ନୂଆଦିଲ୍ଲୀ, ୧୧/୦୭ : ରାଜସ୍ଥାନରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ। ରାଜ୍ୟରେ ମାତୃ ସ୍ଵାସ୍ଥ୍ୟ ସେବା ସ୍ଥିତି ଚିନ୍ତାଜନକ। ଜୀବନ ନେଉଛି ଓଟି ସଂକ୍ରମଣ। ଥମୁନି ପ୍ରସୂତୀଙ୍କ ମୃତ୍ୟୁ। କୋଟା, ବିକାନୋର ଏବଂ ଜୋଧପୁର ପରେ ଏବେ ଭିଲୱାଡା ଏବଂ ବାଂସୱାଡା ସରକାରୀ ଡାକ୍ତରଖାନାରୁ ଏଭଳି ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଲଗାତର ପ୍ରସୂତୀ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଥାଉକି, ଭିଲୱାଡାର ମହାତ୍ମା ଗାନ୍ଧୀ ହସ୍ପିଟାଲ ସ୍ଥିତ ମାତୃ ଏବଂ ଶିଶୁ ବିଭାଗରେ ଗତ ୬ ଦିନ ମଧ୍ୟରେ ୫ ଜଣ ପ୍ରସୂତୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଶିମଲା ଗୁର୍ଜର, ଫୋରି ଦେବୀ, ଈଶା ପାଣ୍ଡେ, ଦିବ୍ୟା ଏବଂ ସଙ୍ଗୀତା ଜିନଗର ସାମିଲ ଅଛନ୍ତି। ଏହି ସମସ୍ତ ମହିଳାଙ୍କ ସିଜେରିଆନ ଡେଲିଭରି ହୋଇଥିଲା। ଯାହାପରେ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
ପ୍ରାରମ୍ଭିକ ତଦନ୍ତରୁ ହସ୍ପିଟାଲର ଅପରେସନ ଥିଏଟରର କଲଚର ଯାଞ୍ଚ ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ ସତ ସାମ୍ନାକୁ ଆସିଛି। ଓଟି କଲଚର ରିପୋର୍ଟରେ ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି। ତେବେ ଏହି ପ୍ରସୂତୀଙ୍କ ମୃତ୍ୟୁ ସଂକ୍ରମଣ ପାଇଁ ହୋଇଛି ନା ଅନ୍ୟ କାରଣ ରହିଛି ସେନେଇ ସ୍ପଷ୍ଟ ହୋଇନାହିଁ। ବିଶେଷଜ୍ଞ ଟିମ୍ ଯାଞ୍ଚ କରୁଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଭିଲୱାଡ଼ା ବ୍ୟତୀତ ଶୁକ୍ରବାର ଦିନ ବାଂସୱାଡ଼ାର ମହାତ୍ମା ଗାନ୍ଧୀ ହସ୍ପିଟାଲରେ ଦୁଇ ଘଣ୍ଟା ମଧ୍ୟରେ ଦୁଇଜଣ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଉଭୟ ମହିଳା ପ୍ରଥମ ଥର ପାଇଁ ସନ୍ତାନ ପ୍ରସବ କରିଥିଲେ। ପ୍ରସବର ୨୪ ଘଣ୍ଟା ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା।
ରାଜସ୍ଥାନରେ ପ୍ରସୂତୀଙ୍କ ମୃତ୍ୟୁ ଘଟଣା ପ୍ରଥମ ନୁହେଁ। ଗତ କିଛି ମାସ ହେବ କୋଟା, ବିକାନୋର ଏବଂ ଯୋଧପୁରରେ ପ୍ରସୂତୀଙ୍କ ମୃତ୍ୟୁ ମାମଲା ଲଗାତର ସାମ୍ନାକୁ ଆସୁଛି। ଏଥିରୁ ଜଣା ପଡ଼ୁଛି, ପୁରା ରାଜ୍ୟର ସ୍ଵାସ୍ଥ୍ୟ ସେବା ଏବେ ଭେଣ୍ଟିଲେଟରରେ ଅଛି।
ଆହୁରି ପଢନ୍ତୁ- Heatwave news : ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ, ବିପଦରେ ଭାରତର ୧୪ ସହର, ଶୀର୍ଷରେ ଅଲ୍ ବସ୍ରା, ଦ୍ୱିତୀୟରେ ଅହମ୍ମଦାବାଦ
ASI Caught in Controversy !ମହିଳାଙ୍କ ଘରେ ପଶି ହରଡଘଣାରେ ASI ! ଧରାପଡ଼ିବା ପରେ Video Viral