ଭୁବନେଶ୍ବର (ପ୍ରମେୟ ଡିଜିଟାଲ): ଇଟାର ଜବାବ ପଥରରେ। ରାଜ୍ୟସଭା ଭୋଟ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ରୋଚକ ମୋଡ଼ ନେଉଛି। ଡା ଦତ୍ତେଶ୍ବର ହୋତାଙ୍କୁ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀ କରିବା ପରେ ରାଜନୀତି ସମୀକରଣ ନୂଆ ଧରିଛି। ନବୀନଙ୍କ ଏ ନୂଆ ଅଙ୍କ ବିଜେପି ଶିବିରକୁ ଅଡ଼ୁଆରେ ପକାଇଛି। ଏ ପ୍ରସଙ୍ଗରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଦୁଇ ବିରୋଧୀ ଦଳକୁ କଟାକ୍ଷ କରିଛନ୍ତି। ଚୁପ୍ ହୋଇ ବସିନି ବିଜେଡି। ବିଧାୟକ ଗଣେଶ୍ବର ବେହେରା କାଉଣ୍ଟର ବାଣ ମାରିଛନ୍ତି।

ଡା. ହୋତାଙ୍କୁ ବିଜେଡି ମିଳିତ ପ୍ରାର୍ଥୀ ଘୋଷଣା କରିବା , କଂଗ୍ରେସ ସମର୍ଥନ କରିବାକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା। ପ୍ରତାପ କହିଛନ୍ତି, ବିଜେଡ଼ି ଓ କଂଗ୍ରେସ ସବୁବେଳେ ଭିତିରିଆ ସଲାସୁତୁରାରେ ଥିଲେ। ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ସେମାନେ ବାରମ୍ବାର ପରାସ୍ତ ହେଉଛନ୍ତି। ଜନତା ତାଙ୍କ ଠାରୁ ଦୂରେଇ ଯାଉଛନ୍ତି। ସେଥିପାଇଁ ଭୟରେ ମେଣ୍ଟ କରିଛନ୍ତି। ଏ ମେଣ୍ଟ ଦ୍ଵାରା ସେମାନଙ୍କର କ୍ଷତି ହେବ। ଉଭୟ ଦଳର ଭିନ୍ନ ଆଦର୍ଶ, ଭିନ୍ନ ବିଚାରଧାରା, ଭିନ୍ନ କାର୍ଯ୍ୟଶୈଳୀ। ଆଗକୁ ସେମାନଙ୍କ ଭିତରେ ଭୟଙ୍କର ସଂଘର୍ଷ ହେବ। ଇଣ୍ଡି ମେଣ୍ଟର ଅବସ୍ଥା ଭାରତରେ ଆମେ ଦେଖୁଛୁ। ପ୍ରତାପ କଟାକ୍ଷ କରି କହିଛନ୍ତି, ନବୀନଙ୍କ ସମଦୂରତା ନୀତି କୁଆଡ଼େ ଗଲା? ଏହା ତାଙ୍କର ସାମୟିକ ଚାଲ | ନବୀନ ବାବୁଙ୍କର କୌଣସି ଶାଶ୍ଵତ ନୀତି ନାହିଁ | ସୁରକ୍ଷା ଓ ଆତ୍ମ ରକ୍ଷା ପାଇଁ କେତେବେଳେ କିଛି ବି କରିପାରନ୍ତି। ବିଜେପି ଘୋଡ଼ା ବେପାରରେ ବିଚଳିତ ନୁହେଁ। ଦଳ ନିଜ ଶକ୍ତିରେ ଲଢିବ। ଯଦି ଅନ୍ୟ କିଏ ସହଯୋଗ କରନ୍ତି ତାହେଲେ ଭଲ।

ବିଜେପି ନେତା ଶ୍ରୀ ଷଡ଼ଙ୍ଗୀର ଏଭଳି ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ବିଜେଡି ଓ କଂଗ୍ରେସ ଉଭୟ ବିଜେପି ବିରୋଧରେ ଲଢ଼ୁଛନ୍ତି । ତେଣୁ ଆମ ଭିତରେ ଏକମତ ହେଲେ ଅସୁବିଧା କେଉଁଠି ରହିଲା? ଆମ ଶକ୍ତି ଉପରେ ଆମେ ବର୍ତ୍ତମାନ ଦୃଢ଼ ନିଶ୍ଚିତ । ବିଜେପିକୁ କୌଣସି ପରିସ୍ଥିତିରେ ସମର୍ଥନ ମାଗିବ ନାହିଁ ବିଜେଡି। ଆମ ନିଜ ଶକ୍ତି ଓ ବାହ୍ୟ ଶକ୍ତିରେ ଜିତିବେ ଆମ ସମର୍ଥିତ ପ୍ରାର୍ଥୀ। କଂଗ୍ରେସ କନ୍ଦଳ କିଛି ପ୍ରଭାବ ପକାଇବ କି? ଏ ପ୍ରଶ୍ନରେ ଗଣେଶ୍ବର କହିଛନ୍ତି, କଂଗ୍ରେସ କନ୍ଦଳ କଥା କଂଗ୍ରେସ ହିଁ କହି ପାରିବ। ଗତକାଲି ବିଜେଡି ସମର୍ଥିତ ପ୍ରାଥି ଦତ୍ତେଶ୍ୱର ହୋତା କଂଗ୍ରେସ ବିଧାୟକ ଦଳ ବୈଠକ କୁ ଯାଇଥିଲେ । ସେଠି ଦୁଇ ବିଧାୟକ ଅନୁପସ୍ଥିତ ଥିଲେ । କଂଗ୍ରେସ କନ୍ଦଳ ର ପ୍ରସଙ୍ଗ ଦତ୍ତେଶ୍ୱର ନୁହଁନ୍ତି। ତେଣୁ କଂଗ୍ରେସ କନ୍ଦଳ ଆମ ସମର୍ଥିତ ପ୍ରାର୍ଥୀ ଙ୍କ ଉପରେ କୌଣସି ପ୍ରଭାଵ ପକେଇବ ନାହିଁ । ଆମ ସମର୍ଥିତ ପ୍ରାର୍ଥୀ ସୁନିଶ୍ଚିତ ବିଜୟ ଲାଭ କରିବେ। ରାଜ୍ୟସଭା ଭୋଟକୁ ନେଇ ଭିଡ଼ାଓଟରା ଲାଗି ରହିଥିଲା ବେଳେ ଏବେ ସମସ୍ତଙ୍କ ନଜର ବିଜେପି ଉପରେ । ବିଜେପି କାହାକୁ ପ୍ରାର୍ଥୀ ଦେଉଛି? କେତୋଟି ଆସନ ପାଇଁ ଦଳ ପ୍ରାର୍ଥୀ ଦେବ ତାକୁ ରାଜନୀତି ମହଲ ଅପେକ୍ଷା କରି ରହିଛି।

ଅଧିକ ପଢ଼ନ୍ତୁ-ବିଜେପି ଖୋଲିଲା ରାଜ୍ୟସଭା କାର୍ଡ: ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ନାଁରେ ମୋହର