ଭୁବନେଶ୍ବର (ପ୍ରମେୟ ଡିଜିଟାଲ)୦୩/୦୩: ସବୁ ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ସୁଜିତ୍ କୁମାରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଏ ସଂପର୍କରେ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମନମୋହନଙ୍କୁ ଦଳ ପୁରସ୍କାର ଦେଇଛି। ଓଡ଼ିଶାରେ ବିଜେପିକୁ ସରକାରକୁ ଆଣିବାରେ ମନମୋହନଙ୍କର ବଡ଼ ଭୂମିକା ଥିଲା। ପର୍ଦ୍ଦା ପଛର ନାୟକ ଭାବେ ଦଳ ତାଙ୍କୁ ରାଜ୍ୟସଭା ଟିକଟ ଦେଇଛି। ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲରେ ସରୁଥିଲା ବେଳେ ବିଜେପି ପୁଣି ତାଙ୍କୁ ଭରସା କରିଛି। ଏପରିକି ନୂଆପଡ଼ା ଉପନିର୍ବାଚନରେ ସୁଜିତ୍ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସଂସଦରେ ଜଣେ ଦକ୍ଷ ସାଂସଦ ଭାବେ ସୁଜିତଙ୍କର ପରିଚୟ ଅଛି।

ମନମୋହନ ରାଜ୍ୟ ରାଜନୀତିର ଜଣେ ଦକ୍ଷ ନେତା। ତୃଣମୂଳସ୍ତରରୁ ତାଙ୍କର ସାଂଗଠନିକ ଦକ୍ଷତା ରହିଛି। ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମନମୋହନ ରାଜ୍ୟ ସରକାରରେ ମନ୍ତ୍ରୀ ଭାର ସମ୍ଭାଳିଥିଲେ।  ଦଳର ବହୁ ପଦ ପଦବୀର ଭାର ମୁଣ୍ଡାଇ ସେ ନିଷ୍ଠାର ସହ ତୁଲାଇଥିଲେ। ନିର୍ବାଚନ ପୂର୍ବରୁ ସଭାପତି ଭାର ତୁଲାଉଥିବା ମନେମାହନଙ୍କୁ ଦଳ ପୁଣି ସଭାପତି ପଦ ଦେଇଥିଲା। ରାଜ୍ୟରେ ବିଜେପି ସରକାର ଗଢ଼ିବାରେ ତାଙ୍କର ଗୁରୁ ଦାୟିତ୍ବ ଥିଲା। ଏପରିକି ୧୯୯୯ରୁ ୨୦୦୪ ଯାଏ ମଧ୍ୟ ମନମୋହନ ଦଳର ସଭାପତି ଦାୟିତ୍ବ ତୁଲାଇଥିଲେ। ସୁଜିତ କୁମାର ବିଜେଡିରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୪ରେ ସୁଜିତ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ସେ ପୁଣି ବିଜେପି ଟିକଟରେ ରାଜ୍ୟସଭାକୁ ଯାଇଥିଲେ।

ଅଧିକ ପଢନ୍ତୁ-ସବୁ କଳ୍ପନା ଜଳ୍ପନାର ଅନ୍ତ, ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା : ସଂତୃପ୍ତ ଓ ଦତ୍ତେଶ୍ଵରଙ୍କ ନାଁରେ ନବୀନଙ୍କ ମୋହର