ନୂଆଦିଲ୍ଲୀ,୧୧।୫: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା। ପାକିସ୍ତାନରେ ପ୍ରବେଶ କରି ୯ଟି ଆତଙ୍କବାଦୀ ଆଡ୍ଡାକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଥିଲା। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଅପରେସନ ସିନ୍ଦୂର’ ଉପରେ ଏକ ବଡ଼ ବୟାନ ଦେଇଛନ୍ତି।
ଲକ୍ଷ୍ନୌରେ ବ୍ରହ୍ମୋସ୍ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଏବଂ ପରୀକ୍ଷଣ ସୁବିଧାର ଉଦଘାଟନ କରିବା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତୀୟ ସେନା ଆତଙ୍କବାଦୀଙ୍କୁ ଜବାବ ଦେଇଛି। ଏହି ଅପରେସନ କରି ଆମେ ଦେଖାଇଛୁ ଯେ ଭାରତ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛି।"
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ପାକିସ୍ତାନରେ ଆତଙ୍କବାଦକୁ ଶେଷ କରିବା ପାଇଁ ‘ଅପରେସନ ସିନ୍ଦୂର’ ଆରମ୍ଭ କରାଯାଇଥିଲା। ଭାରତୀୟ ସେନା କେବଳ ପାକିସ୍ତାନରେ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଥିଲା, କିନ୍ତୁ ପାକିସ୍ତାନୀ ସେନା ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଥିଲା। ଏହା ବ୍ୟତୀତ, ପାକ୍ ସେନା ମନ୍ଦିର, ମସଜିଦ, ଗୁରୁଦ୍ୱାର ଏବଂ ଚର୍ଚ୍ଚକୁ ଟାର୍ଗେଟ କରିଥିଲା।
ଭାରତୀୟ ସେନା ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରିବା ସହିତ ସଂଯମତା ମଧ୍ୟ ପ୍ରଦର୍ଶନ କରିଛି ଏବଂ ପାକିସ୍ତାନର ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରି ଉପଯୁକ୍ତ ଜବାବ ଦେଇଛି। ଆମେ କେବଳ ସୀମା ସଂଲଗ୍ନ ସାମରିକ ଘାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ ବରଂ ପାକିସ୍ତାନୀ ସେନାର ମୁଖ୍ୟାଳୟ ରାୱଲପିଣ୍ଡି ପର୍ଯ୍ୟନ୍ତ ପହଁଞ୍ଚ ଭାରତୀୟ ସେନା କରିଛି ଧମାକା।’
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଉରି ଘଟଣା ପରେ ଯେତେବେଳେ ଆମ ସେନା ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା, ସେତେବେଳେ ଭାରତରେ ଆତଙ୍କବାଦୀ ଘଟଣା ଘଟାଇବାର ପରିଣାମ ସାରା ବିଶ୍ୱ ଦେଖିଥିଲା। ପୁଲୱାମା ପରେ ଯେତେବେଳେ ବାଲାକୋଟରେ ବାୟୁସେନା ଆକ୍ରମଣ କରିଥିଲା ଏବଂ ଏବେ ପହଲଗାମ୍ ଘଟଣା ପରେ ପାକିସ୍ତାନରେ ପ୍ରବେଶ କରି ଭାରତ ଅନେକ ଆକ୍ରମଣ କରିଛି, ତାହା ବିଶ୍ୱ ଦେଖିଛି। ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲରାନ୍ସ ନୀତି ଅନୁସରଣ କରି, ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ଏହା ହେଉଛି ନୂତନ ଭାରତ ଯାହା ସୀମାର ଉଭୟ ପାର୍ଶ୍ୱରେ ଆତଙ୍କବାଦ ବିରୁଦ୍ଧରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।"