ମାଲକାନଗିରି, ୧୧/୧୦ : ମାଲକାନଗିରି ସହରରେ ଭସ୍ମାସୁର ଓ ଶିବ ଭକ୍ତ ରୂପରେ କର୍ଣ୍ଣାଟକର ରାମ ଲୀଳା ଭଜନ ମଣ୍ଡଳୀଙ୍କୁ ଦେଖିବାକୁ ମିଳିଛି । ସୁଦୂର କର୍ଣ୍ଣାଟକରୁ ଏମ. ମଞ୍ଜନାଥ, ଆଞ୍ଜଲି କୁମାର ଓ ଭେଙ୍କେଟଶ୍ୱର ନାମକ ତିନି ଜଣ ବ୍ୟକ୍ତି ଆଜି ମାଲକାନଗିରି ସହରରେ ପହଁଚିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଭସ୍ମାସୁର ଓ ଅନ୍ୟ ଜଣେ ଶିବ ଭକ୍ତ ରୂପରେ ସଜେଇ ହୋଇ ହାତରେ ହରମୋନିୟମ, ଖଜଣି ବାଜା ଧରି ବିଭିନ୍ନ ଦୁର୍ଗା ମଣ୍ଡପ ଓ ସାହି ବସ୍ତି ଗୁଡିକରେ ବୁଲି ବୁଲି ରାମ ଲୀଳା ସହ ଭଜନ ପରିବେଶଣ କରୁଛନ୍ତି। 

ଏ ତିନି ଜଣିଆ ରାମ ଲୀଳା ଭଜନ ମଣ୍ଡଳୀ ବିଭିନ୍ନ ପୂଜା ପାର୍ବଣରେ ଓଡିଶାର ବିଭିନ୍ନ ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ରୂପରେ ସଜେଇ ହୋଇ ଭଜନ ଗାଇଥାନ୍ତି । ଯିଏ ଯାହା ଦେଲା ସେଥିରେ ଖୁସି ହୋଇ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି, ସେମାନେ ଅନେକ ରାଜ୍ୟ ବୁଲିଛନ୍ତି ହେଲେ ଓଡିଶାର ଲୋକେ ଧର୍ମ ପାରାୟଣ । ସେମାନେ ରାମାୟଣ, ମହାଭାରତ ଗାନ ଶୁଣିବାକୁ ଭଲ ପାଇଥାନ୍ତି । ତେଣୁ ସେମାନେ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାକୁ ପ୍ରାୟ ଦୁର୍ଗାପୁଜା, କାଳୀପୂଜା ସମୟରେ ଆସି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି ବୋଲି ଏମ. ମଞ୍ଜନାଥ କହିଛନ୍ତି।