠାରେ ସେ ବେଞ୍ଚ ପ୍ରେସରେ ୧୨୨ କିଲୋଗ୍ରାମ, ସ୍କ୍ୱାଟରେ ୧୫୦ କିଲୋଗ୍ରାମ ଏବଂ ଡେଡଲିଫ୍ଟରେ ୧୭୦ କିଗ୍ରା ଏହିପରି ମୋଟ ୪୪୨ କେଜି ଉଠାଇଥିଲେ । ଡାକ୍ତର ଦୀପକ ଏବେ ଭରତପୁରର ରାଜ ବାହାଦୂର ମେମୋରିଆଲ୍ ସରକାରୀ ହସ୍ପିଟାଲରେ ଟିବି ବିଭାଗର ପ୍ରମୁଖ ଅଛନ୍ତି । ଷ୍ଟେରଏଡ୍ ନୁହେଁ, ପାରମ୍ପରିକ ଦେଶୀ ଖାଦ୍ୟଦ୍ୱାରା ଏହି ସଫଳତା ହାସଲ କରିଥିବା ସେ ପ୍ରକାଶ କରିଛନ୍ତି ।
୧୯୯୫ ମସିହାରେ ମେଡିକାଲ ଏଣ୍ଟ୍ରାନ୍ସ ଦେଇ ଉଦୟପୁର ମେଡିକାଲ୍ କଲେଜରେ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଦୀପକ ସିଂହ । ସେହି ସମୟରେ ବଡି ବିଲ୍ଡିଂ ପ୍ରତି ମନ ଢଳିବାରୁ ସେ ଜିମ୍ ଯିବା ଆରମ୍ଭ କରିଥିଲେ । ସେଠାରେ ଆର୍ମ ରେସଲିଂ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା । ତେବେ ୨୦୧୯ରେ ପ୍ରଥମ ଥର ପାଇଁ ଭରତପୁରରେ ଏକ ଟୁର୍ଣ୍ଣାମେଣ୍ଟରେ ସେ ଭାଗ ନେଇଥିଲେ । ପରେ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଜାତୀୟ ସ୍ତରରେ ବ୍ରୋଞ୍ଜ ବିଜୟୀ ହୋଇଥିଲେ । ସେହି ସଫଳତା ଯୋଗୁ ଉତ୍ସାହିତ ହୋଇ ପରବର୍ତ୍ତୀ ସମୟରେ ଚାକିରି ସହ ସେ ଖେଳ ଜାରି ରଖିଥିଲେ । ୨୦୧୯ରେ ବିଶ୍ୱ ଚାମ୍ପିଅନସିପ୍ ଲାଗି ଦୀପକଙ୍କର ଚୟନ ହୋଇଥିଲା । କିନ୍ତୁ ସେଥିରେ ସେ ଭାଗ ନେଇପାରିଲେ ନାହିଁ । ଏହାପରେ ଚଳିତବର୍ଷ ନଭେମ୍ବରରେ ସେ ଶ୍ରୀଲଙ୍କାରେ ହୋଇଥିବା ବିଶ୍ୱ ଶକ୍ତିଉତ୍ତୋଳନ ଟୁର୍ଣ୍ଣାମେଣ୍ଟରେ ୧୨୦ କିଲୋ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେଠାରେ ସେ ମୋଟ ୪୪୨ କେଜି ଉଠାଇଥିଲେ । ଏଥିସହ ୩ଟି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ ।