ନୂଆଦିଲ୍ଲୀ, ୧୭।୨: ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ଅଛନ୍ତି କମେଡିଆନ୍ ଓ ଅଭିନେତା ରାଜପାଲ୍ ଯାଦବ । ଦିଲ୍ଲୀ ହାଇକୋର୍ଟ ରାଜପାଲ୍‌ଙ୍କୁ ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି । ରାଜପାଲଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମୁର୍ଲି ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ମାଲିକ ମାଧବ ଗୋପାଳ ଅଗ୍ରୱାଲ । ନିକଟରେ ତାଙ୍କ ସାକ୍ଷାତକାର ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ଅଛି । ସେ ପ୍ରଥମଥର ପାଇଁ ଗଣମାଧ୍ୟମ ଆଗରେ ବଡ଼ ଖୁଲାସା କରିଛନ୍ତି ।        

୨୦୧୦ରେ ଦେଇଥିଲେ ୫ କୋଟି:  

ମାଧବଙ୍କ କହିବାନୁଯାୟୀ, ୨୦୧୦ ମସିହାରେ ସାଂସଦ ମିଥିଲେଶ କୁମାର କାଠେରିଆଙ୍କ ସୁପାରିଶରେ ରାଜପାଲଙ୍କ ସହିତ ତାଙ୍କ ପରିଚୟ ହୋଇଥିଲା । ସେତେବେଳେ ‘ଅତ୍ତା ପତ୍ତା ଲାପତ୍ତା’ ନାମକ ଚଳଚ୍ଚିତ୍ର ପାଇଁ ଅର୍ଥ ସହଯୋଗରେ ରାଜପାଲ୍‌ଙ୍କୁ ୫ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ସେ ଟଙ୍କା ଦେବାକୁ ରାଜି ହୋଇନଥିଲେ, କିନ୍ତୁ ପରେ ରାଜପାଲଙ୍କ ସ୍ତ୍ରୀ ରାଧା ଯାଦବଙ୍କ ଅନୁରୋଧ ପରେ ସେ ଟଙ୍କା ଦେବାକୁ ରାଜି ହୋଇଥିଲେ । ମାଧବ କହିଛନ୍ତି, “ଚୁକ୍ତିପତ୍ରରେ ସ୍ପଷ୍ଟ ଲେଖା ଥିଲା ଯେ ଫିଲ୍ମ ଚାଲୁ କି ନା ଚାଲୁ, ସେନ୍ସର ସାର୍ଟିଫିକେଟ୍ ମିଳୁ କି ନା ମିଳୁ, ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ ଟଙ୍କା ଫେରସ୍ତ ଦେବାକୁ ପଡ଼ିବ । ଏହା ଏକ ଋଣ ଥିଲା, ନିବେଶ ନୁହେଁ । ଚୁକ୍ତି ସମୟରେ ପର୍ସନାଲ୍ ଗ୍ୟାରେଣ୍ଟି ଓ ଚେକ୍ ମଧ୍ୟ ଦିଆଯାଇଥିଲା ।”

​​​​​​​

ଏହା ବି ପଢ଼ନ୍ତୁ... ​​​​​​​ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ୍ , ୧୮ ମାର୍ଚ୍ଚରେ ହେବ ପରବର୍ତ୍ତୀ ଶୁଣାଣି

୩ ଥର ସପ୍ଲିମେଣ୍ଟ୍ରି ଏଗ୍ରିମେଣ୍ଟ:

ଚେକ୍ ଜମା ପୂର୍ବରୁ ସେ ରାଜପାଲଙ୍କୁ ଫୋନ୍ କରିଥିଲେ । ପଇସା ନଥିବା କହିବା ପରେ ୩ ଥର ସପ୍ଲିମେଣ୍ଟ୍ରି ଏଗ୍ରିମେଣ୍ଟ ହୋଇ ନୂଆ ଚେକ୍ ନିଆଯାଇଥିଲା । ତଥାପି ସବୁ ଚେକ୍ ବାଉନ୍ସ ହୋଇଥିଲା ।

ମ୍ୟୁଜିକ୍ ଲଞ୍ଚ କରିଥିଲେ ଅମିତାଭ ବଚ୍ଚନ:

ମାଧବଙ୍କ କହିବାନୁଯାୟୀ, ଫିଲ୍ମର ମ୍ୟୁଜିକ୍ ଲଞ୍ଚ ଅମିତାଭ ବଚ୍ଚନ କରିଥିଲେ । ଚୁକ୍ତି ଅନୁଯାୟୀ, ଫିଲ୍ମ ଶେଷ ହେବା ପରେ ତାଙ୍କୁ ଟଙ୍କା ଦେବାର ଥିଲା । ଟଙ୍କା ନମିଳିବାରୁ ସେ କୋର୍ଟର ଦ୍ୱାରସ୍ତ ହୋଇଥିଲେ । ପରେ ବୁଝାମଣା ପରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା, କିନ୍ତୁ ବକ୍ସଅଫିସରେ ବିଫଳ ହୋଇଥିଲା । ୨୦୧୩ରେ ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶରେ ୧୦.୪୦ କୋଟି ଟଙ୍କାରେ ଡିଲ୍ ହୋଇଥିଲା । ରାଜପାଲ୍ କୋର୍ଟରେ ୧୦.୪୦ କୋଟିର ଚେକ୍ ଦାଖଲ କରିଥିଲେ, କିନ୍ତୁ ସମସ୍ତ ଚେକ୍ ବାଉନ୍ସ ହୋଇଯାଇଥିଲା । ମାଧବ କହିଛନ୍ତି ଯେ, ସେ ରାଜପାଲ୍‌ଙ୍କ ଘରକୁ ଦୁଇ ଥର ଯାଇଥିଲେ । ଆଉ ତାଙ୍କ ଆଗରେ ଛୋଟ ପିଲା ପରି କାନ୍ଦିଥିଲେ । ମାଧବଙ୍କ କହିବାନୁଯାୟୀ, “ରାଜପାଲଙ୍କ ଜେଲ୍ ଯିବାକୁ ନେଇ ମୁଁ ଗର୍ବ କରୁନି । ଆମକୁ ଆମ ପଇସା ଦରକାର । ଆଇନ ତାର କାମ କରୁଛି।”

ଦେଢ଼ କୋଟି ଡିମାଣ୍ଡ ଡ୍ରାଫ୍ଟ ପରେ ଜାମିନ:

ଶାହଜହାନପୁରରେ ଭାଣିଜୀର ବିବାହରେ ଯୋଗଦେବା ପାଇଁ ରାଜପାଲ ଜାମିନ ଆବେଦନ କରିଥିଲେ । ଦେଢ଼ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଜମା କରିବା ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖରେ ହେବ । କୋର୍ଟରେ ପାସପୋର୍ଟ ଜମା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏ ମାମଲାରେ ସୋସିଆଲ ମିଡିଆରେ ଅଭିନେତା ସୋନୁ ସୁଦ୍ ନିଜ ପ୍ରତିକ୍ରିୟା ରଖିଥିଲେ । ସୋସିଆଲ ମିଡିଆରେ ସେ ପ୍ରାର୍ଥନା କରିଥିଲେ । ଜାମିନ ପରେ ସେ ଲେଖିଥିଲେ—“ପ୍ରାର୍ଥନାରେ ଶକ୍ତି ଥାଏ, ଶୀଘ୍ର ଭଲ ଖବର ଦେବୁ ।” ରାଜପାଲଙ୍କୁ ଜେଲରୁ ବାହାର କରିବା ପାଇଁ ଅନେକ ଲୋକ ସହଯୋଗ କରିଥିଲେ । ବିହାରର ନେତା ତେଜ୍ ପ୍ରତାପ ଯାଦବ ୧୧ ଲକ୍ଷ ଟଙ୍କା ସହଯୋଗ କରିବା ନେଇ ଘୋଷଣା କରିଥିଲେ । ସଙ୍ଗୀତ ନିର୍ମାତା ଇନ୍ଦ୍ରଜୀତ ସିଂହ ୧.୧୧ କୋଟି ଓ ଏଏସ୍‌ପି ଅନୁଜ ଚୌଧୁରୀ ୫୧ ହଜାର ଟଙ୍କା ସହଯୋଗ କରିଥିବା ସୂଚନା ମିଳିଛି ।

୧୨% ସୁଧରେ ୫ କୋଟି ହେଲା ୨୫ କୋଟି:

ମାଧବଙ୍କ କହିବାନୁଯାୟୀ, ୧୨% ସୁଧ ହିସାବରେ ୫ କୋଟି ଟଙ୍କା ବର୍ତ୍ତମାନ ପ୍ରାୟ ୨୫ କୋଟି ହୋଇଯାଇଛି । “ଆମେ ଆରମ୍ଭରୁ ରାଜିନାମା ପକ୍ଷରେ ଥିଲୁ, କିନ୍ତୁ ଆମ ପଇସା ଫେରସ୍ତ ମିଳୁ” ବୋଲି ସେ କହିଛନ୍ତି ।