ରାଜସ୍ଥାନ ୦୪/୧୦: ରାଜସ୍ଥାନର ଶଙ୍କର ସିଂହ ରାୱତ୍(୩୭)ଏବେ ଏକ ଅଜବ ସ୍ଥିତିର ସାମ୍ନା କରୁଛନ୍ତି । ତାଙ୍କ ସମେତ ତାଙ୍କର ଦୁଇ ପିଲାଙ୍କୁ ସରକାରୀ ରେକର୍ଡରେ ମୃତ ବୋଲି ଦର୍ଶାଯାଇଛି । ସେଥିଯୋଗୁ ସେ କୌଣସି ସରକାରୀ ଯୋଜନାର ସୁଫଳ ପାଇପାରୁନାହାନ୍ତି । ଏଭଳିସ୍ଥିତିରେ ନିଜ ସମେତ ପିଲାମାନଙ୍କୁ ଜୀବିତ ବୋଲି ପ୍ରମାଣ କରିବା ଲାଗି ସେ ସଂଘର୍ଷରତ ।
୨୦୨୨ରେ ଚାଷୀଙ୍କ କଲ୍ୟାଣ ପାଇଁ ଉର୍ଦ୍ଦିଷ୍ଟ କିଷାନ୍ ସମ୍ମାନ ନିଧି ଲାଗି ଆବେଦନ କରିବାକୁ ସେ ଏକ ସରକାରୀ କ୍ୟାମ୍ପ୍କୁ ଯାଇଥିଲେ । ସରକାରୀ ଅଧିକାରୀମାନେ ତାଙ୍କର ଆଧାର କାର୍ଡ ସମେତ ଅନ୍ୟ ଦସ୍ତାବିଜକୁ ପରୀକ୍ଷା କରିବା ପରେ ସେ ମୃତ ବୋଲି କହିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅଙ୍କୁ ମଧ୍ୟ ସରକାରୀ ରେକର୍ଡରେ ମୃତ ଭାବେ ଦର୍ଶାଯାଇଥିଲା । ସେବେଠାରୁ ନିଜ ସମେତ ପିଲାମାନଙ୍କୁ ଜୀବିତ ବୋଲି ପ୍ରମାଣ କରିବା ଲାଗି ଶଙ୍କର ଗୋଟିଏ ସରକାରୀ ଅଫିସ୍ରୁ ଅନ୍ୟ ଅଫିସ୍କୁ ଦୌଡୁଛନ୍ତି । ସେମାନେ ଜିଲ୍ଲାପାଳଙ୍କ ଅଫିସ୍ରେ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି । କିନ୍ତୁ ଅଦ୍ୟାବଧି କୌଣସି ସୁଫଳ ମିଳିନାହିଁ । ତଦନ୍ତ ଚାଲୁଥିବା ନେଇ କେବଳ ପ୍ରତିଶ୍ରୁତି ମିଳିଛି ।
ଶଙ୍କର ପାଲି ଜିଲ୍ଲାର ମାରୱର ଜଙ୍କସନ୍ ତହସିଲର ସାରନ୍ ଗାଁର ବାସିନ୍ଦା । ୨୦୧୦ରେ ସେ ବିବାହ କରିଥିବାବେଳେ ତାଙ୍କର ୩ଟି ସନ୍ତାନ ହୋଇଥିଲେ । ତାଙ୍କ ମା’, ପତ୍ନୀ ଓ ପିଲାମାନେ ଗାଁରେ ରହୁଥିବାବେଳେ ସେ କିଛି ବର୍ଷ ତଳେ ରୋଜଗାର ଆଶାରେ ଅନ୍ୟତ୍ର ଯାଇ ଏକ ମାର୍ବଲ କାରଖାନାରେ କାମ କରୁଥିଲେ । ତାଙ୍କର ଅନୁପସ୍ଥିତିରେ ତାଙ୍କ ପତ୍ନୀ ଅନ୍ୟ ଜଣଙ୍କୁ ବିବାହ କରିବା ସହିତ ତାଙ୍କ ସାନ ପୁଅକୁ ସାଙ୍ଗରେ ନେଇଗଲେ । ଶଙ୍କରଙ୍କ ଅନୁସାରେ, ସମ୍ପତ୍ତି ବିବାଦ କାରଣରୁ ତାଙ୍କ ପତ୍ନୀ ଜଣେ ବ୍ୟକ୍ତିଙ୍କ ସହିତ ମିଶି ଷଡ଼ଯନ୍ତ୍ର କରି ତାଙ୍କୁ ଆଧାର କାର୍ଡରେ ମୃତ ବୋଲି ଦର୍ଶାଇଛନ୍ତି । ଏହି ଘଟଣାରେ ସେ ଗାଁର ତତ୍କାଳୀନ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।