ମୁମ୍ବାଇ,୩୦/୫ : ତାମିଲ ଇଣ୍ଡଷ୍ଟ୍ରିର ସପୁରଷ୍ଟାର ରାମ ଚରଣ ଏବେ ନିଜ ଆଗାମୀ ଫିଲ୍ମ ‘ପେଡ୍ଡୀ’କୁ ନେଇ ବେଶ୍ ଚର୍ଚ୍ଚାରେ । କିଛିଦିନ ପୂର୍ବରୁ ହିଁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହାକୁ ଦର୍ଶକଙ୍କଠାରୁ ଭଲ ରେସପନ୍ସ ମିଳିଛି । ଏହା ମଧ୍ୟରେ ଫିଲ୍ମର ପ୍ରି-ରିଲିଜରେ ରାମଚରଣ ତାମିଲନାଡ଼ୁର ସିଏମ୍ ଏବଂ ଅଭିନେତା ବିଜୟଙ୍କ ବହୁ ପ୍ରଶଂସା କରିଛନ୍ତି ଏବଂ ରାଜନୀତିରେ ତାଙ୍କର ନୂଆ ଯାତ୍ରା ଲାଗି ଶୁଭେଚ୍ଛା ଜଣାଇଛନ୍ତି ।

ରାମ ଚରଣ ଫିଲ୍ମର ପ୍ରି-ରିଲିଜରେ କହିଛନ୍ତି, ମୁଁ ତାମିଲନାଡ଼ୁର ସିଏମ୍ ଜୋସେଫ ବିଜୟଙ୍କୁ ଶୁଭେଚ୍ଛା ଦେବାକୁ ଚାହୁଁଛି । ସେ ଲୋକଙ୍କ ସେବା କରିବା ଲାଗି ନିଜ କ୍ୟାରିୟର ଏବଂ ଷ୍ଟାରଡମକୁ ସବୁଠାରୁ ଉଚ୍ଚତମ ଶିଖରକୁ ଛାଡ଼ି ଦେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ସହ ଯୋଡ଼ି ହୋଇଥିବା ଜଣେ ବ୍ୟକ୍ତି ଭାବେ ମୋତେ ତାଙ୍କ ଉପରେ ଗର୍ବ ଅଛି । ମୁଁ ତାମିଲନାଡ଼ୁର ଜନତା ଏବଂ ବିଜୟ ସାର୍ ଉଭୟଙ୍କୁ ଏହି ଉପଲବ୍ଧି ଲାଗି ଶୁଭେଚ୍ଛା ଦେଉଛି ।

ପ୍ରକାଶ ଯେ, ସିଏମ୍ ବିଜୟ ଡିସେମ୍ବର ୨୦୨୫ରେ ଅଭିନୟରୁ ସନ୍ନ୍ୟାସ ଘୋଷଣା କରିଥିଲେ ଏବଂ ରାଜନୀତିରେ ପାଦ ରଖିଥିଲେ । ଏହାପରେ ତାଙ୍କ ପାର୍ଟି ତାମିଲଗା ବେନ୍ନି କଝଗମ(ଟିଭିକେ) ୪ମଇରେ ଭାରି ବହୁମତ ସହ ବିଜୟ ହାସଲ କରିଥିଲା । ୧୦ମଇରେ ସେ ସିଏମ୍ ପଦରେ ଶପଥ ଗ୍ରହଣ କରିଥିଲେ । ଯାହାପରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା । ଏହି ବିଜୟ ଫଳରେ ବିଜୟଙ୍କ ନାଁ ଏନ.ଟି.ରାମାରାଓ୍ବ, ଏମ.ଜୀ.ରାମଚନ୍ଦ୍ରନ ଏବଂ ଜୋ.ଜୟଲଳିତାଙ୍କ ଭଳି ବଡ଼ କଳାକାରଙ୍କ ସହ ସାମିଲ ହୋଇଯାଇଛି । ଯେଉଁମାନେ ଅଭିନୟରୁ ରାଜନୀତିରେ ପାଦ ରଖିଛନ୍ତି ।